ଦୁର୍ଘଟଣା ଘଟାଇ ଚମ୍ପଟ ମାରିଥିଲା ଝାଡ଼ଖଣ୍ଡର କାର୍‌, ଚିକିତ୍ସାଧୀନ ଅବସ୍ଥାରେ ଓଡ଼ିଆ ଛାତ୍ରୀଙ୍କ ମୃତ୍ୟୁ

Advertisment

ଦୁର୍ଘଟଣା ଘଟାଇ କାର୍‌ ଫେରାର, ଚାଳକଙ୍କୁ ଗିରଫ କରିବାରେ ପୁଲିସ ବିଫଳ

ଦୁର୍ଘଟଣା ଘଟାଇ କାର୍‌ ଫେରାର, ଚାଳକଙ୍କୁ ଗିରଫ କରିବାରେ ପୁଲିସ ବିଫଳ

ଦୁର୍ଘଟଣା ଘଟାଇ ଚମ୍ପଟ ମାରିଥିଲା ଝାଡ଼ଖଣ୍ଡର କାର୍‌, ଚିକିତ୍ସାଧୀନ ଅବସ୍ଥାରେ ଓଡ଼ିଆ ଛାତ୍ରୀଙ୍କ ମୃତ୍ୟୁ

ବେତନଟୀ ସଦର: ଝାଡ଼ଖଣ୍ଡର ଏକ ଦ୍ରୁତଗାମୀ କାର୍‌ (ଧଳା ରଙ୍ଗର ୱାଗନର) ଧକ୍କାରେ ଗତ ୧୨ ତାରିଖ ଦିନ ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ୧୮ନଂ ଜାତୀୟ ରାଜପଥର ଗଡ଼ଗଡିଆ ଛକ ନିକଟରେ ଗୁରୁତର ହୋଇଥିବା ୨ ସ୍କୁଲ ଛାତ୍ରୀଙ୍କ ମଧ୍ୟରୁ ବୁଧବାର ରାତି କଟକରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତ ଛାତ୍ରୀ ହେଲେ ହରପ୍ରିୟା ବିଶ୍ୱାଳ(୧୩)।

ସୂଚନା ଅନୁଯାଇ ସ୍ଥାନୀୟ ଗୋବିନ୍ଦପୁର ଗ୍ରାମର ଗଣେଶ ମହାନ୍ତଙ୍କ ଝିଅ କ୍ଷୀରଦା (୧୫) ଓ ସୁକାନ୍ତ ବିଶ୍ୱାଳଙ୍କ ଝିଅ ହରପ୍ରିୟା (୧୩) ପାଖ ଗଡ଼ଗଡିଆ ଗାଁକୁ ସାଇକେଲ ଯୋଗେ ଟିଉସନ ଯାଉଥିବା ସମୟରେ ବାରିପଦା ପଟରୁ ଆସୁଥିବା ଏକ ଦ୍ରୁତଗାମୀ ଧଳା ରଙ୍ଗର ମାରୁତି ୱାଗନର (ଜେଏଚ୍‌-୦୧ଡିଇ-୪୨୪୩) ତାଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଖସିଯାଇଥିଲା। ପ୍ରତକ୍ଷଦର୍ଶୀଙ୍କ କହିବାନୁଯାଇ କ୍ଷୀରଦା ଧକ୍କା ଖାଇ ପାଖକୁ ଛିଟିକି ପଡିଥିବାବେଳେ ହରପ୍ରିୟା କାର ସହିତ କିଛି ବାଟ ଘୋଷାଡ଼ି ହୋଇଯାଇଥିଲେ। ସ୍ଥାନୀୟ ଲୋକ ସଙ୍ଗେ ସଙ୍ଗେ ୨ ଛାତ୍ରୀଙ୍କୁ ବେତନଟୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିବାବେଳେ ସେଠାରେ ଅବସ୍ଥା ଗୁରୁତର ହେବାରୁ ବାରିପଦା ମୁଖ୍ୟ ଡାକ୍ତରଖାନାକୁ ପଠାଇ ଦିଆଯାଇଥିଲା। ପରେ ହରପ୍ରିୟାର ଅବସ୍ଥା ଅଧିକ ଶଙ୍କଟାପନ୍ନ ହେବାରୁ ତାଙ୍କୁ କଟକସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ହେଲେ ଡାକ୍ତରଙ୍କ ୧୫ଦିନର ପ୍ରଚେଷ୍ଟା ପରେ ବୁଧବାର ବିଳମ୍ବିତ ରାତିରେ ହରପ୍ରିୟାର ମୃତ୍ୟୁ ଘଟିଛି।

ମୃତ୍ୟୁ ଖବର ପାଇ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଦୁର୍ଘଟଣା ଦିନ ଖବରପାଇ ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଓ ପ୍ରତକ୍ଷଦର୍ଶୀଙ୍କ ଠାରୁ ସୂଚନା ସଂଗ୍ରହ କରି ପଦ୍ମନାଭପୁର ଟୋଲଗେଟର ସିସିଟିଭି ଫୁଟେଜରୁ ଜାଣିବାକୁ ପାଇଥିଲେ କି ଦୁର୍ଘଟଣା ଘଟାଇ ଥିବା କାରଟି ଝଡଖଣ୍ଡର ମନୁ ସିଂ ନାମରେ ପଞ୍ଜିକୃତ। ହେଲେ ପରିତାପର ବିଷୟ ଏହିଭିତରେ ଦୁର୍ଘଟଣା ଘଟିବାର ୧୫ଦିନ ବିତିଯାଇଥିଲେ ବି ପୁଲିସ ନା ଉକ୍ତ ଦୁର୍ଘଟଣାରେ ସମ୍ପୃକ୍ତ କାରକୁ ଜବତ କରିପାରିଛି ନା କାର ଚାଳକକୁ ଗିରଫ କରିପାରିଛି। ମୃତ ଛାତ୍ରୀର ପରିବାରକୁ ନ୍ୟାୟ ଦେବା ନିମନ୍ତେ ଖୁବଶୀଘ୍ର ଉକ୍ତ କାରକୁ ଜବତ ପୂର୍ବକ ଚାଳକକୁ ଗିରଫ କରାଯିବା ନେଇ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe