ଦେବଗଡ଼ : ଅନ୍‌ଲାଇନ୍‌ କ୍ଲାସ୍‌ ପାଇଁ ଗଛରେ ଚଢ଼ି ନେଟ୍‌ୱର୍କ ଖୋଜୁଛନ୍ତି ଛାତ୍ରଛାତ୍ରୀ

Advertisment
ଦେବଗଡ଼ : ଅନ୍‌ଲାଇନ୍‌ କ୍ଲାସ୍‌ ପାଇଁ ଗଛରେ ଚଢ଼ି ନେଟ୍‌ୱର୍କ ଖୋଜୁଛନ୍ତି ଛାତ୍ରଛାତ୍ରୀ

ଦେବଗଡ଼ : କରୋନା ସଂକ୍ରମଣ ଯୋଗୁଁ ସାରା ଦେଶରେ ସ୍କୁଲ୍‌, କଲେଜଗୁଡ଼ିକ ବନ୍ଦ ରହିଛି। ଫଳରେ ଶିକ୍ଷାଦାନ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି। ତେବେ ଏହି କ୍ଷତିକୁ କିଛିଟା ଭରଣା କରିବାକୁ ଅନ୍‌ଲାଇନ୍ କ୍ଲାସ୍‌ ମାଧ୍ୟମରେ ପାଠପଢ଼ା ଚାଲିଛି। ରାଜ୍ୟ ସରକାର ଅନ୍‌ଲାଇନ୍‌ ପାଠ ପଢ଼ାକୁ ଗୁରୁତ୍ବ ଦେଉଥିବା ବେଳେ ତେଣେ କେନ୍ଦ୍ର ସରକାର ଲୋକଙ୍କୁ ଇଣ୍ଟର୍‌ନେଟ୍‌ ସହ ଯୋଡ଼ିବା ପାଇଁ ଡିଜିଟାଲ୍‌ ଇଣ୍ଡିଆ ନାରା ଦେଇଛନ୍ତି। କିନ୍ତୁ ଦେବଗଡ଼ ଜିଲ୍ଲାରେ ଏ ସବୁ ପ୍ରହସନ ପାଲଟିଛି। ଜିଲ୍ଲାର ପ୍ରାୟ ଅଧିକାଂଶ ସ୍ଥାନରେ ମୋବାଇଲ୍‌ ନେଟ୍‌ୱର୍କ ଆସୁ ନଥିବା ବେଳେ ଯେଉଁଠି ବି ଆସୁଛି ସେଠାରେ ସିଗ୍‌ନାଲ୍‌ ଏତେ ଦୁର୍ବଳ ଯେ ଇଣ୍ଟର୍‌ନେଟ୍‌ ଚଳାଇବା ତ ଦୂରର କଥା ମୋବାଇଲ୍‌ରେ କଥାବାର୍ତ୍ତା କରିବା ମଧ୍ୟ କଷ୍ଟକର ହୋଇପଡୁଛି। ଇଣ୍ଟର୍‌ନେଟ୍‌ ଅଭାବରୁ ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ ଅନ୍‌ଲାଇନ୍‌ କ୍ଲାସ୍‌ କରିବା ସମ୍ଭବପର ହେଉନାହିଁ। ବାଧ୍ୟ ହୋଇ ଅନେକ ସ୍ଥାନରେ ଛାତ୍ରଛାତ୍ରୀ ପାଠ ପାଇଁ ଜୀବନକୁ ବାଜି ଲଗାଇ କେଉଁଠି ଗଛ ଉପରେ ତ ପୁଣି କେଉଁଠି ବଣ ଜଙ୍ଗଲ ଘେରା ପାହାଡ଼ ଚଢ଼ୁଥିବା ନଜିର ରହିଛି।

publive-image

ପୂର୍ବରୁ ବି ମୋବାଇଲ ନେଟୱାର୍କ ନଥିବାରୁ ଶିକ୍ଷକ/ଶିକ୍ଷୟିତ୍ରୀ ଗଇଲୋ ଘାଟି ରାସ୍ତାର ସୁରକ୍ଷା ବାଡ଼ ଉପରେ ବିପଦ ସଂକୁଳ ଅବସ୍ଥାରେ ବସି ଅନ୍‌ଲାଇନ୍‌ ମାଧ୍ୟମରେ ତାଲିମ ନେଉଥିବା ଚିତ୍ର ସାମ୍‌ନାକୁ ଆସିଥିଲା। ଏଭଳି ଘଟଣା ଦେଖିବାକୁ ମିଳିଛି ତିଲେଇବଣୀ ବ୍ଲକ ଅନ୍ତର୍ଗତ ଜୁଆଳିଭଙ୍ଗା ଗ୍ରାମରେ। ଗାଁ’ଟି ବ୍ଲକ ମୁଖ୍ୟାଳୟରୁ ୧୦ କିମି ଦୂରରେ ଅବସ୍ଥିତ। ଗାଁ’କୁ କୌଣସି ମୋବାଇଲ୍‌ର ନେଟ୍‌ୱାର୍କ ଆସୁ ନଥିବାରୁ ଛାତ୍ରଛାତ୍ରୀମାନେ ୨ କିମି ଦୂରରେରେ ନେଟ୍‌ୱାର୍କ ଆସୁଥିବା ଏକ ସ୍ଥାନକୁ ଯାଇଥାନ୍ତି। ସେଠାରେ ସିଗ୍‌ନଲ୍‌ ଦୁର୍ବଳ ଯୋଗୁଁ ପିଲାଙ୍କୁ ଗଛ ଉପରେ ତ ପାହାଡ଼ ମୁଣ୍ଡିଆ ଉପରକୁ ଚଢ଼ିବାକୁ ପଡୁଥିବା ଦେଖିବାକୁ ମିଳିଛି। କେତେବେଳେ ବି ସାମାନ୍ୟ ଅସାବଧାନ ହେଲେ ଦୁର୍ଘଟଣା ନିଶ୍ଚିତ। ବାରମ୍ବାର ମୋବାଇଲ୍‌ ସେବା ପାଇଁ ଅଞ୍ଚଳବାସୀ ଦାବି କରି ଆସୁଛନ୍ତି। ଏ ସଂପର୍କରେ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ବିଧାନସଭାରେ ଦାବି ମଧ୍ୟ ଉପସ୍ଥାପନ କରି ସାରିଛନ୍ତି। କିନ୍ତୁ ନା ପ୍ରଶାସନ ନା ରାଜ୍ୟ ସରକାର ଏ ଦିଗରେ କେହି ବି କିଛି ପଦକ୍ଷେପ ନେଉ ନଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe