ବ୍ରହ୍ମପୁର: ବ୍ରହ୍ମପୁର ସହର ଆମ୍ବପୁଆ ବିବେକବିହାର ପଡ଼ିଆରେ ରାଜ୍ୟର ୧ କୋଟି ୬୪ ହଜାର ଯୋଗ୍ୟ ମହିଳାଙ୍କୁ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଆଜି ‘ସୁଭଦ୍ରା’ ଯୋଜନାର ଦ୍ୱିତୀୟ କିସ୍ତି ପ୍ରଦାନ କରିଛନ୍ତି। ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଜ୍ୟ ତଥା ଗଞ୍ଜାମ ମହିଳାଙ୍କ ଅବଦାନ ସଂପର୍କରେ ସ୍ମୃତିଚାରଣ କରିବା ସହ ସରକାର ପରିବର୍ତ୍ତନରେ ଜିଲ୍ଲାର ଅବଦାନ ଆମ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି। ଏହାଛଡ଼ା ସରକାର ଆସିବାର ୯ ମାସକୁ ୪ଦିନ ବାକି ଥିବା ବେଳେ ଏହାରି ମଧ୍ୟରେ ରାଜ୍ୟର ୧ କୋଟିରୁ ଅଧିକ ମା’ଙ୍କ ପାଇଁ ଆର୍ଥିକ ସ୍ୱାଧୀନତାର ରାସ୍ତା ଖୋଲିଛି। ସବୁ ମା’ଙ୍କୁ ୨ଟି କିସ୍ତିରେ ୧୦ ହଜାର ଟଙ୍କା ଲେଖାଏଁ ମିଳିଲା। ‘ସୁଭଦ୍ରା’ ଯୋଜନା ବର୍ତ୍ତମାନ ବିପ୍ଳବରେ ପରିଣତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ତାଙ୍କର ଅଭିଭାଷଣରେ କହିଛନ୍ତି।
ମୁଖ୍ୟମନ୍ତ୍ରୀ ପୂର୍ବ ସରକାରକୁ ସମାଲୋଚନା କରି କହିଛନ୍ତି, ଯେଉଁମାନେ ପଚାରୁଛନ୍ତି ଆମ ସରକାର ୯ ମାସରେ କ’ଣ କରିଛି, ସେମାନଙ୍କୁ କୁହନ୍ତୁ , ୨୪ ବର୍ଷରେ ଯେଉଁ ସରକାର ମହିଳାଙ୍କ ପାଇଁ କେବଳ ସ୍ଲୋଗାନ୍ ଦେଉଥିଲେ, ମୋହନ ସରକାର କ୍ଷମତାକୁ ଆସିବାର ମାତ୍ର ୨୪ ମିନିଟ୍ ମଧ୍ୟରେ ଐତିହାସିକ ‘ସୁଭଦ୍ରା’ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ମାତ୍ର ତିନିମାସ ମଧ୍ୟରେ କାର୍ଯ୍ୟ ଆରମ୍ଭ କରି ଆଜି ୯ ମାସ ମଧ୍ୟରେ ଏକ କୋଟିରୁ ଅଧିକ ମହିଳାଙ୍କୁ ‘ସୁଭଦ୍ରା’ର ଦ୍ୱିତୀୟ କିସ୍ତି ପ୍ରଦାନ କରାଯାଇଛି। ଆମର ନିନ୍ଦୁକମାନେ ଭୁଲି ଯାଇଛନ୍ତି ଯେ ଶିଶୁଟିଏ ଜନ୍ମ ହେବା ପାଇଁ ମା’ ଗର୍ଭରେ ୯ ମାସ ବିତେଇବାକୁ ପଡ଼ିଥାଏ। ଆମ ସରକାର ୯ ମାସ ପୂରଣ କରିବାକୁ ଆହୁରି ଚାରିଦିନ ବାକି ଅଛି। ଏହି ସ୍ୱଳ୍ପ ସମୟ ଭିତରେ ଆମେ ଓଡ଼ିଶାର ଜନସାଧାରଣଙ୍କ ପାଇଁ ଯେଉଁ କାର୍ଯ୍ୟ କରି ପାରିଛୁ, ତାହା ସେମାନେ ପ୍ରକୃତରେ ବିଶ୍ୱାସ କରି ପାରୁନାହାନ୍ତି। ସେମାନେ ବିଶ୍ୱାସ କରି ପାରୁନାହାନ୍ତି ଯେ ଚାଷୀଙ୍କୁ ୨୪ ବର୍ଷରେ ଏମ୍ଏସ୍ପିଠାରୁ କିଛି ଅଧିକ ଟଙ୍କା ଦେଇ ପାରିଲେ ନାହିଁ। କିନ୍ତୁ ଏ ନୂଆ ସରକାର କିପରି ଭାବେ ୨୪ ମିନିଟ୍ରେ କ୍ବିଣ୍ଟାଲ୍ ପିଛା ୧୦୦ କି ୨୦୦ ନୁହେଁ, ୮୦୦ ଟଙ୍କା ବୋନସ୍ ଦେବା ପାଇଁ ନିଷ୍ପତ୍ତି ନେଇଗଲେ। ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଜବାବ ରଖି କହିଥିଲେ ଯେ ୨୪ ବର୍ଷ ଧରି ଆପଣ ଯାହା କରିବାକୁ ଚିନ୍ତା କରିପାରି ନ ଥିଲେ, ଆମେ ତାକୁ କାର୍ଯ୍ୟରେ ପରିଣତ କରିଛୁ। ଗରିବ ପରିବାରଙ୍କ କନ୍ୟା ସନ୍ତାନ ବିବାହ ଏବଂ ରାଜ୍ୟର ଗରିବ ଜନସାଧାରଣଙ୍କୁ ନିଃଶୁଳ୍କ ଜଗନ୍ନାଥ ଦର୍ଶନ କରାଇବାର ନିଷ୍ପତ୍ତି ମଧ୍ୟ ଆମେ ନେଇଛୁ ବୋଲି ସେ କହିଥିଲେ।
ବିପ୍ଳବରେ ପରିଣତ ହୋଇଛି ‘ସୁଭଦ୍ରା’: ମୁଖ୍ୟମନ୍ତ୍ରୀ
ମହିଳା ହିଂସାରେ ଲିପ୍ତ ବ୍ୟକ୍ତିଙ୍କ ସମାଜରେ ସ୍ଥାନ ନାହିଁ
‘ଲକ୍ଷପତି ଦିଦି’ ଯୋଜନାରେ ଓଡ଼ିଶା ଦେଶରେ ଦ୍ୱିତୀୟ
‘ସୁଭଦ୍ରା’ ଯୋଜନା କେବଳ ବର୍ଷକୁ ଦୁଇଥର ସହାୟତା ବାଣ୍ଟିବା କାର୍ଯ୍ୟକ୍ରମ ନୁହେଁ। ଏହା ଏକ ବଡ଼ ଅଭିଯାନର ରୂପ ନେବାକୁ ଯାଉଛି। କିଶୋରୀମାନଙ୍କଠାରୁ ଆରମ୍ଭ କରି ଭିନ୍ନ ଭିନ୍ନ ବୟସର ମହିଳାମାନେ ସଶକ୍ତ ଏବଂ ସମୃଦ୍ଧ ହୋଇ ପାରିବାର ବ୍ୟବସ୍ଥା କରାଯାଉଛି। ଏହା ରାଜ୍ୟର ପ୍ରତ୍ୟେକ ‘ସୁଭଦ୍ରା’ଙ୍କ ମନରେ ଏକ ନୂତନ ଆଶା ଓ ବିଶ୍ୱାସ ସଞ୍ଚାର କରିବ। ମହିଳାଙ୍କ ବିରୋଧରେ ହିଂସା ଏବଂ ଅସଦାଚରଣ କରୁଥିବା ବ୍ୟକ୍ତିଙ୍କ ପାଇଁ କଡ଼ା ବାର୍ତ୍ତା ଦେବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମହିଳା ବିରୋଧୀ ହିଂସାରେ ଲିପ୍ତ ବ୍ୟକ୍ତି ଜଣେ ଅପରାଧୀ ଏବଂ ଏହି ଅପରାଧୀଙ୍କ ସ୍ଥାନ ଜେଲର ଚାରିକାନ୍ଥ ମଧ୍ୟରେ। ସଭ୍ୟ ସମାଜରେ ତାଙ୍କର କୌଣସି ସ୍ଥାନ ନାହିଁ। ଏହାକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ମୁଖ୍ୟମନ୍ତ୍ରୀ କହିଥିଲେ। ମହିଳାମାନଙ୍କୁ ଲକ୍ଷପତି କରାଇବା ପାଇଁ ‘ଲକ୍ଷପତି ଦିଦି’ ଯୋଜନା ଆରମ୍ଭ ହୋଇଛି। ସାରା ଦେଶରେ ୩ କୋଟି ଲକ୍ଷପତି ଦିଦି ସୃଷ୍ଟି କରିବାର ଲକ୍ଷ୍ୟ ରଖାଯାଇଛି। ଆମ ରାଜ୍ୟ ଲକ୍ଷପତି ଦିଦି ଯୋଜନାକୁ କାର୍ଯ୍ୟକାରୀ କରି ସମଗ୍ର ଭାରତବର୍ଷରେ ଦ୍ୱିତୀୟ ସ୍ଥାନ ହାସଲ କରିଛି। ବର୍ତ୍ତମାନ ସୁଦ୍ଧା ୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି ହେଲେଣି। ଓଡ଼ିଶାରେ ୨୦୨୭ ସୁଦ୍ଧା ଅତି କମରେ ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବାର ଯୋଜନା ରହିଛି। ବିଗତ ୨୪ ବର୍ଷରେ ମହିଳା ସଶକ୍ତୀକରଣ କେବଳ ଏକ ସ୍ଲୋଗାନ୍ରେ ରହିଥିଲା। କିନ୍ତୁ ଆମ ସରକାର ମହିଳାଙ୍କୁ ରାଜନୈତିକ, ସାମାଜିକ ଏବଂ ଅର୍ଥନୈତିକସ୍ତରରେ ସଶକ୍ତ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନା କାର୍ଯ୍ୟକାରୀ କରୁଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାରେ ୬୩୮ କୋଟିରୁ ଅଧିକ ଟଙ୍କାର ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ୪୯୩ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବା ବେଳେ ୧୪୫ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଉଦ୍ଘାଟନ କରାଯାଇଛି। ଏଥିରେ ଅନେକ ଜଳଯୋଗାଣ ପ୍ରକଳ୍ପ, ସଡ଼କ ଉନ୍ନତୀକରଣ, ସେତୁ ନିର୍ମାଣ, ଚେକ୍ ଡ୍ୟାମ୍ ପ୍ରକଳ୍ପ, ସ୍ୱାସ୍ଥ୍ୟସେବା କେନ୍ଦ୍ର ସ୍ଥାପନ, ଇନ୍ଷ୍ଟ୍ରିମ୍ ଷ୍ଟୋରେଜ୍ ପ୍ରକଳ୍ପ ଆଦି ରହିଛି। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ବାଣିଜ୍ୟ, ପରିବହନ, ଇସ୍ପାତ ଓ ଖଣିମନ୍ତ୍ରୀ ବିଭୂତି ଭୂଷଣ ଜେନା, ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ ପାଣିଗ୍ରାହୀ, ଆସିକା ସାଂସଦ ଅନିତା ଶୁଭଦର୍ଶିନୀ ଓ ଗଞ୍ଜାମ ଜିଲ୍ଲାର ସମସ୍ତ ବିଧାୟକ ଉପସ୍ଥିତ ଥିଲେ। ମହିଳା ଏବଂ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ସ୍ୱାଗତ ଭାଷଣ ଦେଇଥିବା ବେଳେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ବ୍ରହ୍ମପୁର ବିଧାୟକ କେ.ଅନୀଲ କୁମାର ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ଅତିଥିଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସ୍ବାଗତ କରିଥିଲେ।
Follow Us