ଗତିପଥ ବଦଳାଉଛି ‘ସୁବର୍ଣ୍ଣରେଖା’: ବିପଦରେ ନଦୀକୂଳିଆ ୮ ଗାଁ

Advertisment
ଗତିପଥ ବଦଳାଉଛି ‘ସୁବର୍ଣ୍ଣରେଖା’: ବିପଦରେ ନଦୀକୂଳିଆ ୮ ଗାଁ

ବସ୍ତା-୨ (ରବିନାରାୟଣ ଶତପଥୀ): ବେଆଇନ ବାଲି ଉତ୍ତୋଳନ ଯୋଗୁଁ ସୁବର୍ଣ୍ଣରେଖା ନଦୀ ତାର ଗତିପଥ ବଦଳାଇବା ଆରମ୍ଭ କରିଛି। ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ୍‌ ଅଞ୍ଚଳର ଏହି ଖବର ଏବେ ଚିନ୍ତାର ବିଷୟ ହେଲାଣି। ସୂଚନା ଅନୁସାରେ; ସୁବର୍ଣ୍ଣରେଖା ଉପକୂଳ ବେଣାପୁରରୁ ଗିଲାଯୋଡ଼ି ମଧ୍ୟରେ ୩ଟି ବାଲି ସୈରାତ ରହିଛି। ଏଗୁଡ଼ିକୁ ସରକାର ନିଲାମ ଦିଅନ୍ତି। କିଛି ବର୍ଷ ହେଲା ନିଲାମ ବନ୍ଦ ରହିଛି। ଅଥଚ ବାଲି ଉତ୍ତୋଳନ ବନ୍ଦ ହେଉନି। ୫ଟି ସ୍ଥାନରୁ ମାଫିଆମାନେ ଦିନରାତି ବେଆଇନ ବାଲି ଉତ୍ତୋଳନ ସହ ଚୋରା ଚାଲାଣ କରୁଛନ୍ତି। ଫଳରେ ବିଭିନ୍ନ ସ୍ଥାନରେ ନଦୀକୂଳ ଦୁର୍ବଳ ହେବାରେ ଲାଗିଛି। ସନ୍ତୋଷପୁର ପଞ୍ଚାୟତ ଅଧୀନ ତେଘରୀ ଗାଁଠାରେ ସୁବର୍ଣ୍ଣରେଖା ତାର ଗତିପଥ ବଦଳାଇବା ଆରମ୍ଭ କରିଛି। ଗତ ୫ ମାସ ମଧ୍ୟରେ ନଦୀ ପାଖାପାଖି ୫୦ ଫୁଟ୍‌ ସ୍ଥଳଭାଗ ଆଡ଼କୁ ମାଡ଼ିଯାଇଛି।

ଉଡିଆପଡ଼ା, ଧିତପୁରା, ଲୋକନାଥପୁର ଏବଂ କାଦରାୟାଁ ପଞ୍ଚାୟତର କାଦରାୟାଁ ଓ ଦେଭୋଗ ପ୍ରମୁଖ ୮ ଗାଁ ବିପଦ ଭିତରକୁ ଚାଲିଆସିଛି। ଜଳେଶ୍ୱର ବିଧାୟକ ତଥା ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ରଙ୍କ ଜରିଆରେ ୫-ଟି ଅଧ୍ୟକ୍ଷ ଓ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ଦିଆଯାଇଛି। ହେଲେ ବାଲିବସ୍ତା ପକାଯିବା ଛଡ଼ା ଆଉକିଛି ବିହିତ ପଦକ୍ଷେପ ନିଆଯାଇନାହିଁ। ଉଲ୍ଲେଖ ଥାଉକି ନିକଟରେ ଚୋରା ବାଲି ସୈରାତ ବନ୍ଦ ନେଇ ଉଚ୍ଚନ୍ୟାୟାଳୟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ଫଳରେ ନ୍ୟାୟାଳୟ ରାଜ୍ୟ ସରକାରଙ୍କୁ ବାଲିଘାଟ ନିଲାମ ପାଇଁ ସ୍ୱତନ୍ତ୍ର ନିୟମ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେଣୁ ଖଣି ବିଭାଗ ଏକ ସ୍ବତନ୍ତ୍ର ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରୁଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe