ହିଞ୍ଜିଳିରୁ ନବୀନଙ୍କ ପ୍ରାର୍ଥିପତ୍ର ଦାଖଲ: ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଲେ

Advertisment
ହିଞ୍ଜିଳିରୁ ନବୀନଙ୍କ ପ୍ରାର୍ଥିପତ୍ର ଦାଖଲ: ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଲେ

ଛତ୍ରପୁର/ପୁରୁଷୋତ୍ତମପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସକାଳ ପ୍ରାୟ ୧୧ଟା ୫ରେ ନରସିଂହପୁର ଛକ ଅସ୍ଥାୟୀ ହେଲିପ୍ୟାଡ୍‌ରେ ଅବତରଣ କରିଥିଲେ। ଦଳୀୟ ନେତା ଓ ସମର୍ଥକଙ୍କ ସହ ଏକ ଶୋଭାଯାତ୍ରାରେ ମା’ ତାରାତାରିଣୀଙ୍କ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ସେଠାରୁ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଛତ୍ରପୁର ସର୍କିଟ୍‌ଗୃହ ଠାରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ବରେ ବହୁ ସଂଖ୍ୟା‌ରେ ମହିଳା, ପୁରୁଷ ଓ ବିଜେଡି କର୍ମୀ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ ଜଣାଇଥିଲେ। ରିଟର୍ଣ୍ଣିଂ ଅଫିସର୍ ତଥା ଅତିରିକ୍ତ ଉପଜିଲ୍ଲାପାଳ ପାର୍ଥସାରଥି ହଁାସଦାଙ୍କ ନିକଟରେ ମୁଖ୍ୟମନ୍ତ୍ରୀ ୪ ସେଟ୍ ନାମାଙ୍କନ ଦାଖଲ କରିଥିଲେ। କବିରାଜ ପ୍ରଧାନ, ସୁରେନ୍ଦ୍ରନାଥ ପ୍ରଧାନ, ଶରତ ଚନ୍ଦ୍ର ପାତ୍ର ଓ ସୁବାସ ଚନ୍ଦ୍ର ପଲେଇ ପ୍ରମୁଖ ପ୍ରସ୍ତାବକ ଓ ସମର୍ଥକଙ୍କ ସମେତ ଆଇନଜୀବୀ ବି. ଶ୍ରୀନିବାସ ଉପସ୍ଥିତ ଥିଲେ।

୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ସମେତ ଅର୍ଥମନ୍ତ୍ରୀ ବିକ୍ରମକେଶରୀ ଆରୁଖ, ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ, ଆସିକା ଲୋକସଭା ବିଜେଡି ପ୍ରାର୍ଥିନୀ ରଂଜିତା ସାହୁ, ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଏବଂ ସାନଖେମୁଣ୍ଡି ବିଧାୟକ ପ୍ରାର୍ଥୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀଙ୍କ ସମେତ ବହୁ ବିଜେଡି ନେତା ଉପସ୍ଥିତ ଥିଲେ। ହିଞ୍ଜିଳି ଆସନରୁ ମୁଖ୍ୟମନ୍ତ୍ରୀ କ୍ରମାଗତ ଷଷ୍ଠଥର ପାଇଁ ନିର୍ବାଚନ ଲଢ଼ିବା ଅଭିଯାନ ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏଥର ହିଞ୍ଜିଳି ବ୍ୟତୀତ ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜିରୁ ମଧ୍ୟ ନିର୍ବାଚନ ଲଢ଼ିବେ। ଆସିକା ସଂସଦୀୟ ଆସନ ଅଧୀନରେ ଥିବା ହିଞ୍ଜିଳିରେ ଆସନ୍ତା ମେ’ ୨୦ ତାରିଖରେ ମତଦାନ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe