ଭୁବନେଶ୍ବର: ବୁଧବାର ୯ ତାରିଖରେ ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ଟଙ୍କା ଦିଆଯିବ। ଗୋପବନ୍ଧୁଙ୍କ ଜନ୍ମ ଦିବସରେ ବାରିପଦାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହିତାଧିକାରୀଙ୍କ ଆକାଉଣ୍ଟଙ୍କୁ ଟଙ୍କା ପଠାଇବେ। ୩୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଟଙ୍କା ଦିଆଯିବ। ସେପ୍ଟେମ୍ବର ୧୭ ତାରିଖରେ ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତି ଟଙ୍କା ଦିଆଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ୨୫ଲକ୍ଷ ୧୧ହଜାର ହିତାଧିକାରୀଙ୍କୁ ଟଙ୍କା ମିଳିଥିଲା।
ଏଥର କିନ୍ତୁ ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ପରୀକ୍ଷାମୂଳକ ଭାବେ ୧ଟଙ୍କା ପଠାଯାଇନାହିଁ ବୋଲି ବିଭାଗ କହିଛି। ସାମାଜିକ ଗଣମାଧ୍ୟମରେ ଚାଲୁଥିବା ଏହି ମିଥ୍ୟା ଖବର ଦ୍ୱାରା ଭ୍ରମିତ ନ ହେବା ପାଇଁ ବିଭାଗ ଅନୁରୋଧ କରିଛି। ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗର ଦାୟିତ୍ବରେ ଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ସୁଭଦ୍ରା ପାଇଁ ୧.୨କୋଟି ମହିଳା ହିତାଧିକାରୀ ପଞ୍ଜୀକରଣ କରିସାରିଲେଣି। ଏମ୍ପିସିଆଇ କ୍ଲିୟରାନ୍ସ ସଂପର୍କିତ ସମସ୍ୟା ଥିଲେ ପୁଣିଥରେ କମିଟି ବସିବା ସହ ଯେଉଁ ସମସ୍ୟା ରହିଛି ତାହାର କିଭଳି ସମାଧାନ କରାଯିବ ତାହା ଉପରେ ଆଲୋଚନା ହେବ। ଡିସେମ୍ବର ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ଅର୍ଥ ପ୍ରଦାନ କାର୍ଯ୍ୟ ଶେଷ ହେବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି।
Follow Us