ଛାତ୍ରଛାତ୍ରୀଙ୍କୁ ସିଲାବସ୍‌ରେ ସୀମିତ ରଖା ନ ଯାଉ: ମୁଖ୍ୟମନ୍ତ୍ରୀ

Advertisment

ଅନୁଦାନପ୍ରାପ୍ତ ବେସରକାରୀ କଲେଜରେ ଯୋଗଦେଲେ ୨୭୪ ଅଧ୍ୟାପକ

ଅନୁଦାନପ୍ରାପ୍ତ ବେସରକାରୀ କଲେଜରେ ଯୋଗଦେଲେ ୨୭୪ ଅଧ୍ୟାପକ

ଛାତ୍ରଛାତ୍ରୀଙ୍କୁ ସିଲାବସ୍‌ରେ ସୀମିତ ରଖା ନ ଯାଉ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଛାତ୍ରଛାତ୍ରୀଙ୍କୁ କେବଳ ସିଲାବସ୍‌ ଭିତରେ ସୀମିତ ରଖା ନ ଯାଉ। ସମାଜକୁ ଜାଣିବା ଲାଗି ସେମାନଙ୍କୁ ସହାୟତା ଯୋଗାଇ ଦିଅ। ବର୍ତ୍ତମାନର ସାମାଜିକ-ରାଜନୈତିକ ଘଟଣାବଳୀ ସମ୍ପର୍କରେ ଅବଗତ କର। ଓଡ଼ିଶା ଏବେ ‘ସଚେତନ ଏବଂ ପ୍ରତିକ୍ରିୟାଶୀଳ’ ଯୁବକଙ୍କୁ ଆବଶ୍ୟକ କରୁଛି। ସେମାନେ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିପାରିବେ। ରାଜ୍ୟ ଅନୁଦାନପ୍ରାପ୍ତ ବେସରକାରୀ ଡିଗ୍ରି କଲେଜରେ ନବନିଯୁକ୍ତ ୨୭୪ ଜଣ ଅଧ୍ୟାପକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏଭଳି ଦିଗଦର୍ଶନ ଦେଇଛନ୍ତି।

ଭର୍ଚୁଆଲ୍‌ରେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ କହିଲେ ଯେ କଲେଜ ଶିକ୍ଷାର ଉନ୍ନତି ତଥା ଉଚ୍ଚଶିକ୍ଷା ଇକୋ-ସିଷ୍ଟମକୁ ବୃଦ୍ଧି କରିବା କ୍ଷେତ୍ରରେ ଶିକ୍ଷକଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ। ନୂତନ ଅଧ୍ୟାପକମାନେ ଛାତ୍ରଛାତ୍ରୀଙ୍କ ଜ୍ଞାନକୁ କେବଳ ସିଲାବସ୍‌ ମଧ୍ୟରେ ସୀମିତ ରଖନ୍ତୁ ନାହିଁ। ରାଜନୀତି ବିଜ୍ଞାନ ଅଧ୍ୟାପକମାନେ ଛାତ୍ରଛାତ୍ରୀଙ୍କୁ ସମାଜରୁ ଶିଖିବାରେ ଏବଂ ବର୍ତ୍ତମାନର ସମାଜର ପ୍ରକୃତ ସାମାଜିକ-ରାଜନୈତିକ ପ୍ରସଙ୍ଗ ବୁଝିବାରେ ସାହାଯ୍ୟ କରିବେ। ଏହାଦ୍ବାରା ଯୁବପିଢ଼ି ଗଣତାନ୍ତ୍ରିକ ବ୍ୟବସ୍ଥାରେ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିପାରିବେ। ଇଂରାଜୀ ଭାଷାରେ ଗୁଣାତ୍ମକ ଶିକ୍ଷାର ଆବଶ୍ୟକତା ରହିଛି। ଇଂରାଜୀରେ ଜ୍ଞାନ ଛାତ୍ରଛାତ୍ରୀଙ୍କୁ ବିଶ୍ବସ୍ତରୀୟ ସମସ୍ୟା ଏବଂ ଆମ ଉପରେ ଏହାର ପ୍ରଭାବକୁ ଭଲ ଭାବେ ବୁଝିବାରେ ସାହାଯ୍ୟ କରିଥାଏ। ଅର୍ଥନୀତିର ଜଗତୀକରଣ ବୃଦ୍ଧି ସହ ଏହା ସେମାନଙ୍କୁ ପର୍ଯ୍ୟାପ୍ତ କୌଶଳ ଶିଖିବାରେ ସାହାଯ୍ୟ କରିପାରିବ। ଚାକିରି ବଜାରରେ ପ୍ରତିଯୋଗୀ କରାଇବ।

ସେ ଆହୁରି କହିଛନ୍ତି ଯେ ଉଚ୍ଚଶିକ୍ଷା କ୍ଷେତ୍ରରେ ଓଡ଼ିଶା ଏବେ ଅଗ୍ରଣୀ ରାଜ୍ୟ। ଏହା ବାସ୍ତବରେ ଉଚ୍ଚଶିକ୍ଷାର ଏକ କେନ୍ଦ୍ର ପାଲଟିଛି। ଯେଉଁଥିରେ ବୈଷୟିକ ଜ୍ଞାନକୌଶଳ ଓ ବୃତ୍ତିଗତ ଅନୁଷ୍ଠାନଗୁଡ଼ିକ ରାଜ୍ୟରେ ସେମାନଙ୍କ କେନ୍ଦ୍ର ଖୋଲୁଛନ୍ତି। ତଥାପି, ଯୁବକମାନେ ସମାଜକୁ ବୁଝିବା, ସମାଜରେ ପରିବେଶ ପରିବର୍ତ୍ତନର ଆହ୍ୱାନର ସମ୍ମୁଖୀନ ହେବାକୁ କୌଶଳ ଶିଖିବା ପାଇଁ ପାରମ୍ପରିକ ଡିଗ୍ରି ଶିକ୍ଷା ଜରୁରୀ। ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ଖାଲି ଶିକ୍ଷକ ପଦବି ପୂରଣ ପାଇଁ ନିଯୁକ୍ତି ଡ୍ରାଇଭ୍ ଆରମ୍ଭ ହୋଇଛି। ନିୟମିତ ବ୍ୟବଧାନରେ ନିଯୁକ୍ତି ହେବା ଦ୍ବାରା ଶିକ୍ଷକ-ଛାତ୍ର ଅନୁପାତରେ ବୃଦ୍ଧି ଘଟିଛି। ଟେକ୍ନୋଲୋଜିର ପ୍ରୟୋଗ ସହିତ ନିଯୁକ୍ତି ପ୍ରକ୍ରିୟା ବର୍ତ୍ତମାନ ସ୍ୱଚ୍ଛ ହୋଇପାରିଛି। ଜ୍ଞାନ ଓ କୌଶଳ ଦ୍ବାରା ଏହି ବୃତ୍ତିର ସମ୍ମାନ ଓ ପବିତ୍ରତା ରକ୍ଷା କରିବା ସହ ନବନିଯୁକ୍ତ ଅଧ୍ୟାପକ ଆବଶ୍ୟକ ଲକ୍ଷ୍ୟ ହାସଲ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ।

ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଯୋଗଦେଇ ଗୁଣାତ୍ମକ ଉଚ୍ଚଶିକ୍ଷା ସହ ଛାତ୍ରଛାତ୍ରୀଙ୍କୁ ବିଶ୍ବସ୍ତରୀୟ ସୁବିଧା ସୁଯୋଗ ଯୋଗାଇବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଗୁରୁତ୍ବାରୋପ କରିଥିଲେ। ଉନ୍ନୟନ କମିସନର ପି କେ ଜେନା ଅନ୍ୟତମ ଅତିଥି ଭାବେ ଯୋଗଦେଇ ଦିଗଦର୍ଶନ ପ୍ରଦାନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି କେ ପାଣ୍ଡିଆନ ନବନିଯୁକ୍ତ ଅଧ୍ୟାପକଙ୍କ ସହ ଆଲୋଚନା କରିଥିଲେ। ଉଚ୍ଚଶିକ୍ଷା ସଚିବ ବିଷ୍ଣୁପଦ ସେଠୀ ସ୍ବାଗତ ଭାଷଣ ଦେଇଥିବା ବେଳେ ଅତିରିକ୍ତ ସଚିବ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଅଧ୍ୟାପକ ନାଫିଶା ଅଲ୍ଲୀ, ରୋହିତ ପାରାଭୋଇ, ନିବେଦିତା ପଟେଲ ନିଯୁକ୍ତି ପ୍ରକ୍ରିୟା ସମ୍ପର୍କରେ ବର୍ଣ୍ଣନା କରିଥିଲେ। ନବନିଯୁକ୍ତ ୨୭୪ ଅଧ୍ୟାପକଙ୍କ ମଧ୍ୟରେ ଇଂରାଜୀର ୧୫୬, ରାଜନୀତି ବିଜ୍ଞାନର ୧୧୭ ଓ ଗଣିତର ଜଣେ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe