ବ୍ୟାସନଗର : ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟ ଇନ୍ଦ୍ରଧନୁ ଛାତ୍ରାବାସରେ ଶନିବାର ଦିନ ବିଦ୍ୟୁତ୍ କାଟ୍କୁ ନେଇ ଛାତ୍ର ଅଶାନ୍ତି ପ୍ରକାଶ ପାଇଥିଲା। ସକାଳ ୮ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ବିଦ୍ୟୁତ୍ କାଟ୍ ଯୋଗୁଁ ଅସନ୍ତୁଷ୍ଟ ଛାତ୍ରମାନେ ବ୍ୟାସନଗର ଚୋରଦା ଠାରେ ଥିବା ବିଦ୍ୟୁତ୍ କାର୍ଯ୍ୟାଳୟ ଘେରାଉ କରିଥିଲେ। ଫଳରେ ସନ୍ଧ୍ୟା ସାଢ଼େ ୭ଟାରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ପହଞ୍ଚି ବିଦ୍ୟୁତ୍ ସେବା ସ୍ବାଭାବିକ କରିବା ପରେ ଛାତ୍ରମାନେ ଧାରଣାରୁ ଉଠିଥିଲେ। ହେଲେ ଏହି ଘଟଣାକୁ ନେଇ ଛାତ୍ରମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏଭଳି ଅବ୍ୟବସ୍ଥାରେ ସୁଧାର ନଆଣିଲେ ଆଗକୁ ଛାତ୍ର ଆନ୍ଦୋଳନ କରାଯିବ ବୋଲି ଅନ୍ତେବାସୀମାନେ ଚେତାବନୀ ଦେଇଛନ୍ତି।
ପ୍ରକାଶ ଯେ, ଶନିବାର ସକାଳ ୮ଟା ଠାରୁ ଇନ୍ଦ୍ରଧନୁ ଛାତ୍ରାବାସକୁ ବିଦ୍ୟୁତ୍ କାଟ୍ କରାଯାଇଥିଲା। ଫଳରେ ୧୫୦ ଅନ୍ତେବାସୀ ସ୍ନାନଶୌଚ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ନାହିନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏନେଇ ଛାତ୍ରମାନେ ମହାବିଦ୍ୟାଳୟ ଛାତ୍ରାବାସ ଅଧୀକ୍ଷକ ତାପସ କୁମାର ପଣ୍ଡା, ଗୋଲକ ମହାକୁଡ଼, ଅଜୟ ପଣ୍ଡା, ଚିତ୍ତରଞ୍ଜନ ନାୟକଙ୍କୁ ଜଣାଇବା ସହ ଅଧ୍ୟକ୍ଷ ଉପେନ୍ଦ୍ର କୁମାର ସ୍ବାଇଁଙ୍କ ମଧ୍ୟ ଅବଗତ କରାଇଥିଲେ। ଅଧ୍ୟକ୍ଷ ଶ୍ରୀ ସ୍ବାଇଁ ଛାତ୍ରାବାସରେ ବିଦ୍ୟୁତ୍ ସେବା ସ୍ବାଭାବିକ କରିବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ହେଲେ ସନ୍ଧ୍ୟା ପର୍ଯ୍ୟନ୍ତ ବିଦ୍ୟୁତ୍ ସରବରାହ ଆସିନଥିଲା। ଫଳରେ ୧୫୦ ଶହ ଛାତ୍ର ଚୋରଦା ଛକରେ ଥିବା ବିଦ୍ୟୁତ୍ କାର୍ଯ୍ୟାଳୟରେ ପହଞ୍ଚି ଅସନ୍ତୋଷ ବ୍ୟକ୍ତ କରିଥିଲେ। ଛାତ୍ରମାନେ କାର୍ଯ୍ୟାଳୟ ଆଗରେ ଅଡ଼ି ବସିବାରୁ କନିଷ୍ଠ ଯନ୍ତ୍ରୀ ପ୍ରଦ୍ୟୁମ୍ନ ବରାଳ ମହାବିଦ୍ୟାଳୟ ଇନ୍ଦ୍ରଧନୁ ଛାତ୍ରାବାସରେ ପହଞ୍ଚି ବିଦ୍ୟୁତ୍ ସେବା ସ୍ବାଭାବିକ କରାଇଥିଲେ। କର୍ମଚାରୀଙ୍କ ଅବହେଳା ପାଇଁ କନିଷ୍ଠ ଯନ୍ତ୍ରୀ ଶ୍ରୀ ବରାଳ ଅସନ୍ତୋଷ ବ୍ୟକ୍ତ କରିବା ସହ ଦାୟିତ୍ବରେ ଥିବା ବ୍ୟକ୍ତିମାନଙ୍କୁ ତାଗିଦ୍ କରିଥିଲେ।
Follow Us