ଭୁବନେଶ୍ବର: ନଭେମ୍ବର ପହିଲାରୁ ୧୨ ତାରିଖ ପର୍ଯ୍ୟନ୍ତ ସୁଭଦ୍ରା ଶକ୍ତି ମେଳା ଭୁବନେଶ୍ବରସ୍ଥିତ ଇଡ୍କୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହେବ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମିସନ୍ ଶକ୍ତି ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଗାଁଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ, ନାରୀମାନେ ଆଜି ପ୍ରତ୍ୟେକ କ୍ଷେତ୍ରରେ ନିଜ ସାମର୍ଥ୍ୟ, ସୃଜନଶୀଳତା ଓ ଉଦ୍ୟୋଗିତାର ପରିଚୟ ଦେଉଛନ୍ତି। ଏହି ଅପ୍ରତିମ ନାରୀ ଶକ୍ତିକୁ ସମ୍ମାନ ଜଣାଇ ମିସନ ଶକ୍ତି ବିଭାଗ ଆୟୋଜନ କରୁଛି ‘ସୁଭଦ୍ରା ଶକ୍ତି ମେଳା-୨୦୨୫’।
ଏହି ମେଳାରେ ରାଜ୍ୟର ସମସ୍ତ ଜିଲ୍ଲାରୁ ୩୦୦ରୁ ଅଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଭାଗନେଇ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ପ୍ରଦର୍ଶନ ଓ ବିପଣନ କରିବେ। ମେଳାରେ ୫୦ଟି ଖାଦ୍ୟ ଷ୍ଟଲ୍ର ବ୍ୟବସ୍ଥା ରହିଛି। ଦେଶର ୧୧ଟି ଅନ୍ୟାନ୍ୟ ରାଜ୍ୟ ଯଥା ପଞ୍ଜାବ, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ବିହାର, ଆସାମ, ପଶ୍ଚିମବଙ୍ଗ, ଛତିଶଗଡ଼, ଗୁଜୁରାଟ, ତେଲେଙ୍ଗାନା, ମଧ୍ୟପ୍ରଦେଶ ଓ ଗୋଆରୁ ନିମନ୍ତ୍ରିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସେମାନଙ୍କ ରାଜ୍ୟର ଉତ୍କୃଷ୍ଟ ଉତ୍ପାଦ ପ୍ରଦର୍ଶନ କରିବେ। ଏହି ମେଳା କେବଳ କ୍ରୟ ବିକ୍ରୟର ମଞ୍ଚ ନୁହେଁ, ବରଂ ନାରୀମାନଙ୍କର ଆତ୍ମବିଶ୍ୱାସ, ସଫଳତା ଓ ସାମାଜିକ ସଶକ୍ତୀକରଣର ଏକ ଉଜ୍ଜ୍ୱଳ ପ୍ରତୀକ। ଏଠାରେ ବିବିଧ ହସ୍ତତନ୍ତ, ହସ୍ତଶିଳ୍ପ, ଖାଦ୍ୟ ଓ ଅଣ କାଷ୍ଠ ଜଙ୍ଗଲ ଉତ୍ପାଦ ପ୍ରଦର୍ଶିତ ହେବ। ଆଗନ୍ତୁକମାନେ ଏଠାରୁ ଲୁଗାପଟା, ଖାଦ୍ୟଶସ୍ୟ, ଗୃହ ସାଜସଜ୍ଜା ଓ ଘରକରଣା ଜିନିଷ କିଣିପାରିବେ। ଏହି ମେଳା ମହିଳା ଉଦ୍ୟୋଗୀମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ, ଯେଉଁଠାରେ ସେମାନେ ନିଜର ଉତ୍ପାଦକୁ ବିଶାଳ ବଜାରରେ ପ୍ରଦର୍ଶନ କରି ନୂତନ ଗ୍ରାହକ ଓ ସମ୍ଭାବନାର ଦ୍ୱାର ଖୋଲିବେ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି।
ମିସନ୍ ଶକ୍ତି ମେଳା ହେବ ଓଡ଼ିଶାର ସଂସ୍କୃତି, ନାରୀ ଶକ୍ତି ଓ ପାରମ୍ପରିକ ସ୍ୱାଦର ଅନୁପମ ସଂଗମ। ପ୍ରତିଦିନ ସନ୍ଧ୍ୟାରେ ଆୟୋଜିତ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ, ଯେଉଁଥିରେ ଦେଖିବାକୁ ମିଳିବ ଓଡ଼ିଶୀ ନୃତ୍ୟ, ଛଉ, ଗୀତିନାଟ୍ୟ, ମଲଖମ୍ବ, ଗୋଟିପୁଅ, ରଣପା, ସମ୍ବଲପୁରୀ ନୃତ୍ୟ, ପୁରୀର ଯୋଡ଼ିଶଙ୍ଖ, ବିହୁ, ସଙ୍ଗୀତ ସନ୍ଧ୍ୟା ଓ ପାଲା ଇତ୍ୟାଦି। ପ୍ରଥମ ଥର ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତତନ୍ତ ଓ ପୋଷାକର ଫ୍ୟାସନ୍ ସୋ ଆୟୋଜିତ ହେବାକୁ ଯାଉଥିବା ବେଳେ, ଦର୍ଶକମାନେ ୫୦ଟି ସ୍ୱତନ୍ତ୍ର ଖାଦ୍ୟଷ୍ଟଲରେ ମିଲେଟ୍ଭିତ୍ତିକ ସ୍ୱାସ୍ଥ୍ୟକର ଖାଦ୍ୟ ସହିତ ବିବିଧ ପାରମ୍ପରିକ ଓଡ଼ିଆ ଖାଦ୍ୟ ଉପଭୋଗ କରିପାରିବେ। ଏହି ମେଳା ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ନିଜର ଉତ୍ପାଦକୁ ବୃହତ୍ ବଜାର ସହିତ ସଂଯୋଗ କରି ଆୟ ବୃଦ୍ଧି ଓ ଆତ୍ମନିର୍ଭରତା ଅର୍ଜନ କରିବେ। ଏହା ସେମାନଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିବା ସହ ‘ଲକ୍ଷପତି ଦିଦି’ ହେବା ସ୍ୱପ୍ନକୁ ସାକାର କରିବ। ମିସନ୍ ଶକ୍ତିର ଏହି ପଦକ୍ଷେପ ‘ବିକଶିତ ଓଡ଼ିଶା-୨୦୩୬’ ଓ ‘ବିକଶିତ ଭାରତ-୨୦୪୭’ର ସ୍ୱପ୍ନକୁ ଆହୁରି ସୁଦୃଢ଼ କରିବ। ମେଳା ଦିବା ୧୧ରୁ ରାତି ୯ଟା ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ ବିଭାଗୀୟ ଶାସନ ସଚିବ ଗିରୀଶ ଏସ୍.ଏନ୍, ନିର୍ଦ୍ଦେଶିକା ମୋନିକା ପ୍ରିୟଦର୍ଶିନୀ ଓ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
Follow Us