କଳିଙ୍ଗନଗର ଶିଳ୍ପାଞ୍ଚଳରେ ପରିବେଶବିତ୍‌ଙ୍କ ପ୍ରଦୂଷଣ ସମସ୍ୟା ଅନୁଧ୍ୟାନ

କଳିଙ୍ଗନଗର ଶିଳ୍ପାଞ୍ଚଳରେ ପରିବେଶବିତ୍‌ଙ୍କ ପ୍ରଦୂଷଣ ସମସ୍ୟା ଅନୁଧ୍ୟାନ

ଦାନଗଦୀ: କଳିଙ୍ଗନଗର ଶିଳ୍ପାଞ୍ଚଳରେ ପ୍ରଦୂଷଣ ଉତ୍କଟରୂପ ଧାରଣ କରୁଛି। ଏନେଇ ବାରମ୍ବାର ହେଉଥିବା ଅଭିଯୋଗ ସମ୍ପର୍କରେ ସାମାଜିକ କର୍ମୀ ଓ ବୁଦ୍ଧିଜୀବୀଙ୍କ ଏକ ପ୍ରତିନିଧି ଦଳ ଶୁକ୍ରବାର ଶିଳ୍ପାଞ୍ଚଳର ବିଭିନ୍ନ ସ୍ଥାନ ବୁଲି ଦେଖିଛନ୍ତି। ପ୍ରତିନିଧି ଦଳରେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲରେ ମାମଲା ଲଢୁଥିବା ୩ଜଣ ବରିଷ୍ଠ ଓକିଲ ଓ ରାଜ୍ୟର ୪ଜଣ ବରିଷ୍ଠ ସାମାଜିକ କର୍ମୀ ସାମିଲ ଥିଲେ।

ପ୍ରଦୂଷଣ ନେଇ ଗ୍ରୀନ ଟ୍ରିବ୍ୟୁନାଲରେ ଏକାଧିକ ମାମଲା ହୋଇଥିବାବେଳେ ଏହା ଉପରେ ଅଙ୍କୁଶ ଲାଗୁ ନଥିବା ଅଭିଯୋଗ ହେଉଛି। ଏହାର ସତ୍ୟାସତ୍ୟ ଅନୁସନ୍ଧାନ କରିବା ସହ ସ୍ଥିତାବସ୍ଥା ପରଖିବାକୁ ଏହି ପ୍ରତିନିଧି ଦଳ ଶିଳ୍ପାଞ୍ଚଳର ସର୍ବାଧିକ ପ୍ରଦୂଷିତ ସ୍ଥାନ ବୁଲି ଦେଖିଥିଲେ।ଏହି ଦଳରେ ଲୋକଶକ୍ତି ଅଭିଯାନର ସଭାପତି ପ୍ରଫୁଲ୍ଲ ସାମନ୍ତରା, ସମ୍ପାଦକ କଲ୍ୟାଣ ଆନନ୍ଦ, ଓଡ଼ିଶା ଜନ ଅଧିକାର ପରିଷଦ ସଭାପତି ବିଜୟ କୁମାର ପରିଡ଼ା, ସମ୍ପାଦକ ବାଇଧର ବିଶ୍ୱାଳ, ଜାତୀୟ ସବୁଜ ପ୍ରାଧିକରଣର ବରିଷ୍ଠ ଓକିଲ ରିତ୍ବିକ ଦତ୍ତ, ରାକେଶ ସିଂ ଓ ରାହୁଲ ଚୌଧୁରୀ ଶିଳ୍ପଜନିତ ପ୍ରଦୂଷଣ ସମ୍ପର୍କରେ ସର୍ବେକ୍ଷଣ କରିବା ସହିତ ବାସ୍ତବତା ପରଖିଥିଲେ। ଗସ୍ତ ସମୟରେ କଳିଙ୍ଗନଗର ଶିଳ୍ପାଞ୍ଚଳ ଅନ୍ତର୍ଗତ ସୁକିନ୍ଦା ରୋଡ୍‌ ରେଳବାଇ ସାଇଡିଂ, ସୁଆଁଳ ଓ କୁଡୁମିସାହି ଗସ୍ତକରି ପ୍ରଦୂଷଣ ସମ୍ପର୍କରେ ପ୍ରତିନିଧି ଦଳ ତଥ୍ୟ ସଂଗ୍ରହ କରିଛନ୍ତି।

ବାୟୁ ପ୍ରଦୂଷଣରେ ଲୋକେ ଆକ୍ତାମାକ୍ତା ହେଉଥିଲେ ମଧ୍ୟ ଶିଳ୍ପାଞ୍ଚଳର ମାନପୁର ଛକ, ତେଲିବାହାଳି ଛକ, ମଙ୍ଗଳପୁର, ମୈଥାନ ଛକ, ବିଆରପିଏଲ ସମ୍ମୁଖ ଛକ, ରାବଣା ଛକ, ଦିଗାମ୍ବରପୁର ଛକ, ରୋହିତ ଫେରୋଟେକ ସମ୍ମୁଖ ରାସ୍ତା ଓ ଭିସାଠାରୁ ଜିନ୍ଦଲ ପର୍ଯ୍ୟନ୍ତ ରହିଥିବା କମନ କରିଡର ରାସ୍ତାରେ ଅଦ୍ୟାବଧି ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ତରଫରୁ ପ୍ରଦୂଷଣ ମାପକ ଯନ୍ତ୍ର ସ୍ଥାପନ କରାଯାଇନାହିଁ। ଏହାକୁ ନେଇ ପ୍ରତିନିଧି ଦଳ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ସାମାଜିକ କର୍ମୀଙ୍କ ଗସ୍ତ ସମ୍ପର୍କରେ ଅଧିକ ଜାଣିବାକୁ ପ୍ରଦୂଷଣ ବିଭାଗର ଆଞ୍ଚଳିକ ଅଧିକାରୀଙ୍କୁ ପଚାରିବାରୁ ଏହା କୌଣସି ସରକାରୀ ଗସ୍ତ ହୋଇ ନଥିବାରୁ ତାଙ୍କ ପାଖରେ କୌଣସି ତଥ୍ୟ ନଥିବା କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe