ଆବସିକ ବିଦ୍ୟାଳୟରେ ଅବ୍ୟବସ୍ଥା: ବାହାରୁ ପାଣି ବୋହିଲେ ଅନ୍ତେବାସୀ, ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା

ଆବସିକ ବିଦ୍ୟାଳୟରେ ଅବ୍ୟବସ୍ଥା: ବାହାରୁ ପାଣି ବୋହିଲେ ଅନ୍ତେବାସୀ, ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଳ୍ଲା ବୀରମହାରାଜପୁର ବ୍ଳକ ଅଧୀନ ସୁବଲୟାସ୍ଥିତ କସ୍ତୁରବା ଗାନ୍ଧି ଆବାସିକ ବିଦ୍ୟାଳୟରେ ପାନୀୟ ଜଳ ନେଇ ବ୍ୟାପକ ଅବ୍ୟବସ୍ଥା ଦେଖାଯାଇଛି। ପାନୀୟ ଜଳର ଚାହିଦା ପୂରଣ କରିବା ପାଇଁ ଶନିବାର ସନ୍ଧ୍ୟାରେ ଏଠାରେ ରହୁଥିବା ଅନ୍ତେବାସୀ ବାହାରୁ ପାଣି ବୋହିଛନ୍ତି। ରାଜରାସ୍ତାରେ ଛାତ୍ରୀମାନେ ପାଣି ବୋହିକି ଆସୁଥିବା ଦୃଶ୍ୟ ବୁଦ୍ଧିଜୀବୀଙ୍କୁ ବିସ୍ମିତ କରିଛି। ଏହାକୁ ତୀବ୍ର ନିନ୍ଦା କରାଯାଇଛି।

ସୂଚନା ଅନୁସାରେ ବିଦ୍ୟୁତ ଜନିତ ସମସ୍ୟା ନେଇ ସୁବଳୟାରେ ଶନିବାର ଦିନ ପାନୀୟ ଜଳ ଯୋଗାଣ ହୋଇପାରି ନଥିଲା। ଏହି କାରଣରୁ କସ୍ତୁରବା ଗାନ୍ଧି ଆବାସିକ ବିଦ୍ୟାଳୟକୁ ମଧ୍ୟ ପାଇପ ମାଧ୍ୟମରେ ପାଣି ମିଳି ପାରି ନଥିଲା। ବିଦ୍ୟାଳୟ ପରିସରରେ ଥିବା ନଳକୂପରୁ ସକାଳୁ ଓ ମଧ୍ୟାହ୍ନରେ ପାଣି ମିଳିଥିଲା। କିନ୍ତୁ ଅପରାହ୍‌ଣ ସମୟରେ ନଳକୂପ ଖରାପ ହୋଇଯିବାରୁ ଏଠାରେ ପାନୀୟ ଜଳ ସମସ୍ୟା ଦେଖାଯାଇଥିଲା। ପାନୀୟ ଜଳ ଚାହିଦା ପୂରା କରିବା ପାଇଁ ବିଦ୍ୟାଳୟର ୱାର୍ଡେନ୍‌ ଉଷାରାଣୀ ଭୋଇ ସନ୍ଧ୍ୟାରେ ଅନ୍ତେବାସୀଙ୍କୁ ବାହାରୁ ପାଣି ଆଣିବାକୁ କହିଥିଲେ। ଶ୍ରୀମତୀ ଭୋଇଙ୍କ ଠାରୁ ନିର୍ଦ୍ଦେଶ ପାଇପା ପରେ ସନ୍ଧ୍ୟା ପ୍ରାୟ ୬ଟାରେ ଅନ୍ତେବାସୀମାନେ ହଷ୍ଟେଲରେ ରୋଷେଇ ପାଇଁ ବାହାରକୁ ପାଣି ଆଣିବାକୁ ଯାଇଥିଲେ। ଛାତ୍ରୀମାନେ ହାତରେ ବାଳଟି ନେଇ ମୁଖ୍ୟପାଚେରୀ ଡେଇ ଜନଗହଳିପୂର୍ଣ୍ଣ ରାସ୍ତା ପାରି କରି ଅନ୍ୟସ୍ଥାନରୁ ପାଣି ବୋହିଥିଲେ।

ସରକାରଙ୍କ ସ୍ବଷ୍ଟ ନିୟମ ଅଛି କି ଅପରାହ୍ନ ବିଦ୍ୟାଲୟ ଛୁଟି ପରେ କୌଣସି ଛାତ୍ରୀଙ୍କୁ ଛାତ୍ରାବାସରୁ ବାହାରକୁ ଛଡ଼ା ଯାଇପାରିବ ନାହିଁ। କିନ୍ତୁ ଏଠାରେ ନିୟମ ସମ୍ପୂର୍ଣ୍ଣ ଭାବରେ ଉଳ୍ଳଙ୍ଘନ କରାଯାଇଛି। କସ୍ତୁରବା ଗାନ୍ଧି ଆବାସିକ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ୬ଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୧୩୪ ଜଣ ଛାତ୍ରୀ ହଷ୍ଟେଲରେ ରହୁଛନ୍ତି।

ଅନ୍ତେବାସୀମାନେ ବାହାରୁ ପାଣି ବୋହିବା ନେଇ ଅବାସିକ ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ଯାଜ୍ଞସେନୀ ବେହେରାଙ୍କୁ ପଚରାଯିବାରୁ ସେ କହିଛନ୍ତି, ‘ଆମ ହଷ୍ଟେଲ ପରିସରରେ ଥିବା ୨ଟି ଯାକ ନଳକୂପ ଶନିବାର ଅପରାହ୍‌ଣ ପରେ ଖରାପ ହୋଇଯାଇଥିଲା। ପଂଚାୟତ ତରଫରୁ ସୁବଳୟାରେ ପିଇବା ପାଣି ଯୋଗାଣ ମଧ୍ୟ ବିଦ୍ୟୁତ ଜନିତ ସମସ୍ୟା ନେଇ ବନ୍ଦ ରହିଥିଲା। ପାଣି ଟ୍ୟାଙ୍କର ଯୋଗେ ବିଦ୍ୟାଳୟର ହଷ୍ଟେଲକୁ ପାଣି ଆଣିବା ପାଇଁ ଉଦ୍ୟମ କରାଯାଇଥିଲା। ସନ୍ଧ୍ୟ। ୫.୩୦ରେ ମୁଁ ଏକ କାମରେ ହଷ୍ଟେଲରୁ ବାହାରି ଯିବା ପରେ ଦାୟିତ୍ବରେ ଥିବା ଓ୍ବାଡେନ୍‌ କାହାକୁ କିଛି ନ କହି ଅର୍ଥାତ ଟ୍ୟାଙ୍କରକୁ ଅପେକ୍ଷା ନ କରି ଛାତ୍ରୀମାନଙ୍କୁ ବାହାରୁ ପାଣି ଆଣିବାକୁ କହିଥିଲେ। ତେବେ ଘଟଣା ସଂପର୍କରେ ୱେଡେନ୍‌ ଶ୍ରୀମତୀ ଭୋଇଙ୍କ ଠାରୁ ପ୍ରତିକ୍ରିୟା ମିଳିପାରି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe