କେବେ ଉଦ୍ଧାର ହେବେ କୋଟାରେ ଫସିଥିବା ଛାତ୍ରଛାତ୍ରୀ?

Advertisment

ଫସିଛନ୍ତି ଓଡ଼ିଶାର ପ୍ରାୟ ୨୫୦୦, ରାଉରକେଲାର ୧୨୩

ଫସିଛନ୍ତି ଓଡ଼ିଶାର ପ୍ରାୟ ୨୫୦୦, ରାଉରକେଲାର ୧୨୩

କେବେ ଉଦ୍ଧାର ହେବେ କୋଟାରେ ଫସିଥିବା ଛାତ୍ରଛାତ୍ରୀ?

ମାସେ ହେଲା ଠିକ୍‌ରେ ଖାଇବାକୁ ମିଳୁନି
ପାଣି ପାଇଁ ଚାଲି ଚାଲି ଯାଉଛନ୍ତି ଦୂରକୁ
ରାଜ୍ୟ ସରକାର ଚୁପ୍‌ ବସିଛନ୍ତି କାହିଁକି?

ରାଉରକେଲା : ‘ଖାଇବାକୁ ଠିକ୍‌ରେ ମିଳୁନି। ଯାହାବି ମିଳୁଛି, ତାହା ଖାଇବା ଯୋଗ୍ୟ ନୁହେଁ। ମାତ୍ର ଅନ୍ୟ କୌଣସି ବିକଳ୍ପ ନଥିବାରୁ ଅନିଚ୍ଛା ସତ୍ତ୍ବେ ଖାଇବାକୁ ବାଧ୍ୟ ହେଉଛୁ। ପିଇବା ପାଣି ପାଇଁ ଦୂରରେ ଥିବା କୋଚିଂ ସେଣ୍ଟର୍‌କୁ ଯିବାକୁ ପଡ଼ୁଛି। ପାଣି ପାଇଁ ଗଲାବେଳେ ବି ଡର ରହୁଛି। ପୁଲିସ ହାତରେ ଧରାପଡ଼ିଯିବାର ଭୟ ରହୁଛି। ସଂକ୍ରମଣ ହେବାର ବି ଆଶଙ୍କା ରହୁଛି। ଶହ ଶହ ଛାତ୍ରଛାତ୍ରୀ ରହୁଥିବା ହଷ୍ଟେଲରେ ଏବେ ହାତଗଣତି ୧୦/୧୨ ଜଣ ଲେଖାଏଁ ରହୁଛୁ। ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ ଆଦି ରାଜ୍ୟର ଛାତ୍ରଛାତ୍ରୀ ସେମାନଙ୍କ ସରକାରଙ୍କ ସହାଯୋଗରେ ନିଜ ନିଜ ଘରକୁ ଫେରିଗଲେଣି। ଏବେ ହଷ୍ଟେଲରେ କେବଳ ଓଡ଼ିଶା, ବିହାର ଓ ଦକ୍ଷିଣ ଭାରତର କିଛି ଛାତ୍ର ଅଛନ୍ତି। ବିହାର ଓ ଦକ୍ଷିଣ ଓଡ଼ିଶାର ଛାତ୍ରଛାତ୍ରୀ ବି ୨/୩ ଦିନ ଭିତରେ ନିଜ ନିଜ ଘରକୁ ଫେରିଯିବେ। ତାପରେ କେବଳ ଆମେ ହିଁ ଏଠାରେ ରହିଯିବୁ। ସବୁ ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାରଙ୍କଠାରୁ ଆରମ୍ଭକରି ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ, ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଏଯାଏ ଆମକୁ ଉଦ୍ଧାର କରିବାକୁ କେହି ଆଗେଇ ଆସୁନାହାନ୍ତି।

କୋଟାରୁ ଫୋନ୍ କରି ଏଭଳି ଭାବେ ନିଜ ଦୁଃଖ ବଖାଣିଛନ୍ତି ରାଜସ୍ଥାନ କୋଟାରେ ଫସି ରହିଥିବା ଓଡ଼ିଶାର ପ୍ରାୟ ଅଢ଼େଇ ହଜାର ଛାତ୍ର ଛାତ୍ରୀ। ଏମାନଙ୍କ ମଧ୍ୟରେ ରାଉରକେଲାର ପ୍ରାୟ ୧୨୩ ଜଣ ଛାତ୍ରଛାତ୍ରୀ ଥିବା ଜଣାପଡ଼ିଛି।

ରାଜସ୍ଥାନ କୋଟାରେ ଡାକ୍ତରୀ, ଇଞ୍ଜିନିଅରିଂ ଆଦି କୋଚିଂ ନେଉଥିବା ଓଡ଼ିଶାର ପ୍ରାୟ ଅଢ଼େଇ ହଜାର ଛାତ୍ରଛାତ୍ରୀ ଭିନ୍ନ ଭିନ୍ନ ହଷ୍ଟେଲରେ ରହୁଛନ୍ତି। ଲକ୍‌ଡାଉନ୍‌ ଆରମ୍ଭ ହେବାପରେ କୋଚିଂ ସେଣ୍ଟର୍‌ରେ ଶିକ୍ଷାଦାନ ବନ୍ଦ ହୋଇଯାଇଥିଲା। ଏମିତିକି ଗାଡ଼ି, ଟ୍ରେନ୍‌, ବିମାନ ସେବା ଚଳାଚଳ ବି ବନ୍ଦ ରହିବାରୁ ଏମାନେ ଆଉ ଘରକୁ ଫେରି ପାରି ନ ଥିଲେ। ଫଳରେ ନିଜ ନିଜ ହଷ୍ଟେଲରେ ରହିଥିଲା। ଦେଶର ଅନ୍ୟ ରାଜ୍ୟ ଭଳି ରାଜସ୍ଥାନରେ ବି ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ଏମାନଙ୍କ ସ୍ଥିତି ଆହୁରି ଦୟନୀୟ ହୋଇଛି। ଠିକ୍‌ରେ ଖାଇବାକୁ ବି ଦିଆ ଯାଉନାହିଁ କି ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ବି କରା ଯାଉନାହିଁ। ଏ ନେଇ ଛାତ୍ରଛାତ୍ରୀ ନିଜ ନିଜ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପ୍ରଥମେ ଉତ୍ତରପ୍ରଦେଶ ସରକାର ଗୋଟିଏ ଦିନରେ ୩ ଶହ ବସ୍‌ ପଠାଇ ରାଜ୍ୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ନେଇ ଯାଇଥିଲେ। ଏହାପରେ ମହାରାଷ୍ଟ୍ର, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ ଆଦି ବିଭିନ୍ନ ରାଜ୍ୟର ସରକାର ସେମାନଙ୍କର ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିଥିଲେ। ବର୍ତ୍ତମାନ କୋଟାରେ କେବଳ ଓଡ଼ିଶା, ବିହାର ଓ ଦକ୍ଷିଣ ଭାରତର କିଛି ଛାତ୍ରଛାତ୍ରୀ ଫସି ରହିଛନ୍ତି।

ଏହାବାଦ୍‌ ମେ’ ପ୍ରଥମ ସପ୍ତାହରୁ ରାଜସ୍ଥାନ ସରକାର ଅନ୍ୟ ରାଜ୍ୟରେ ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବେ। ଯଦି ଏହା ଆରମ୍ଭ ହୋଇଯାଏ, ତାହେଲେ କରୋନା ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା ଦ୍ବିଗୁଣିତ ହେବା ନିଶ୍ଚିତ। ଏଣୁ ସ୍ଥିତି ଆହୁରି ଭୟଙ୍କର ହେବା ସହ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର ବି ଅସମ୍ଭବ ହୋଇପଡ଼ିବ।

ରାଉରକେଲାର କିଛି ଅଭିଭାବକ କହିଛନ୍ତି, ଉଦ୍ଧାର ନେଇ ସେମାନେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ, ସ୍ଥାନୀୟ ଲୋକ ପ୍ରତିନିଧି, ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିସାରିଛନ୍ତି। ଏମିତିକି ସେମାନେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ସମସ୍ତଙ୍କୁ ଉଦ୍ଧାର କରିବାକୁ ନେହୁରା ବି ହୋଇଛନ୍ତି। ତଥାପି କୌଣସି ସୁଫଳ ମିଳିନି। ଫଳରେ ଭାଗ୍ୟକୁ ଆଦରି ‌ସେମାନଙ୍କ ପୁଅଝିଅମାନେ କୋଟାରେ ପଡ଼ିରହିଛନ୍ତି।

କୋଟାରେ ଫସି ରହିଥିବା ରାଉରକେଲାର ଛାତ୍ରୀ ରୋଷିତା ପଣ୍ଡା କହିଛନ୍ତି, ‘‘ସ୍ଥିତି ସଙ୍ଗିନ ହେଲାଣି। ଏଠାରେ ଠିକ୍‌ରେ ଖାଇବାକୁ ଦିଆଯାଉନଥିବାବେଳେ ପାନୀୟ ଜଳର ବି ଘୋର ଅସୁବିଧା। ଉଦ୍ଧାର ପାଇଁ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ସୁଦ୍ଧା ରାଜ୍ୟ ସରକାରଙ୍କ ଦୃଷ୍ଟି ପଡ଼ୁନି। ସ୍ଥିତି ଅସମ୍ଭାଳ ହେବା ପୂର୍ବରୁ ସମସ୍ତଙ୍କୁ ଉଦ୍ଧାର କରାଯାଉବୋଲି ରୋଷିତା ନିବେଦନ କରିଛନ୍ତି।’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe