Students protest against principal's replacement: Locking school gates, protesting Photograph: (sambad.in)
ରୁପ୍ରା: ନର୍ଲା ବ୍ଲକ୍ ଗିଗିନା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଶ୍ରୀପୁର୍ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚାରିଜଣ ଶିକ୍ଷକ ପ୍ରଧାନ ଶିକ୍ଷକ ଫକୀର ମହାନନ୍ଦ, ସହ ଶିକ୍ଷକ ମୋହନ ସାହୁ, ଶିକ୍ଷୟତ୍ରୀ ସରିତା ରାଉତରାୟ ଓ ସସ୍ମିତା ନାୟକ ବାଲ୍ ବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ଯନ୍ତ ୯୫ଜଣ ଛାତ୍ରଛାତ୍ରୀ ପାଠ ପଢ଼ାଉଛନ୍ତି। ତେବେ କିଛିଦିନ ତଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଫକୀର ମହାନନ୍ଦଙ୍କୁ ଅନ୍ୟତ୍ର ବଦଳି ହୋଇଥିବାରୁ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଛାତ୍ରଛାତ୍ରୀ, ଅଭିଭାବକ ତଥା ଗ୍ରାମବାସୀ।
ଗିଗିନା ସରପଞ୍ଚ ସୁଧାମୟୀ କୁମାର, ବିଜେପିର ପୂର୍ବ ମଣ୍ଡଳ ସଭାପତି କିର୍ତ୍ତୀଚନ୍ଦ୍ର ମାହାର, ଛାତ୍ରଛାତ୍ରୀ, ପରିଚାଳନା କମିଟିର କର୍ମକର୍ତ୍ତା ତଥା ଗ୍ରାମବାସୀ ମାନଙ୍କ କହିବା ଅନୁସାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଫକୀର ମହାନନ୍ଦଙ୍କ ବିରୁଦ୍ଧରେ କୌଣସି ଅଭିଯୋଗ ନଥାଇ କାହିଁକି ବଦଳି କରାଗଲା। ସେ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବରେ ଯୋଗଦାନ କରିବା ପରେ ଶିକ୍ଷା କ୍ଷେତ୍ରରେ ବିଦ୍ୟାଳୟର ବହୁ ଉନ୍ନତି ହୋଇଛି। ତାଙ୍କୁ ଆକ୍ରୋଶ ମୂଳକ ଭାବେ ବଦଳି କରାଯାଇଛି।
ଏଣୁ ବଦଳିକୁ ବାତିଲ କରାଯାଇ ପୁଣିଥରେ ବିଦ୍ୟାଳୟକୁ ଫେରାଇ ଆଣିବାକୁ ଦାବି ନେଇ ସୋମବାର ଦିନ ଛାତ୍ରଛାତ୍ରୀମାନେ ସ୍କୁଲ ଗେଟରେ ତାଲା ପକାଇ ପ୍ଲାକାର୍ଡ୍ ଧରି ଧାରଣାରେ ଗେଟ ସମ୍ମୁଖରେ ବସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। "ଆମର ପ୍ରଧାନ ଶିକ୍ଷକ ଆମକୁ ଫେରାଇ ଦିଅ" ବୋଲି ଛାତ୍ରଛାତ୍ରୀମାନେ ନାରାବାଜି କରିଥିଲେ।
ସେହିପରି ଛାତ୍ରଛାତ୍ରୀମାନଙ୍କ ଧାରଣାକୁ ସମର୍ଥନ କରି ଗିଗିନା ପଞ୍ଚାୟତର ସରପଞ୍ଚ ସୁଧାମୟୀ କୁମାର, ବିଜେପି ପୂର୍ବ ମଣ୍ଡଳ ସଭାପତି କିର୍ତ୍ତୀଚନ୍ଦ୍ର ମାହାର, ପରିଚାଳନା କମିଟିର ସଭାପତି ପ୍ରକାଶ ଚନ୍ଦ୍ର ପଧାନ, ସଭ୍ୟ ରାମବିଲାସ ପଧାନ, ଶମ୍ଭୁଶଙ୍କର ପଧାନ, ସଭ୍ୟା ନମିତା ନାଏକ, ରତିକା ମାଝୀ, ସୁଭଦ୍ରା କୁମାର ଓ ସୂର୍ଯ୍ୟକାନ୍ତୀ ଘିଭେଲା,
ଅଭିଭାବକ ତଥା ଗ୍ରାମବାସୀ ଉପସ୍ଥିତ ଥିଲେ। ଏହି ଖବର ନର୍ଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ତପିମଣି ଜାନୀ ଓ ଏବିଇଓ ଗୋବର୍ଦ୍ଧନ ମାଝୀ ପାଇବା ପରେ ଦିନ ୧୨ଟାରେ ପହଞ୍ଚିଥିଲେ। ସେହିପରି ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ପଲମ ଫାଣ୍ଡିରୁ ପୁଲିସ୍ କର୍ମଚାରୀ ଘଟଣାସ୍ଥଳରେ ଉପସ୍ଥିତ ଥିଲେ।
ବିଇଓ ବୁଝାଇବା ପରେ ମଧ୍ୟ ଧାରଣାରୁ ଛାତ୍ରଛାତ୍ରୀ ମାନେ ଉଠି ନଥିଲେ, ତେବେ ଘଟଣା ବାବଦରେ ଲିଖିତ ଆକାରରେ ଦେବାପାଇଁ ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କୁ କହିବା ପରେ ଦୁଇଟି ଦରଖାସ୍ତ ବିଇଓଙ୍କୁ ପ୍ରଦାନ କରିଥିଲେ। ଘଟଣାର ଶୀଘ୍ର ସମାଧାନ ନିମନ୍ତେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇବା ପାଇଁ ବିଇଓ କହିବା ପରେ ଅପରାହ୍ନ ୧ଟା ସମୟରେ ଛାତ୍ରଛାତ୍ରୀମାନେ ଗେଟ ଖୋଲି ବିଦ୍ୟାଳୟ ଭିତରକୁ ପ୍ରବେଶ କରିଥିଲେ । ସେହିପରି ସାତଦିନ ମଧ୍ୟରେ ଘଟଣାର କୌଣସି ସମାଧାନ ନହେଲେ ପୁଣି ଥରେ ତାଲାବନ୍ଦ ଚେତାବନୀ ଦେଇଛନ୍ତି।
: Kalahandi
Follow Us