ଜଗନ୍ନାଥପ୍ରସାଦ: ଜଗନ୍ନାଥପ୍ରସାଦ ତହସିଲ ଇଲାକାରେ ମାଳ ମାଳ ବେଆଇନ୍ ମାଟି ଇଟା ଭାଟି ଗଢ଼ି ଉଠିଥିବା ଓ ପ୍ରଶାସନ ଜାଣି ବି ଅଜଣା ପାଲଟିଥିବା ସଂକ୍ରାନ୍ତରେ ଏକ ରିପୋର୍ଟ ମଙ୍ଗଳବାର (୮/୧୨/୨୦୨୦) 'ସମ୍ବାଦ'ରେ ପ୍ରକାଶିତ ହୋଇଥିଲା। ଏହା ପରେ ପ୍ରଶାସନ ତତ୍ପରତା ଦେଖାଦେଇଛି। ଆଜି ସକାଳୁ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଜଗନ୍ନାଥପ୍ରସାଦ ତହସିଲ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରୁ ଅତିରିକ୍ତ ତହସିଲଦାର ବାରିଆଲ୍ ମୁର୍ମୁ, ରାଜସ୍ବ ନିରୀକ୍ଷକ ମଧୁସୂଦନ ବିଷୋୟୀ ଓ ସୀମାଞ୍ଚଳ ଜାନିଙ୍କ ସହ ଛାମୁଣ୍ଡା, ପନ୍ତିଆମା, ଜିରାବାଡ଼ି ଓ ଲେପା ଅଞ୍ଚଳରେ ଥିବା ବିଭିନ୍ନ ଭାଟି ଉପରେ ଚଢ଼ଉ କରିଛନ୍ତି। ବିଶେଷ କରି ଲେପା ଗ୍ରାମରେ ଆମ୍ବ ତୋଟାରେ ଓ ଛାମୁଣ୍ଡାରେ ଥିବା ଭାଟିରେ ଲକ୍ଷାଧିକ ଇଟା ପୋଡ଼ାଯାଉଥିବା ଦେଖି ଉପଜିଲ୍ଲାପାଳ ଚକିତ ହୋଇଯାଇଥିଲେ। ତୁରନ୍ତ କାମ ବନ୍ଦ କରିବା ଲାଗି ମାଲିକ ଓ ଶ୍ରମିକ ମାନଙ୍କୁ ନିର୍ଦ୍ଦେଶ ଜାରି କରିଥିଲେ।
ଅନ୍ୟପକ୍ଷରେ ଯେଉଁ ଜାଗା ଉପରେ ଭାଟି ତିଆରି କରାଯାଇ ଇଟା ପୋଡ଼ାଯାଉଛି ସଂପୃକ୍ତ ମାଲିକ ମାନଙ୍କୁ ଚିହ୍ନଟ କରି ନୋଟିସ୍ ଦେବା ସହ ୭ ଦିନ ଭିତରେ ପଟ୍ଟା ବାତିଲ୍ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ପାଣି ମୋଟର, ବିଦ୍ୟୁତ୍ ତାର, ଟିଣଡବା, ଇଟା ତିଆରି ପାଇଁ ବ୍ୟବହୃତ ଛାଞ୍ଚ, କୋଡ଼ି ଓ କୋଦାଳ ସମେତ ବିଭିନ୍ନ ସାମଗ୍ରୀ ଜବତ ହୋଇଥିବା ଅତିରିକ୍ତ ତହସିଲଦାର ଶ୍ରୀ ମୁର୍ମୁ ପ୍ରକାଶ କରିଛନ୍ତି। ପ୍ରଶାସନର କାର୍ଯ୍ୟାନୁଷ୍ଠାନ ପରେ ବେଆଇନ୍ ଇଟା ଭାଟି ମାଲିକଙ୍କ ମନରେ ଛନକା ପଶିଛି। କାରଣ ମାଫିଆ ଓ ମାଲିକ ମାନେ କୌଣସି ଆଇନଗତ ଦସ୍ତାବିଜ୍ ବିନା ଭାଟି ଚଳାଉଥିଲେ। ଏହାସହ ଗ୍ରୀନ୍ ଟ୍ରିବ୍ୟୁନାଲ୍ର ନିର୍ଦ୍ଦେଶନାମାକୁ ଉଲ୍ଲଂଘନ କରି ମାଟି ଇଟା ଭାଟି ତିଆରି କରିଥିଲେ। ଏହାସହ କିଛି ରାଜସ୍ବ କର୍ମଚାରୀଙ୍କୁ ହାତଗୁଞ୍ଜା ଦେଇ ବେଆଇନ୍ ସାମ୍ରାଜ୍ୟକୁ ବିସ୍ତାର କରିବା ସହ ମାଲାମାଲ୍ ହେଉଥିଲେ।
Follow Us