ଆସିକାରେ ବି ଚାଲିଥିଲା ନକଲି ଡାକ୍ତର ଶୁଭ୍ରଜିତ୍‌ଙ୍କ ସାମ୍ରାଜ୍ୟ; ମାସକୁ ଦୁଇଥର ଆସୁଥିଲେ, ଲିଫଲେଟ୍ ବାଣ୍ଟି ରୋଗୀ ଅଣାଯାଉଥିଲା

Advertisment
ଆସିକାରେ ବି ଚାଲିଥିଲା ନକଲି ଡାକ୍ତର ଶୁଭ୍ରଜିତ୍‌ଙ୍କ ସାମ୍ରାଜ୍ୟ; ମାସକୁ ଦୁଇଥର ଆସୁଥିଲେ, ଲିଫଲେଟ୍ ବାଣ୍ଟି ରୋଗୀ ଅଣାଯାଉଥିଲା

ଆସିକା: ଗତ ୧୭ ତାରିଖରେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ଡେଙ୍ଗାଓସ୍ତାରୁ ପୁଲିସ ନକଲି ଡାକ୍ତର ଶୁଭ୍ରଜିତ୍ ପଣ୍ଡାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ତାଙ୍କ କ୍ଲିନିକ୍‌କୁ ମଧ୍ୟ ସିଲ୍ କରିଥିଲା। ତେବେ ଅର୍ଥୋ‌ପେଡିକ୍ ଆଣ୍ଡ ସ୍ପାଇନାଲ୍ ସର୍ଜରିରେ ଶିକ୍ଷାପ୍ରାପ୍ତ କରିଛନ୍ତି ବୋଲି ଲୋକଙ୍କୁ ପରିଚୟ ଦେଇ ସେମାନଙ୍କୁ ବର୍ଷ ବର୍ଷ ଧରି ଧୋକା ଦେଇ ଚାଲିଥିବା ଶୁଭ୍ରଜିତ୍ କେବଳ ଡେଙ୍ଗାଓସ୍ତା ନ‌ୁହେଁ, ଗଞ୍ଜାମର ଆସିକା ସହରକୁ ବି ସାମ୍ରାଜ୍ୟ ବିସ୍ତାର କରିଥିଲେ। ଭିଜିଟିଂ ପ୍ରଫେସର ସାଜି ରୋଗୀଙ୍କୁ ସେବା ଯୋଗାଇ ଦେଉଥିଲେ। ଏଥିପାଇଁ ଏକ ନିର୍ଦ୍ଦିଷ୍ଟ ଔଷଧ ଦୋକାନ ସହ ସେ ସଂପର୍କରେ ରହିଥିଲେ। ଦ‌ୋକାନ ମାଲିକଙ୍କ ସହମତିରେ ଶୁଭ୍ରଜିତ୍ ମାସକୁ ଦୁଇଥର ଆସିକା ଆସୁଥିଲେ। ସ୍ବତନ୍ତ୍ର ଚାମ୍ବର୍‌ରେ ରୋଗୀଙ୍କ ଚିକିତ୍ସା କରୁଥିଲେ।

ଆସିବାକୁ ମାସର ଯେଉଁ ଦୁଇଦିନ ଧାର୍ଯ୍ୟ ହେଉଥିଲା, ଉକ୍ତ ତାରିଖ ବିଷୟରେ ଲିଫ୍‌ଲେଟ୍ ଛାପି ଲୋକଙ୍କୁ ବିଭିନ୍ନ ମାଧ୍ୟମରେ ବଣ୍ଟା ଯାଉଥିଲା। ଯେଉଁଥିରେ ଆମେରିକା, ନ୍ୟୁୟର୍କରୁ ତାଲିମପ୍ରାପ୍ତ ବୋଲି ଶୁଭ୍ରଜିତ୍‌ଙ୍କ ଶିକ୍ଷାଗତ ‌ଯୋଗ୍ୟତା ଦର୍ଶାଯାଉଥିଲା। ସେ ଗଣ୍ଠିବାତ, ହାଡ଼ଭଙ୍ଗାଜନିତ ସମସ୍ୟା, ମାଂସପେଶୀ ସମସ୍ୟା, ଗଣ୍ଠିଫୁଲା, ରକ୍ତଚାପ ଓ ମଧୁମେହ ସମେତ ବିଭିନ୍ନ ରୋଗର ଚିକିତ୍ସା ବିଷୟରେ ବିଶେଷଜ୍ଞ ଭାବେ ଅଭିଜ୍ଞତା ରଖିଥିବା ଉଲ୍ଲେଖ କରାଯାଉଥିଲା। ଚଳିତମାସ ମଧ୍ୟ ୧୫ ତାରିଖ ଓ ୧୯ ତାରିଖରେ ଶୁଭ୍ରଜିତ୍ ଆସିକା ଆସିବା ଲାଗି ଲିଫ୍‌‌ଲେଟ୍ ବଣ୍ଟା ସରିଥିଲା। କିନ୍ତୁ ଏହାମଧ୍ୟରେ ସେ ପୁଲିସ ଜାଲରେ ପଡ଼ି ଯାଇଥିଲେ। ଶୁଭ୍ରଜିତ୍‌ଙ୍କ ଗିରଫଦାରିକୁ ନେଇ ସହରରେ ବିଭିନ୍ନ ମହଲରେ ବର୍ତ୍ତମାନ ଚର୍ଚ୍ଚା ଜୋର୍ ଧରିଛି। ଅନ୍ୟପକ୍ଷରେ ଏହି ଘଟଣା ସାମ୍ନାକୁ ଆସିବା ପରେ ଔଷଧ ଦୋକାନ ଆଗରୁ ଶୁଭ୍ରଜିତ୍‌ଙ୍କ ନାମରେ ଲାଗିଥିବା ସାଇନବୋର୍ଡ଼କୁ ହଟାଇ ଦିଆଯାଇଛି।

କେବଳ ଶୁଭ୍ରଜିତ ନୁହଁନ୍ତି, ଆସିକା ସହରକୁ ମାଳମାଳ ନକଲି ଡାକ୍ତର ଓ କ୍ବାକ୍‌ ଆସି ରୋଗୀଙ୍କୁ ଚିକିତ୍ସା ଯୋଗାଇ ଦେଉଛନ୍ତି। ଗୋଟିଏ ପଟେ ଉପଖଣ୍ଡ ଡାକ୍ତରଖାନାର ଭିତ୍ତିଭୂମି ବିକାଶ ଓ ଡାକ୍ତର ପଦବିକୁ ସ୍ବାସ୍ଥ୍ୟ ବିଭାଗ ପୂରଣ କରୁ ନଥିବା ବେଳେ ଅନ୍ୟପଟେ ଏହାର ସୁଯୋଗ ନେଇ ନକଲି ଡାକ୍ତରଙ୍କ ଗତିବିଧି ଚିନ୍ତାର କାରଣ ପାଲଟିଛି। ବିଭିନ୍ନ ଔଷଧ ଦୋକାନକୁ ଏହି ଡାକ୍ତରମାନେ ଆସୁଥିବା ବେଳେ ବିଭିନ୍ନ ସ୍ଥାନରେ ଏଥିପାଇଁ ଦଲାଲ୍ ନିୟୋଜିତ ହୋଇଛନ୍ତି। ଯେଉଁ ଦୋକାନକୁ ଡାକ୍ତର ଆସୁଛନ୍ତି ସେଠାରେ ଗୋଟିଏ ଦିନରେ ହଜାର ହଜାର ଟଙ୍କାର ବ୍ୟବସା‌ୟ ହେଉଛନ୍ତି। ଡାକ୍ତରମାନଙ୍କ ଲମ୍ବା ଶିକ୍ଷାଗତ ଯୋଗ୍ୟତା ସାଙ୍ଗକୁ ବ୍ୟାନର୍ ଲଗାଇ ରୋଗୀଙ୍କୁ ଆସିବାକୁ ଏକ ପ୍ରକାର ବାଧ୍ୟ କରାଯାଉଛି। ଫଳରେ ସହର ଏବଂ ଉପକଣ୍ଠ ଅଞ୍ଚଳର ରୋଗୀମାନେ ଉପଖଣ୍ଡ ଡାକ୍ତରଖାନାକୁ କମ୍, ଔଷଧ ଦୋକାନକୁ ଅଧିକ ଯାଉଛନ୍ତି। ଡାକ୍ତରମାନେ ନିର୍ଦ୍ଦିଷ୍ଟ କିଛି କମ୍ପାନିର ହିଁ ଔଷଧ ଲେଖୁଛନ୍ତି। ଆଉ ଖର୍ଚ୍ଚାନ୍ତ ହେବା ସହ ଭୁଲ୍ ଔଷଧ ନେଇ ଅସୁବିଧାରେ ପଡ଼ୁଛନ୍ତି। କେବଳ ଏତିକି ନୁହେଁ, ରୋଗୀଙ୍କୁ ଅସ୍ତ୍ରୋପଚାର କରାଯାଉଥିବାର ଅନେକ ନଜିର୍ ରହିଛି।

ଅନ୍ୟପକ୍ଷରେ ଗୋଟିଏ ସ୍ବାସ୍ଥ୍ୟ କେନ୍ଦ୍ର ଓ ତିନିଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ମଧ୍ୟ ଡାକ୍ତର ଅଭାବ ଲାଗି ରହିଛି। ଫଳରେ ଗ୍ରାମାଞ୍ଚଳ ଗୁଡ଼ିକରେ ବି ନକଲି ଡାକ୍ତର ଓ କ୍ବାକ୍ ସକ୍ରିୟ ହୋଇଉଠିଛନ୍ତି। ବ‌ର୍ଷ ବର୍ଷ ଧରି ସ୍ବାସ୍ଥ୍ୟ ବିଭାଗ, ଡ୍ରଗ୍ସ ଇନସପେକ୍ଟର୍ ଓ ପ୍ରଶାସନ ପକ୍ଷରୁ ଯାଞ୍ଚ ହେଉ ନଥିବାରୁ କିଛି ଔଷଧ ଦୋକାନରେ ଏଭଳି ବେଆଇନ କାରନାମା ଚାଲିଛି। କିଛି ଔଷଧ ଦ‌ୋକାନୀଙ୍କ ନିଜସ୍ବ ଫାର୍ମାସିଷ୍ଟ ଲାଇସେନ୍ସ୍ ବି ନାହିଁ। ଫଳରେ ଶୁଭ୍ରଜିତ୍‌ଙ୍କ ଗିରଫଦାରି ପରେ ସ୍ବାସ୍ଥ୍ୟବିଭାଗର ଚେତା ପଶୁଛି କି ନାହିଁ, ଏହା ଦେଖିବାକୁ ବାକି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe