ମହିଳା ପୁଲିସଙ୍କ ଚ୍ୟାଲେଞ୍ଜକୁ ନେଇ ହେବ ଅଧ୍ୟୟନ: ଭେଦଭାବଠାରୁ ନିର୍ଯାତନାର ସତ୍ୟତା ଖୋଜାହେବ

Advertisment
ମହିଳା ପୁଲିସଙ୍କ ଚ୍ୟାଲେଞ୍ଜକୁ ନେଇ ହେବ ଅଧ୍ୟୟନ: ଭେଦଭାବଠାରୁ ନିର୍ଯାତନାର ସତ୍ୟତା ଖୋଜାହେବ

ଭୁବନେଶ୍ବର: ମହିଳା ପୁଲିସ କଥା କହିଲେ ଜୟ ଗଙ୍ଗାଜଲରେ ପ୍ରିୟଙ୍କା ଚୋପ୍ରା, ମର୍ଦାନୀର ରାନୀ ମୁଖାର୍ଜି କିମ୍ବା ଦୃଶ୍ୟମରେ ତବୁଙ୍କ ଅଭିନୀତ ଦମଦାର ଚରିତ୍ରଗୁଡ଼ିକ ବଲିଉଡ଼ ପ୍ରେମୀଙ୍କ ମନରେ ଭାସି ଆସେ। ଏହି ଚରିତ୍ରଗୁଡ଼ିକ ଅପରାଧୀଙ୍କ ଲଢିବା ବେଳେ ଯେଉଁ ଚ୍ୟାଲେଞ୍ଜର ସମ୍ମୁଖୀନ ହୁଅନ୍ତି ତାହା ଚଳଚିତ୍ରରେ ପ୍ରଦର୍ଶିତ ହୁଏ। ବାସ୍ତବିକତା କ୍ଷେତ୍ରରେ ଆଇପିଏସ ଠାରୁ କନେଷ୍ଟବଳ ପର୍ଯ୍ୟନ୍ତ ମହିଳା ପୁଲିସ ଫିଲ୍ଡ ସହିତ ନିଜ ବିଭାଗରେ ମଧ୍ୟ ଅନେକ ଭେଦଭାବ ଏବଂ ଶୋଷଣର ଶିକାର ହେଉଥିବା ନେଇ ଅଭିଯୋଗ ହୁଏ। ଏହାକୁ ନେଇ ଅଧ୍ୟୟନ ଆରମ୍ଭ କରିଛି ସିଏସଏନଆର(ସେଣ୍ଟର ଫର ସଷ୍ଟେନେବଲ ୟୁସ ଅଫ ନେଚୁରାଲ ଆଣ୍ଡ ସୋସିଆଲ ରିସୋର୍ସ)। ଓଡ଼ିଶା ସମେତ ଝାରଖଣ୍ଡ, ବିହାର ଛତିଶଡ଼ରେ ଏହି ଅଧ୍ୟୟନ ହେବ। ଡିସେମ୍ବର ସୁଦ୍ଧା ରିପୋର୍ଟ ଆସିବା ପରେ ରାଜ୍ୟ ସରକାର ଏବଂ ଡିଜିଙ୍କୁ ଦିଆଯିବ ବୋଲି ସିଏସଏନଆର କହିଛି।

ରାଜ୍ୟରେ ମହିଳା ପୁଲିସଙ୍କ ସଂଖ୍ୟା ଯେତେ ବଢିବ ମହିଳା ସୁରକ୍ଷିତ ରହିବେ ଏବଂ ନିଜ ଅଭିଯୋଗ କହିବାକୁ ସାହାସ କରିବେ। ଏଥିପାଇଁ ପୁଲିସ ଫୋର୍ସରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ ବ୍ୟବସ୍ଥା ରହିଛି। ଓଡ଼ିଶାରେ ମାତ୍ର ୯.୦୮ ପ୍ରତିଶତ ଅର୍ଥାତ ୭୪ ହଜାର ୩୫୯ ଜଣଙ୍କ ମଧ୍ୟରୁ ୫୮୪୭ ମହିଳା ପୁଲିସ ଅଛନ୍ତି। ଏହି ମହିଳା ପୁଲିସଙ୍କ ନିଜ ଅଧିକାର ସୁରକ୍ଷିତ ନହେଲେ ସେମାନେ ଅନ୍ୟମାନଙ୍କ କିଭଳି କାର୍ଯ୍ୟ କରିବେ ତାହା ଦେଖିବା ଗୁରୁତ୍ବପୂର୍ଣ୍ଣ। ପ୍ରଶିକ୍ଷଣ ସମୟରୁହିଁ ସେମାନେ ବିଭିନ୍ନ ପ୍ରକାର ଭେଦଭାବର ଶିକାର ହେଉଥିବା ଦେଖାଯାଏ। କାର୍ଯ୍ୟରେ ଯୋଗଦାନ ପରେ ଏହା ଆହୁରି ବୃଦ୍ଧି ପାଏ। ୮ରୁ ୧୦ ଘଣ୍ଟା ଏପରିକି ୧୨ ଘଣ୍ଟା ଧରି ଥାନାରେ ବିତାଉଥିବା ମହିଳା ପୁଲିସଙ୍କ ପାଇଁ ସେହି ଥାନାରେ ହିଁ ସ୍ବତନ୍ତ୍ର ଶୌଚାଳୟ ଭଳି ନ୍ୟୁନତମ ସୁବିଧା ନଥାଏ। ଫିଲ୍ଡରେ କାର୍ଯ୍ୟ କରୁଥିବା ପୁଲିସଙ୍କ ପାଇଁ ସ୍ବତନ୍ତ୍ର ବାରାକ ରହିବା କଥା। ଯେପରି ସେମାନେ କଷ୍ଟଦାୟକ ଡ୍ୟୁଟିରୁ ଆସି ରେଷ୍ଟ ନେଇ ପାରିବେ। ମାତ୍ର କୌଣସି ମହିଳା ଥାନା ବା ପୋଲିସଙ୍କ ପାଇଁ ଏହି ବାରାକ ନଥିବା ନେଇ ଅଭିଯୋଗ ହୁଏ। ମହିଳା କର୍ମଚାରୀଙ୍କ ସୁରକ୍ଷା ପାଇଁ ଅଭିଯୋଗ କମିଟି ରହିବା ପାଇଁ ନିର୍ଦେଶ ରହିଛି। ଅଧିକାଂଶ ଥାନାରେ ଏହା ନାହିଁ।

ଏଥିସଂକ୍ରାନ୍ତରେ କୌଣସି ସୂଚନା ଫଳକ ମଧ୍ୟ ଥାନାରେ ଦେଖିବାକୁ ମିଳେ ନାହିଁ। କିଛି ଜିଲ୍ଲାର ଏସପି କାର୍ଯ୍ୟାଳୟରେ କମିଟି ଥିଲେ ମଧ୍ୟ ଏହାର ନିୟମିତ ବୈଠକ ହୁଏ ନାହିଁ। ଯଦ୍ବାରା ବିଭିନ୍ନ ପ୍ରକାର ନିର୍ଯାତନାର ଶିକାର ମହିଳା ପୁଲିସଙ୍କ ପାଇଁ ଅଭିଯୋଗ କରିବା କଷ୍ଟକର ହୁଏ। ଡ୍ୟୁଟି, ବଦଳି ସମେତ ବିଭିନ୍ନ ଆଳରେ ମହିଳା ପୁଲିସଙ୍କ ସହିତ ଯୌନ ନିର୍ଯାତନାର ଅଭିଯୋଗ ମଧ୍ୟ ରହିଛି। କିଛି ବର୍ଷ ପୂର୍ବରୁ ସମ୍ବଲପୁରରେ ଜଣେ ମହିଳା କନେଷ୍ଟବଳଙ୍କ ସହିତ ହୋଇଥିବା ଅସଦାଚାରଣ ଅଭିଯୋଗ ପରେ ବିଭାଗୀୟ ତଦନ୍ତ ମଧ୍ୟ ହୋଇଥିଲା। ଏହାପରେ ଅଭିଯୁକ୍ତ ବରିଷ୍ଠ କନେଷ୍ଟବଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବଦଳରେ କେବଳ ବଦଳି ହିଁ କରାଗଲା। ପୁରୁଷଙ୍କ ଭଳି ମହିଳା ପୁଲିସ ସମାନ ଭାବରେ ଶାରୀରିକ ଏବଂ ମାନସିକ ଦାୟିତ୍ବ ଦକ୍ଷତାର ସହିତ କାର୍ଯ୍ୟ ସମ୍ପନ୍ନ କରନ୍ତି। ସେମାନଙ୍କ ବେତନ ଏବଂ ପଦୋନ୍ନତି ବିଳମ୍ବିତ ହେଉଥିବା ଅଭିଯୋଗ ହୁଏ। ଏପରିକି ସେମାନଙ୍କ ଅନୁଭବ ଅନୁସାରେ କାର୍ଯ୍ୟକୁ ଯେଉଁଭଳି ଗୁରୁତ୍ବ ମିଳିବା କଥା ତାହା ମିଳେ ନାହିଁ। ଗଣମାଧ୍ୟମ ରିପୋର୍ଟ, ଆରଟିଆଇ ସହିତ ୨୦୦ ମହିଳା ଆଇପିଏସଙ୍କ ଠାରୁ ଆରମ୍ଭ କରି କନେଷ୍ଟବଳଙ୍କ ପର୍ଯ୍ୟନ୍ତ ସିଧାସଳଖ ଆଲୋଚନା ଜରିଆରେ ଏହି ଅଧ୍ୟୟନ ରିପୋର୍ଟ ପ୍ରସ୍ତୁତ ହେବ ବୋଲି ସିଏସଏନଆର ସମ୍ପାଦକ ଧୀରେନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି। ଏହାକୁ ନେଇ ଏକ କର୍ମଶାଳା କିଛି ଦିନ ପୂର୍ବରୁ ଅନୁଷ୍ଠିତ ହୋଇଛି। ଗବେଷିକା ସୁଚିସ୍ମିତା ପରିଜାଙ୍କ ନେତୃତ୍ବରେ ଟିମ କାର୍ଯ୍ୟ ଆରମ୍ଭ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe