Studio NR Photograph: (sambad.in)
ଭୁବନେଶ୍ବର: କଳା, ସାହିତ୍ୟ, ସଂଗୀତ, ସୃଜନର ପେଣ୍ଠସ୍ଥଳୀ ସାଜିବ ଷ୍ଟୁଡିଓ ଏନଆର୍ । ଲାଗିବ କବି, ଲେଖକ ଓ ଶ୍ରୋତାଙ୍କ ଭିଡ଼ । ଓଡ଼ିଆ ସାହିତ୍ୟ ଓ ସଂଗୀତରେ କିଛି ପରୀକ୍ଷା ନିରୀକ୍ଷା କରିବାର ଲକ୍ଷ୍ୟ ନେଇ ପଟିଆ କଳାରାହଙ୍ଗ ଆକ୍ସିସ୍ ବ୍ୟାଙ୍କ ନିକଟରେ ଲୋକାର୍ପିତ ହୋଇଛି ଷ୍ଟୁଡିଓ ଏନଆର୍ । ଯେଉଁଥିରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ବିଶିଷ୍ଟ ସଂଳାପ ଲେଖକ ବିଜୟ ମଲ୍ଲ ।
ବରିଷ୍ଠ କଣ୍ଠଶିଳ୍ପୀ ଶରତ ନାୟକ, ବିଶିଷ୍ଟ କବି ସୁରେନ୍ଦ୍ର ପାଣିଗ୍ରାହୀ, ଓଡ଼ିଆ ସିନେମା "କାନ୍ଦ ମାଷ୍ଟ୍ରେ"ର ସଂଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ସାନ୍ତନୁ ନାୟକ ଏବଂ ଗୀତିକାର ସନ୍ତୋଷ କୁମାର ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଓଡ଼ିଆ ଚଳଚ୍ଚିତ୍ର ଏବଂ କବିତା, କବିତାରୁ ଗୀତ ରଚନା ସମ୍ପର୍କରେ କହିଥିବା ବେଳେ ଷ୍ଟୁଡିଓ ଏନଆରର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଷ୍ଟୁଡିଓ ଏନଆରର ପ୍ରତିଷ୍ଠାତା ପତିତପାବନ ପାଣିଙ୍କ ଅନନ୍ୟ ପ୍ରଚେଷ୍ଟାକୁ ସମସ୍ତେ ପ୍ରଶଂସା କରିଥିଲେ ।
ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଓଡ଼ିଆ ଚଳଚ୍ଚିତ୍ର "ମନ୍ତ୍ର ମୁଗ୍ଧ"ର କଳାକାର ନିଶାନ୍ତ ମାଜିଠିଆ, ମନ୍ମୟ ଦେ, ଗୋପାଳ ଚନ୍ଦ୍ର ଘଡ଼ାଇ ଆଦି ଯୋଗ ଦେଇ ଓଡ଼ିଆ ଚଳଚ୍ଚିତ୍ର ଏବଂ ଓଡ଼ିଆ ସାହିତ୍ୟ ସମ୍ପର୍କରେ ମତ ରଖିଥିଲେ । ତେବେ ଷ୍ଟୁଡିଓ ଏନଆରରେ ଆଗାମୀ ଦିନରେ କବିତା ଆସର, ଓପନ୍ ମାଇକ୍, ଷ୍ଟାଣ୍ଡଅପ୍ କମେଡ଼ି, ପୁସ୍ତକ ଉନ୍ମୋଚନ, ପୋଡ଼କାଷ୍ଟ, ସାମ୍ବାଦିକ ସମ୍ମିଳନୀ,ବିଜ୍ଞାପନ ସୁଟିଂ ଆଦି କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏହି ଉନ୍ମୋଚନ ପର୍ବରେ ବହୁ ଲେଖକ, ସାହିତ୍ୟିକ ଏବଂ ସଙ୍ଗୀତ ଓ ସିନେମାପ୍ରେମୀ ସାମିଲ ହୋଇଥିଲେ । ସହ ପ୍ରତିଷ୍ଠାତା ଶୀତଲ ମିଶ୍ର ଅତିଥି ସମ୍ଭାଷଣ ସହ ଷ୍ଟୁଡିଓ ଏନଆରର ଲକ୍ଷ୍ୟ ବିଷୟରେ ଅବଗତ କରାଇଥିଲେ ।
Follow Us