ରାଇରଙ୍ଗପୁର: ବାମନଘାଟି ଉପଖଣ୍ଡ ସଦର ମହକୁମା ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଏକ ଯୁଗ୍ମ ଜନ ଶୁଣାଣି ଅଭିଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲାପାଳ ହେମକାନ୍ତ ସାଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ବାମନଘାଟି ଉପ ଜିଲ୍ଲାପାଳ ସୌମ୍ୟରଞ୍ଜନ ପ୍ରଧାନ,ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲି, ଅତିରିକ୍ତ ଜିଲ୍ଲାପାଳ ଈଶ୍ୱର ଚନ୍ଦ୍ର ନାଏକ , ଏସଡିଏମ୍ ଓ ଡାକ୍ତର ରବୀନ୍ଦ୍ର କୁମାର ମାର୍ଣ୍ଣି ଓ ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ପ୍ରଥମେ ଜିଲ୍ଲାପାଳ ଉପସ୍ଥିତ ସମସ୍ତ ଅଧିକାରୀଙ୍କୁ ସ୍ୱାଗତ କରିବା ସହ ଜନସାଧାରଣଙ୍କଠାରୁ ଆସୁଥିବା ଆପତ୍ତି ଅଭିଯୋଗ ଗୁଡିକର ସମାଧାନ ତ୍ୱରିତ ପ୍ରକ୍ରିୟାରେ ସମ୍ପନ୍ନ କରିବା ପାଇଁ ପରାମର୍ଶ ଦେଇଥିଲେ ।
ଏହି ଶିବିରରେ ଜନସାଧାରଣଙ୍କଠାରୁ ମୋଟ ୧୨୦ ଟି ଅଭିଯୋଗ ପତ୍ର ଗ୍ରହଣ ହୋଇଥିବା ବେଳେ ୯୮ ଟି ବ୍ୟକ୍ତିଗତ ସମସ୍ୟା ଭିତ୍ତିକ ଏବଂ ୨୨ଟି ସାମୁହିକ ଅଭିଯୋଗ ଥିଲା ।
ସେଥି ମଧ୍ୟରୁ ଆପତ୍ତି ଅଭିଯୋଗର ଗୁରୁତ୍ୱକୁ ବିଚାର କରି ଜିଲ୍ଲାପାଳ ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୫ ହଜାର ଟଙ୍କା ଏବଂ ଅନ୍ୟ ଏକ ଆବେଦନକାରୀଙ୍କୁ ରେଡକ୍ରସ ପାଣ୍ଠିରୁ ୫ ହଜାର ଟଙ୍କା ମଂଜୁର କରିଥିଲେ। ୨ ଟି ଅଭିଯୋଗର ତତ୍କାଳ ସମାଧାନ ହୋଇଥିଲା ।
ଅଧିକ ପଢ଼ନ୍ତୁ: ସରକାର ଗତ ୯ ମାସରେ ୨୧ହଜାର କୋଟିରୁ ଅଧିକ ଟଙ୍କା ଋଣ କରିଛନ୍ତି: ମୁଖ୍ୟମନ୍ତ୍ରୀ
ଅନ୍ୟାନ୍ୟ ଆପତ୍ତି ଅଭିଯୋଗ ଗୁଡିକର ବିଷୟ ପ୍ରସଙ୍ଗ ଉପରେ ସବିଶେଷ ତଦନ୍ତ କରି ଅନୁଧ୍ୟାନ ପୂର୍ବକ ବିହିତ କାର୍ଯ୍ୟାନୁଷ୍ଠାନ ନେବା ସହ ତ୍ୱରିତ ପ୍ରକ୍ରିୟାରେ ସମାଧାନ କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ ।
ଶିବିରରେ ବାମନଘାଟି ଉପଖଣ୍ଡ ଅଧିନସ୍ଥ ସମସ୍ତ ଉପଖଣ୍ଡ ସ୍ତରୀୟ ବିଭାଗୀୟ ଅଧିକାରୀ,ରାଇରଙ୍ଗପୁର ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ,ବିଡ଼ିଓ,ତହସିଲଦାର, ଗୋଷ୍ଠୀ ଶିକ୍ଷା ଅଧିକାରୀ,ବିଭିନ୍ନ ଲାଇନ ବିଭାଗର ଅଧିକାରୀଗଣ ଉପସ୍ଥିତ ଥିବା ବେଳେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀମାନେ ଶିବିର ଆୟୋଜନ କରିଥିଲେ ।
ଅଧିକ ପଢ଼ନ୍ତୁ: ଆତ୍ମସମର୍ପଣ କଲେ ୩ ମାଓବାଦୀ