ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ଛାତ୍ର ଅଶାନ୍ତି

ଅଧ୍ୟକ୍ଷଙ୍କ ବଦଳି ଦାବିରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ଛାତ୍ର ଅଶାନ୍ତି

ରାଉର‌କେଲା: କୁଆରମୁଣ୍ତାସ୍ଥ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ଛାତ୍ର ଅଶାନ୍ତି। କାର୍ଯ୍ୟରତ ଅଧ୍ୟକ୍ଷଙ୍କ ବଦଳି ଦାବିରେ ଛାତ୍ରଛାତ୍ରୀ ବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଘଟଣାସ୍ଥଳରେ ଜିଲ୍ଲା ପରିଷଦ ସଭାପତି କୁନ୍ତୀ ପ୍ରଧାନ ଓ ପ୍ରାଶାସନିକ ଅଧିକାରୀ ପହଞ୍ଚି ବୁଝାସୁଝା କରିବା ଓ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା। ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁସାରେ, ଭାରପ୍ରାପ୍ତ ଅଧ୍ୟକ୍ଷ ଜ୍ଞାନରଂଜନ ତ୍ରିପାଠୀ ଅନେକ ସମୟରେ ସେମାନଙ୍କୁ ଅକଥନୀୟ ବ୍ୟବହାର, ବିନା କାରଣରେ ଗୋଇଠା,ବିଧା ମାରିବା ସହ ବିଦ୍ୟାଳୟ ପରିସରରେ ସେମାନଙ୍କ ବାପାମା’ଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥାଆନ୍ତି।

ଏପରିକି ଝାଡୁରେ ମଧ୍ୟ ପିଲାମାନଙ୍କୁ ବାଡ଼େଇବାକୁ ପଛାନ୍ତି ନାହିଁ। ଏ ନେଇ ସେମାନେ ସପ୍ତାହେ ପୂର୍ବରୁ ଡିଡବ୍ଲ୍ୟଓ ପବିତ୍ର ମୋହନ ପ୍ରଧାନଙ୍କୁ ମଧ୍ୟ ଜଣାଇଥିଲେ। ହେଲେ ସେ ଏହାକୁ ସମାଧାନ କରିବା ପରିବର୍ତ୍ତେ ହାଲୁକାଭାବେ ନେଇଥିବାରୁ ବିକ୍ଷୋଭ ପ୍ରଦର୍ଶନ କରିବାକୁ ବାଧ୍ୟ ହେଲେ ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି। ଖବରପାଇ କୁଆରମୁଣ୍ତା ତହସିଲଦାର ଡା. ରାଜେଶ ସାହୁ, ଡବ୍ଲ୍ୟୁଇଓ ଅଭିଜିତ ପ୍ରଧାନ ପହଞ୍ଚି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ।

ପରେ ଜିଲ୍ଲା ପରିଷଦ ସଭାପତି କୁନ୍ତୀ ପ୍ରଧାନ, ଉପଜିଲ୍ଲାପାଳ ଦୌଲତ ଚନ୍ଦ୍ର ଚନ୍ଦ୍ରାକର, ଜିଲ୍ଲା ପରିଷଦ ସଭ୍ୟ ରାଜେନ୍ଦ୍ର କୁଜୁର, ଡିଡବ୍ଲ୍ୟୁଓ ଶ୍ରୀ ପ୍ରଧାନ, ପଦମପୁର ସରପଞ୍ଚ ଦିଲ୍ଲୀପ ଏକ୍କା, କୁଆରମୁଣ୍ଡା ସରପଞ୍ଚ ରାଜେଶ ହାଁସଦା ପ୍ରମୁଖ ପହଞ୍ଚି ଆଲୋଚନା କରିଥିଲେ। ୨ ଦିନ ମଧ୍ୟରେ ସମ୍ପୃକ୍ତ ଅଧ୍ୟକ୍ଷଙ୍କୁ ବଦଳି, ଅଗଷ୍ଟ ମାସ ଶେଷ ସୁଦ୍ଧା ଖାଲିପଡ଼ିଥିବା ଶିକ୍ଷକ ନିଯୁକ୍ତି, ବିଜ୍ଞାନାଗାର କାର୍ଯ୍ୟକ୍ଷମ, ଛାତ୍ରୀନିବାସକୁ ୨୪ ଘଣ୍ଟିଆ ଜଳ ଓ ବିଦ୍ୟୁତ୍‌ ଯୋଗାଣ କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକାରୀ ଛାତ୍ରଛାତ୍ରୀମାନେ ଶାନ୍ତ ପଡ଼ିଥିଲେ। ସୂଚନାଯୋଗ୍ୟ ଯେ, ୨୦୧୯ ମସିହାରେ ରାଜ୍ୟପାଳ ପ୍ର. ଗଣେଶୀଲାଲଙ୍କ ଦ୍ବାରା ଉଦ୍‌ଘାଟିତ ଏହି ଆବାସିକ ବିଦ୍ୟାଳୟ ଏବେ ଚରମ ଅବ୍ୟବସ୍ଥାରେ ଚାଲିଥିବା ଅଭିଯୋଗ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe