ଫୁଲବଣୀ: ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍ ଅନ୍ତର୍ଗତ ତାଳସାରୀ ବେଳାଭୂମିରେ ଥିବା ସୁବର୍ଣ୍ଣଦ୍ବୀପ ସମୁଦ୍ରରେ ଲୀନ ହେବାକୁ ବସିଛି। ଜୁଆର ମାଡ଼ ଯୋଗୁ ଏହିଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଜୁଆର ମାଡ଼ରେ ଝାଉଁ ଜଙ୍ଗଲ ଧରାଶାୟୀ ହେବାରେ ଲାଗିଛି। ଝାଉଁଜଙ୍ଗଲ ପାଇଁ ସୁବର୍ଣ୍ଣଦ୍ବୀପର ପ୍ରସିଦ୍ଧି ରହିଛି। ତାଳସାରୀ ବେଳାଭୂମିକୁ ଆସୁଥିବା ପର୍ଯ୍ୟଟକଙ୍କୁ ଏହି ଦ୍ବୀପରେ ଥିବା ଝାଉଁଜଙ୍ଗଲ ଆକର୍ଷିତ କରିଥାଏ। ପୂର୍ବତନ ବିଧାୟକ ସୁଶାନ୍ତ ଚାନ୍ଦଙ୍କ କହିବା କଥା, ଝାଉଁ ଜଙ୍ଗଲର ପବନ ସାଙ୍ଗକୁ ବିଦେଶାଗତ ପକ୍ଷୀଙ୍କ କିଚିରିମିଚିରି ଶବ୍ଦ ପର୍ଯ୍ୟଟକଙ୍କ ମନରେ ଅମାପ ଖୁସି ଭରିଦିଏ। ପ୍ରାୟ ୬ବର୍ଷ ହେଲା ଜୁଆର ମାଡ଼ରେ ଏହି ଝାଉଁ ଜଙ୍ଗଲ କ୍ଷୟ ହୋଇ ଚାଲିଛି। ତାଳସାରୀ ସମ୍ମୁଖ ବେଳାଭୂମିରୁ ବିଚିତ୍ରପୁର ପର୍ଯ୍ୟନ୍ତ ପ୍ରାୟ ୫ କିମିରୁ ଅଧିକ ଅଞ୍ଚଳରେ ଝାଉଁ ଜଙ୍ଗଲ ନଷ୍ଟ ହେଉଛି। ହଜାର ହଜାର ଗଛ ଉପୁଡ଼ି ସମୁଦ୍ର ଗର୍ଭକୁ ଚାଲିଗଲାଣି। ଏହାଦ୍ୱାରା ସମୁଦ୍ରକୁ ମାଛ ଧରିବାକୁ ଯାଉଥିବା ମତ୍ସ୍ୟଜୀବୀଙ୍କ ଜାଲ ମଧ୍ୟ ଛିଡ଼ି ନଷ୍ଟ ହେଉଛି ବୋଲି ପ୍ରାକ୍ତନ ଜିଲ୍ଲାପରିଷଦ ସଦସ୍ୟ ପ୍ରଦୀପ ବେହେରା କହିଛନ୍ତି।
ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଏ ବାବଦରେ ସରକାରୀସ୍ତରରେ କୌଣସି ପଦକ୍ଷେପ ନିଆଯାଉନାହିଁ। ଜଳସମ୍ପଦ କିମ୍ବା ବନବିଭାଗ ବି ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ବରଂ, ଧରାଶାୟୀ ହୋଇଥିବା ଗଛକୁ ମାଫିଆମାନେ ବିକି ମାଲାମାଲ୍ ହେଉଛନ୍ତି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ତାଳସାରୀ ସଂଲଗ୍ନ ସମୁଦ୍ରରେ ଏବେ ସୁବର୍ଣ୍ଣଦ୍ୱୀପ ବ୍ୟତୀତ ଆହୁରି ୨ଟି ଦ୍ୱୀପ ସୃଷ୍ଟି ହୋଇଥିବା ନଜରକୁ ଆସିଛି। ଏପରିସ୍ଥଳେ ସରକାର ଜୁଆରମାଡ଼କୁ ରୋକିବା ପାଇଁ ପଥରବନ୍ଧ ନିର୍ମାଣ ସମ୍ପର୍କରେ ଚିନ୍ତା କରୁନାହାନ୍ତି। ଉଦୟପୁରରୁ କୀର୍ତ୍ତନିଆ ପ୍ରାୟ ୧୦କିମି ବେଳାଭୂମି ରହିଛି। ତେବେ, ଉଦୟପୁରଠାରୁ ତାଳସାରୀ ୨.୬ କିମି ପଥରବନ୍ଧ ନିର୍ମାଣ ହୋଇଥିବା ବେଳେ କୀର୍ତ୍ତନିଆରେ ପ୍ରାୟ ୮ଶହ ମିଟର ପଥର ବନ୍ଧ ଅଛି। ବାକିତକ ମୁକୁଳା ପଡ଼ିଛି। ଯେଉଁଥି ପାଇଁ ବିନ୍ଧାପଦ୍ମପୁର, କୃଷ୍ଣନଗର, କନ୍ୟାନଗରୀ, ଖଡ଼ିବିଲ, ବଡ଼ପାହି, ବିଚିତ୍ରପୁର, ମାଟିକେଞ୍ଚା, ନାରାୟଣ ମହାନ୍ତି ପଡ଼ିଆ, ଚନ୍ଦ୍ରାବଳି, କୀର୍ତ୍ତନିଆ ଆଦି ଗାଁସବୁ ବିପଦରେ ରହିଛି।
୨୦୧୫ ଅକ୍ଟୋବର ୧୯ରେ ଉପକୂଳ ଅଞ୍ଚଳର ସୁରକ୍ଷା ପାଇଁ ଗଠିତ ଉଦୟପୁର-ତାଳସାରୀ ଉନ୍ନୟନ କର୍ତ୍ତୃପକ୍ଷ ପ୍ରଥମ ପର୍ଯ୍ୟାୟରେ ୩୬ଟି ଗାଁକୁ ନିଜ ଅଧୀନକୁ ନେଇଛି। ବାଲେଶ୍ୱର ଜିଲ୍ଲାପାଳ ଏହାର ଅଧ୍ୟକ୍ଷ ରହିଛନ୍ତି। ତେବେ ଯଥାଶୀଘ୍ର ପଦକ୍ଷେପ ନ ନେଲେ ସୁବର୍ଣ୍ଣଦ୍ବୀପ ସମୁଦ୍ର ଗର୍ଭରେ ଲୀନ ହୋଇଯିବ ବୋଲି ଶିକ୍ଷାବିତ୍ ତଥା ନାରାୟଣ ମହାନ୍ତି ପଡ଼ିଆ ସମବାୟର ସଭାପତି ନନ୍ଦଦୁଲାଲ ବେଜ, ୩୫ନମ୍ବର ଜୋନ୍ର ଜିଲ୍ଲା ପରିଷଦ ସଭ୍ୟ ପ୍ରତିମା ଚାନ୍ଦ, ପଞ୍ଚାୟତ ସମିତି ଉପାଧ୍ୟକ୍ଷା ମୀନାରାଣୀ ସାସମଲ ପ୍ରମୁଖ କହିଛନ୍ତି।
Follow Us