ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ହକି ଖେଳାଳିଙ୍କ କାନ୍ଧରେ ପଡ଼ିବ ସୋନପୁର ଉତ୍ତରୀୟ

Advertisment
ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ହକି ଖେଳାଳିଙ୍କ କାନ୍ଧରେ ପଡ଼ିବ ସୋନପୁର ଉତ୍ତରୀୟ

ସୋନପୁର : ବୟନଶିଳ୍ପ ଓ ହସ୍ତତନ୍ତରେ ବିଶ୍ବ ଦରବାରରେ ସୁବର୍ଣ୍ଣପୁର ଜିଲ୍ଲାର ସ୍ବତନ୍ତ୍ର ପରିଚୟ ରହିଛି। ଏଠାକାର ବୟନକଳା ବିଶ୍ବ ଦରବାରରେ ପ୍ରସିଦ୍ଧ। ଏଠାକାର ବାନ୍ଧକଳା ଦେଶ ବିଦେଶରେ ପରିଚିତ। ବିଭିନ୍ନ ସରକାରୀ ଉତ୍ସବ ହେଉ କିଂବା ରାଜ୍ୟକୁ କୌଣସି ସ୍ବତନ୍ତ୍ର ଅତିଥିଙ୍କ ଆଗମନ ହେଲେ ସୋନପୁରୀ ବାନ୍ଧକଳାରେ ପ୍ରସ୍ତୁତ ବସ୍ତ୍ର ଉପହାର ପାଇଁ ଖୋଜାଯାଇଥାଏ। ଠିକ ସେହିଭଳି ଅଲିମ୍ପିକ୍ସ ହକିରେ ଗତ ୪୧ ବର୍ଷ ପରେ ଭାରତ ପଦକ ଜିତିଥିବା ପୁରୁଷ ହକି ଦଳର ଖେଳାଳିଙ୍କ କାନ୍ଧରେ ଶୋଭା ପାଇବ ସୁବର୍ଣ୍ଣପୁର ଜିଲ୍ଲାର ବାନ୍ଧଶିଳ୍ପୀଙ୍କ ଦ୍ବାରା ବୁଣା ଯାଇଥିବା ଉତ୍ତରୀୟ।

ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ୍‌ ମେଣ୍ଡା ଗ୍ରାମରେ ତିଆରି ହେଇଛି ଏହି ଉତ୍ତରୀୟ। ଗାଁର ତନ୍ତଶିଳ୍ପୀମାନେ ଏଥିପାଇଁ ବେଶ୍‌ ଉତ୍ସାହିତ। ଓଡ଼ିଶା ସରକାର ହକି ଦଳର ପ୍ରଯୋଜକ ରହିବା ସହ ଦେଶର ହକି ଖେଳାଳିମାନଙ୍କୁ ଉତ୍ସାହିତ କରୁଛନ୍ତି। ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତର ପୁରୁଷ ହକି ଦଳକୁ ସମ୍ବର୍ଦ୍ଧିତ କରିବା ପାଇଁ ଆମନ୍ତ୍ରଣ କରାଯାଇଛି। ଏହି ଖେଳାଳିମାନଙ୍କୁ ଦିଆଯିବାକୁ ଥିବା ଉତ୍ତରୀୟ ମେଣ୍ଡା ଗ୍ରାମରେ ପ୍ରସ୍ତୁତ କରାଯାଇଛି। ବାନ୍ଧକଳାରେ ପ୍ରସ୍ତୁତ ହୋଇଛି ଏହି ଉତ୍ତରୀୟ। ମେଣ୍ଡାର ତନ୍ତଶିଳ୍ପୀ ଶିବଶଙ୍କର ମେହେର ଓ ନୀଳମଣି ମେହେରଙ୍କ ପରିବାର ଏହି ଉତ୍ତରୀୟ ବୁଣିଛନ୍ତି।

ସମ୍ବଲପୁରୀ ବସ୍ତ୍ରାଳୟକୁ ଉତ୍ତରୀୟ ପ୍ରସ୍ତୁତି ପାଇଁ ରାଜ୍ୟ ସରକାର ନିର୍ଦେଶ ଦେଇଥିଲେ। ସମ୍ବଲପୁରୀ ବସ୍ତ୍ରାଳୟ ପକ୍ଷରୁ ମେଣ୍ଡାର ତନ୍ତଶିଳ୍ପୀଙ୍କୁ ଏହା ବୁଣିବା ପାଇଁ ଚୟନ କରାଯାଇଥିଲା। ମାଷ୍ଟର ବୁଣାକାର ଉତ୍ତମ ମେହେରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହା ବୁଣା ଯାଇଛି। ଏହି ଉତ୍ତରୀୟରେ ଅଲିମ୍ପିକ୍ସ ଚିହ୍ନ ଏବଂ ଦୁଇଟି ହକି ଷ୍ଟିକ ଭିତରେ ଶୋଭା ପାଉଛି ହକି ବଲ। ସମ୍ବଲପୁରୀ ବସ୍ତ୍ରାଳୟର ପରିଚାଳନା ନିର୍ଦେଶକ ଶିଶିର ନାଗଙ୍କୁ ଶୁକ୍ରବାର ଏହି ଉତ୍ତରୀୟ ପ୍ରଦାନ କରାଯାଇଛି। ଏହାକୁ ନେଇ ଖୁବ ଖୁସି ଅଛନ୍ତି ମେଣ୍ଡା ଗ୍ରାମର ବୁଣାକାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe