Helpmecovid
କେନ୍ଦୁଝର : କେନ୍ଦୁଝର ସହର ଉପକଣ୍ଠରେ ଥିବା ଏକଲବ୍ୟ ବିଦ୍ୟାଳୟର ଛାତ୍ରାବାସରେ ବ୍ୟାପକ ଅବ୍ୟବସ୍ଥା ସାଙ୍ଗକୁ ଅନ୍ତେବାସୀଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଛି। ଅଭିଯୋଗ କଲେ ହଷ୍ଟେଲ ଛାଡ଼ି ଚାଲିଯାଅ ବୋଲି ଧମକ ଦିଆଯାଉଛି। ଯାହାକୁ ନେଇ ଅନ୍ତେବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଆଜି ବିଦ୍ୟାଳୟର ୨୦ରୁ ଊର୍ଦ୍ଧ୍ବ ଛାତ୍ର ୬ କିଲୋମିଟର ବାଟ ଚାଲିଚାଲି ଆସି ଏ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ଜିଲ୍ଲାପାଳ ଆଶିଷ ଠାକ୍ରେ ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି।
ପ୍ରାପ୍ତ ସୂଚନା ଅନୁସାରେ, ଏକଲବ୍ୟ ବିଦ୍ୟାଳୟରେ ଉଭୟ ବାଳକ ଓ ବାଳିକା ପାଇଁ ପୃଥକ ହଷ୍ଟେଲ ରହିଛି। ଛାତ୍ରାବାସରେ ଅନ୍ତେବାସୀଙ୍କୁ ଠିକ୍ ଭାବରେ ଖାଇବାକୁ ଦିଆଯାଉ ନଥିବା ଅଭିଯୋଗ ହୋଇଛି। ବିଦ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ତାଲିକା ଅନୁସାରେ ଅନ୍ତେବାସୀଙ୍କୁ ଖାଦ୍ୟ ଦିଆଯାଉ ନାହିଁ। ଅଧିକାଂଶ ଦିନ ପଖାଳ ଓ ଆଳୁଭଜା ଖାଇବାକୁ ଦିଆଯାଉଛି।
ସକାଳ ଓ ସନ୍ଧ୍ୟା ଜଳଖିଆରେ କେବଳ ବିସ୍କୁଟ ଖାଇବାକୁ ଦିଆଯାଉଛି। ନ ଖାଇଲେ ହଷ୍ଟେଲ ଛାଡ଼ି ଚାଲିଯାଅ ବୋଲି କୁହାଯାଉଛି। ବର୍ଷେ ହେବ ଛାତ୍ରାବାସର ଜେନେରେଟର ଖରାପ ହୋଇଥିଲେ ମଧ୍ୟ ତାହାକୁ ମରାମତି କରାଯାଉ ନାହିଁ। ଫଳରେ ବିଦ୍ୟୁତ୍ କାଟ ହେଲେ ଅନ୍ତେବାସୀ ଅନ୍ଧାରରେ ପାଠପଢ଼ି ପାରୁନାହାନ୍ତି। ଛାତ୍ରାବାସର କୋଠରି ଠିକ୍ରେ ସଫା କରାଯାଉ ନାହିଁ। ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଯଥା ବ୍ରସ୍, ପେଷ୍ଟ, ସାବୁନ, ତେଲ ଆଦି ନିୟମିତ ବ୍ୟବଧାନରେ ପ୍ରଦାନ କରାଯାଉ ନଥିବା ଅନ୍ତେବାସୀମାନେ ଅଭିଯୋଗ କରିଛନ୍ତି। ଏନେଇ ଅଭିଯୋଗ କଲେ ମଧ୍ୟ ବିଦ୍ୟାଳୟର ଅଧ୍ୟକ୍ଷା ଅଣଦେଖା କରୁଥିବା ଅନ୍ତେବାସୀମାନେ ଅଭିଯୋଗ କରିଛନ୍ତି।
ଏଥିରେ ଅତିଷ୍ଠ ହୋଇ ଆଜି ବିଦ୍ୟାଳୟର ୨୦ରୁ ଊର୍ଦ୍ଧ୍ବ ଦଶମ ଶ୍ରେଣୀ ଛାତ୍ର ଚାଲିଚାଲି ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଜିଲ୍ଲାପାଳ ଆଶିଷ ଠାକ୍ରେଙ୍କୁ ଭେଟି ସମସ୍ୟା ଜଣାଇଥିଲେ। ଛାତ୍ରମାନଙ୍କ ଠାରୁ ସମସ୍ୟା ଶୁଣିବା ପରେ ଜିଲ୍ଲାପାଳ ଶ୍ରୀ ଠାକ୍ରେ ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି। ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)ର ପ୍ରକଳ୍ପ ପ୍ରଶାସକ ତପନ କୁମାର ନାୟକ ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ଦାଶଙ୍କୁ ନେଇ ଏକ ତଦନ୍ତ କମିଟି ଗଠନ କରାଯାଇଛି। ଏହି କମିଟି ତଦନ୍ତ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିବ। ଅନ୍ୟପକ୍ଷରେ ଏନେଇ ବିଦ୍ୟାଳୟର ଅଧ୍ୟକ୍ଷାଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍ ନ ଉଠାଇବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନି।
Follow Us