ଭୁବନେଶ୍ବର: ରାଜ୍ୟର ପ୍ରାୟ ୪୦ଲକ୍ଷ ମହିଳାଙ୍କୁ ଆସନ୍ତା ଅକ୍ଟୋବର ୯ତାରିଖରେ ସୁଭଦ୍ରା ଯୋଜନାରେ ୫ହଜାର ଟଙ୍କା ଲେଖାଏ ମିଳିବ। ଏନେଇ ବାରିପଦାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଟଙ୍କା ପ୍ରଦାନ କରିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।
ଝାଡ଼ଖଣ୍ଡ ନିର୍ବାଚନ ପାଇଁ ବିଜେପି ଜୋରଦାର ପ୍ରଚାର ଆରମ୍ଭ କରୁଥିବାବେଳେ ଏହାର ସୀମାନ୍ତବର୍ତ୍ତୀ ମୟୂରଭଞ୍ଜ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ବାରା ସୁଭଦ୍ରା ଯୋଜନାର ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବାକୁ ନିଷ୍ପତ୍ତି ହୋଇଛି। ଏହାଦ୍ବାରା ବିଜେପି ସରକାର କିପରି ନିର୍ବାଚନ ପ୍ରତିଶ୍ରୁତି ପୂରଣ କରୁଛି ତାହା ଝାଡ଼ଖଣ୍ଡରେ ପ୍ରଚାର କରାଯିବ ବୋଲି ଯୋଜନା ହେଉଛି।
ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି ଯେ ସୁଭଦ୍ରା ଯୋଜନାରେ ମହିଳାଙ୍କୁ ବର୍ଷକୁ ଦୁଇଟି କିସ୍ତିରେ ୧୦ହଜାର ଟଙ୍କା ପ୍ରଦାନ କରାଯିବ। ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ କିସ୍ତିରେ ୨୫ଲକ୍ଷ ୧୧ହଜାର ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଥିଲେ। ଏବେ ଦ୍ବିତୀୟ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ପ୍ରାୟ ୪୦ଲକ୍ଷ ମହିଳାଙ୍କୁ ଟଙ୍କା ପ୍ରଦାନ କରିବେ। ମାର୍ଚ୍ଚ ୮ ସୁଦ୍ଧା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଥମ କିସ୍ତିର ଟଙ୍କା ପ୍ରଦାନ କରାଯିବ। ମାର୍ଚ୍ଚ ୮ରେ ଅନ୍ତର୍ଜାତୀୟ ମହିଳା ଦିବସରେ ଦ୍ବିତୀୟ କିସ୍ତି ପ୍ରଦାନ କରାଯିବ। ବର୍ତ୍ତମାନ ସୁଦ୍ଧା ୯୭ ଲକ୍ଷରୁ ଅଧିକ ମହିଳା ‘ସୁଭଦ୍ରା’ ଯୋଜନାରେ ଆବେଦନ କରିଛନ୍ତି। ଯେଉଁମାନଙ୍କର ଯାଞ୍ଚ ପ୍ରକ୍ରିୟା ଶେଷ ହେଉଛି ସେମାନଙ୍କ ଆକାଉଣ୍ଟକୁ ଟଙ୍କାଟେ ପଠାଇ ଆକାଉଣ୍ଟ ସଚଳ ଥିବା ନେଇ ଯାଞ୍ଚ କରାଯିବ। ଏହାପରେ ବାକି ଟଙ୍କା ଜମା କରାଯିବ। ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ସୁଭଦ୍ରା ଯୋଜନାରେ ପ୍ରାୟ ୧କୋଟିରୁ ଅଧିକ ମହିଳାଙ୍କୁ ବାର୍ଷିକ ୫୦ହଜାର ଟଙ୍କା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି।
Follow Us