ଐତିହାସିକ ଘଟଣା: ଶିଶୁଦିବସରେ ହାଇକୋର୍ଟ ବୁଲିଲେ ଛାତ୍ରଛାତ୍ରୀ

ମୁଖ୍ୟ ବିଚାରପତିଙ୍କ ଚାମ୍ବର, କୋର୍ଟ ଦେଖିଲେ; ଜୁଡିସିଆଲ ଏକାଡେମିରେ ଆଲୋଚନା

ଐତିହାସିକ  ଘଟଣା: ଶିଶୁଦିବସରେ ହାଇକୋର୍ଟ ବୁଲିଲେ ଛାତ୍ରଛାତ୍ରୀ

କଟକ : ଓଡ଼ିଶା ହାଇକୋର୍ଟ ରବିବାର ଦିନ ଶିଶୁଦିବସରେ ଏକ ଐତିହାସିକ ପଦକ୍ଷେପ ନେଇଛି। ପ୍ରଥମଥର ପାଇଁ ରେଭେନ୍ସା ଜୁନିଅର୍ କଲେଜର ୨୫ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ହାଇକୋର୍ଟ ରବିବାର ଖୋଲିଥିଲା। ହାଇକୋର୍ଟର ଉଭୟ ପୁରୁଣା ଓ ନୂଆ କୋଠାରେ ଥିବା ମୁଖ୍ୟ ବିଚାରପତିଙ୍କ କୋର୍ଟ ଓ ଚାମ୍ବର ଛାତ୍ରଛାତ୍ରୀମାନେ ସେମାନଙ୍କ ଅଧ୍ୟାପକ ଅଧ୍ୟାପିକାଙ୍କ ସହିତ ବୁଲି ଦେଖିଥିଲେ। ହୋଇକୋର୍ଟରେ ନ୍ୟାୟ ପ୍ରଦାନର ପ୍ରକ୍ରିୟା କିଭଳି ଚାଲିଛି, ମୁଖ୍ୟତଃ ସେ ସମ୍ପର୍କରେ ଛାତ୍ରଛାତ୍ରୀମାନେ ଜାଣିବାକୁ ପାଇଥିଲେ।

ସୂଚନା ଅନୁଯାୟୀ, ଶିଶୁ ଦିବସ ଅବସରରେ ରବିବାର ଦିନ ରେଭେନ୍ସା ଜୁନିଅର୍ କଲେଜର ୨୫ ଛାତ୍ରଛାତ୍ରୀଙ୍କ ସମେତ ଅଧ୍ୟାପକ, ଅଧ୍ୟାପିକା ସକାଳ ପ୍ରାୟ ୯ଟା ୩୦ରୁ ଦିନ ପ୍ରାୟ ୧୨ଟା ୩୦ ପର୍ଯ୍ୟନ୍ତ ହାଇକୋର୍ଟ, ବାର୍ ଆସୋସିଏସନ, ରାଜ୍ୟ ଆଇନସେବା ପ୍ରାଧିକରଣ ଓ ଓଡ଼ିଶା ଜୁଡିସିଆଲ୍ ଏକାଡେମି ବୁଲିଥିଲେ। ସକାଳେ ପ୍ରଥମେ ପୁରୁଣା କୋଠାରେ ଛାତ୍ରଛାତ୍ରୀ ପହଞ୍ଚିଥିଲେ। ସେଠାରେ ଡକ୍ଟର ବି.ଆର୍ ଆମ୍ବେଦକର, ଉତ୍କଳ ଗୌରବ ମଧୁସୂଦନ ଦାସ ଏବଂ ଓଡ଼ିଶା ହାଇକୋର୍ଟର ପ୍ରଥମ ମୁଖ୍ୟ ବିଚାରପତି ଜଷ୍ଟିସ ବୀରକିଶୋର ରାୟଙ୍କ ପ୍ରତିମୂର୍ତ୍ତି ଦେଖିବା ସହିତ ସେମାନଙ୍କ ଜୀବନୀ ସମ୍ପର୍କରେ ଜାଣିବାକୁ ପାଇଥିଲେ। ପୂର୍ବତନ ମୁଖ୍ୟ ବିଚାରପତି ଏବଂ ଜଜ୍‌ଙ୍କ ଫଟୋ ଗ୍ୟାଲେରି ବୁଲି ଦେଖିବା ସହ ଛାତ୍ରଛାତ୍ରୀମାନେ ହାଇକୋର୍ଟ ପରିସରରେ ବୁଲିବା ସମୟରେ ବିଚାର ବ୍ୟବସ୍ଥା, ବିଚରପତି, ଆଇନଜୀବୀ, କୋର୍ଟ କାର୍ଯ୍ୟ, ନ୍ୟାୟ ପ୍ରଦାନ ପ୍ରକ୍ରିୟା ସମ୍ପର୍କରେ ଜାଣିବାକୁ କୌତୂହଳ ସୃଷ୍ଟି ହୋଇଥିଲା। ଏ ସମ୍ପର୍କରେ ଆଇନଜୀବୀ ବିଭୁପ୍ରସାଦ ତ୍ରିପାଠୀ, ପମି ରଥ, ଶାଶ୍ବତ ଆଚାର୍ଯ୍ୟ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ। ହାଇକୋର୍ଟ ବାର୍ ଆସୋସିଏସନର କର୍ମକର୍ତ୍ତା ଓ ଯୁବ ଆଇନଜୀବୀଙ୍କ ସହିତ ବାର୍ କାର୍ଯ୍ୟ ଓ ଭୂମିକା ସମ୍ପର୍କରେ ଜାଣିବାକୁ ଚାହିଁଥିଲେ। ଏହାପରେ ରାଜ୍ୟ ଆଇନସେବା ପ୍ରାଧିକରଣ ଓ ଓଡ଼ିଶା ଜୁଡିସିଆଲ୍ ଏକାଡେମିକୁ ଯାଇଥିଲେ। ଜୁଡିସିଆଲ୍ ଏକାଡେମିରେ ଜୁଡିସିଆଲ୍ ଅଫିସର ଓ ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ. ମୁରଲୀଧରଙ୍କ ସହିତ ଛାତ୍ରଛାତ୍ରୀମାନେ ଆଲୋଚନା କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାଙ୍କ ପାଇଁ ମଧ୍ୟାହ୍ନଭୋଜନର ବ୍ୟବସ୍ଥା କରାଯାଇଥିଲା।

କାର୍ଯ୍ୟକ୍ରମକୁ ଓଡ଼ିଶା ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ ଚିତ୍ତରଞ୍ଜନ ଦାସ ସଂଯୋଜନା କରିଥିଲେ।

ହାଇକୋର୍ଟ ରେଜିଷ୍ଟ୍ରାର (ଜୁଡ଼ିସିଆଲ୍) ସୁମନ କୁମାର ମିଶ୍ର, ଜୁଡିସିଆଲ ଏକାଡେମିର ନିର୍ଦ୍ଦେଶକ ଡକ୍ଟର ମାନସ ରଞ୍ଜନ ବାରିକ, ହାଇକୋର୍ଟ ବାରର ଉପସଭାପତି ଦେବୀପ୍ରସାଦ ଦାଶ ଏବଂ କୋର୍ଟର ସବୁ ବିଚାରବିଭାଗୀୟ ଅଧିକାରୀ, ରେଭେନ୍ସା ଜୁନିଅର୍ କଲେଜର ପ୍ରିନସିପାଲ୍ ପୁଷ୍ପାଞ୍ଜଳି ପଟ୍ଟନାୟକ, ଡକ୍ଟର ସ୍ମରଣିକା ଦାସ, ପ୍ରତିଭାରାଣୀ ପାଢ଼ୀ ଏହି ଅବସରରେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe