ଭୁବନେଶ୍ବର : ଗତ ଚାରିବର୍ଷ ଧରି ତିତିଲି ଓ କୋଭିଡ୍ ଆଳରେ ରାଜ୍ୟ ସରକାର ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଛନ୍ତି। ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ଜରିଆରେ ଛାତ୍ରସଂସଦ ଗଠନ ଓ ସିନେଟ୍ରେ ଛାତ୍ର ପ୍ରତିନିଧିତ୍ୱକୁ ବନ୍ଦ କରାଯାଇଛି। ଚଳିତ ବର୍ଷ ନିର୍ବାଚନ ସଂପର୍କରେ ସରକାର ମୌନ ରହି ନିଜ ଦଳର ଛାତ୍ର ସଙ୍ଗଠନ ଦ୍ୱାରା କ୍ୟାମ୍ପସ୍ କମିଟି ଗଠନ କରାଇବା ଉଦ୍ବେଗର ବିଷୟ ବୋଲି ଅଖିଳ ଭାରତ ଛାତ୍ର ସଂଘ ଅଭିଯୋଗ କରିଛି।
ସଂଘର ଅଭିଯୋଗ ଅନୁଯାୟୀ, ଗଣତନ୍ତ୍ରର ଏନ୍ତୁଡ଼ିଶାଳ ହେଉଛି କଲେଜ୍। ଜଣେ ବିଧାନସଭା ଓ ସଂସଦ ପାଇଁ ଭୋଟ୍ ଦେବାବେଳେ ନିଜ କଲେଜ ପାଇଁ ଗଣତାନ୍ତ୍ରିକ ବାଟରେ ପ୍ରତିନିଧି ବାଛିବାର ଅଧିକାରରୁ ସରକାର ବଞ୍ଚିତ କରିଛନ୍ତି। ଏହା ଗଣତନ୍ତ୍ରର ହତ୍ୟାଠାରୁ କମ୍ ନୁହେଁ। ଲୋକ ପ୍ରତିନିଧି ଭାବେ କୋଟିପତି, କର୍ପୋରେଟ୍ ଦଲାଲ୍ ଓ ମାଫିଆଙ୍କ ସ୍ଥାନକୁ ସଂରକ୍ଷିତ କରାଯାଉଛି। ମାତ୍ର ଆସନ୍ତାକାଲିର ନେତୃତ୍ୱକୁ ବାଟ ରୋକାଯାଉଛି। ସଂଘ ସଭାନେତ୍ରୀ ସଂଘମିତ୍ରା ଜେନା କହିବା କଥା, ପ୍ରଥମେ ଲିଙ୍ଗଡୋ କମିସନ ଜରିଆରେ ଗଣତନ୍ତ୍ର ବିରୋଧୀ ବିଭିନ୍ନ ସର୍ତ୍ତାବଳୀ ଲଦି ଦେଇ ଛାତ୍ର ସଂସଦ ନିର୍ବାଚନ ପ୍ରକ୍ରିୟାକୁ ସଂକୁଚିତ କରାଗଲା। ପରେ ଜାତୀୟ ଶିକ୍ଷାନୀତି-୨୦୨୦ ଛାତ୍ର ସଂସଦ ନିର୍ବାଚନକୁ ସଂପୂର୍ଣ୍ଣ ବନ୍ଦ କରିବା ପାଇଁ ସ୍ୱୀକୃତି ଦେଇଦେଲା। ତେଣୁ ଛାତ୍ର ସଂସଦ ନିର୍ବାଚନ ବନ୍ଦ ନିଷ୍ପତ୍ତି ସେହି ପ୍ରକ୍ରିୟାର ଧାରାବାହିକତାରେ କରାଯାଉଛି। ଏହାଦ୍ୱାରା ଛାତ୍ରଛାତ୍ରୀଙ୍କର ଗଣତାନ୍ତ୍ରିକ ଅଧିକାରକୁ ଅପହରଣ କରି ଛାତ୍ର ଆନ୍ଦୋଳନକୁ ଦମନ କରିବାକୁ ପ୍ରୟାସ କରାଯାଉଛି। ଚଳିତ ବର୍ଷ ପୂର୍ବଭଳି ପ୍ରତ୍ୟକ୍ଷ ଛାତ୍ର ସଂସଦ ନିର୍ବାଚନ କରିବାକୁ ଅଖିଳ ଭାରତ ଛାତ୍ର ସଂଘ ଓଡ଼ିଶା ରାଜ୍ୟ ପରିଷଦ ପକ୍ଷରୁ ଦାବି କରାଯାଇଛି। ଆସନ୍ତା ୨୮ରେ, ଭଗତ ସିଂଙ୍କ ଜୟନ୍ତୀ ଅବସରରେ ହେବାକୁ ଥିବା ରାଜ୍ୟସ୍ତରୀୟ ଆର୍ଡିସି ଯୁବଛାତ୍ର ଆନ୍ଦୋଳନରେ ଏହା ଏକ ପ୍ରମୁଖ ଦାବି ରହିବ ବୋଲି ଏଆଇଏସଏଫ ପକ୍ଷରୁ ଏକ ପ୍ରେସ୍ ବିବୃତି ମାଧ୍ୟମରେ ସୂଚନା ଦେଇଛି।
Follow Us