ଆଜି ସରିବ ପୌର ନିର୍ବାଚନର ପ୍ରାର୍ଥିପତ୍ର ଦାଖଲ: ଦଳଙ୍କୁ ଘାରିଛି ବିଦ୍ରୋହ ଡର

ପୌର ଉପାଧ୍ୟକ୍ଷ ନିର୍ବାଚନ ଆଜି

ଅଧିକାଂଶ ପୌରାଞ୍ଚଳରେ ୩ ଦଳର ପ୍ରାର୍ଥୀ ତାଲିକା ବାହାରିନି
ପଞ୍ଚାୟତ ଫଳାଫଳକୁ ନେଇ ଶାସକ ଓ ବିରୋଧୀ ଅଡ଼ୁଆରେ
ଛକାପଞ୍ଝାରେ ବିରୋଧୀ ବି ତାଲିକା ଜାରି କରିପାରୁନାହାନ୍ତି

ଭୁବନେଶ୍ୱର : ଭୁବନେଶ୍ୱରରେ ବିଜେଡି କର୍ପୋରେଟର୍ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିନାହିଁ। ବ୍ରହ୍ମପୁର, କଟକରେ ବି ସମାନ ଅବସ୍ଥା। ଏହି ତିନି ମହାନଗର ନିଗମରେ ବିଜେପି, କଂଗ୍ରେସ ବି ପ୍ରାର୍ଥୀ ତାଲିକା ସମ୍ପୂର୍ଣ୍ଣ କରିପାରିନାହାନ୍ତି। କେନ୍ଦ୍ରାପଡ଼ା ପୌରପାଳିକାରେ ବିଜେଡି ଅଧ୍ୟକ୍ଷ ଓ କାଉନ୍‌ସିଲର୍ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନି। ବଲାଙ୍ଗୀରରେ ବି ସମାନ ଅବସ୍ଥା। ବାଲେଶ୍ବରରେ ତିନି ଦଳ କାଉନ୍‌ସିଲର୍ ପ୍ରାର୍ଥୀଙ୍କ ନାମ ଲୋକଙ୍କୁ ଜଣାଇପାରୁନାହାନ୍ତି। ନବରଙ୍ଗପୁର ପୌରପାଳିକା ପାଇଁ ଆଜି ରାତିରେ ଅଧା ପ୍ରାର୍ଥୀ ଘୋଷଣା କଲା ବିଜେଡି।

ପୌର ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ସମୟସୀମା ୭ ତାରିଖ ଅର୍ଥାତ ଆସନ୍ତାକାଲି ସରିବ। ହାତରେ ମାତ୍ର ଗୋଟିଏ ଦିନ। କିନ୍ତୁ ରାଜନୈତିକ ଦଳର ପ୍ରାର୍ଥୀ ଘୋଷଣା ହୋଇପାରିନି। ଶାସକ ବିଜେଡି ସମେତ ବିରୋଧୀ ବିଜେପି ଓ କଂଗ୍ରେସ ନିଜ ନିଜର ସମ୍ପୂର୍ଣ୍ଣ ପ୍ରାର୍ଥୀ ତାଲିକା ଜାରି କରି ନ ପାରିବା ସମସ୍ତଙ୍କୁ ଆଚମ୍ବିତ କରିଛି। ପଞ୍ଚାୟତ ଫଳାଫଳ ହିଁ ତିନି ଦଳକୁ ଅଡ଼ୁଆରେ ପକାଇଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି। ବିଜେଡିର ଆଶାତୀତ ସଫଳତା ପୌର ପାଇଁ ଆଶାୟୀଙ୍କ ସଂଖ୍ୟାକୁ ବହୁଗୁଣିତ କରିଦେଇଛି। ଫଳରେ ବିଦ୍ରୋହ ଆଶଙ୍କା ବଢ଼ିଯାଇଛି ଓ ଦଳ ଅଡ଼ୁଆରେ ପଡ଼ିଛି। ସେମିତି ବିରୋଧୀ ବିଜେପି ଓ କଂଗ୍ରେସର ପଞ୍ଚାୟତ ବିଫଳତା ପୌର ନିର୍ବାଚନ ପାଇଁ ସମରସଜ୍ଜାରେ ପ୍ରତିବନ୍ଧକ ସାଜିଛି।

publive-image

ତିନି ଦଳ ପ୍ରାର୍ଥୀଙ୍କ ନାମ ସାର୍ବଜନୀନ କରୁ ନ ଥିବାରୁ ସାଧାରଣ ଜନତା ତ ଅନ୍ଧାରରେ ରହୁଛନ୍ତି। ତାହା ସହ ବହୁ ପ୍ରାର୍ଥୀଙ୍କର ଧୈର୍ଯ୍ୟଚ୍ୟୁତି ଘଟିଲାଣି। ଫଳରେ ବିନା ଟିକେଟରେ ସେମାନେ ସ୍ବାଧୀନ ଭାବେ ପ୍ରାର୍ଥିପତ୍ର ଦାଖଲ ଆରମ୍ଭ କରିଦେଇଛନ୍ତି। କିନ୍ତୁ ସେମାନଙ୍କ ଶୋଭାଯାତ୍ରାରେ ଦଳୀୟ ପତାକା ଲାଗୁଛି ଓ ଦଳୀୟ କର୍ମୀ ସେଥିରେ ସାମିଲ ହେଉଛନ୍ତି। ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ୭ ହୋଇଥିଲେ ବି ପ୍ରାର୍ଥୀମାନେ ୯ ତାରିଖ ସୁଦ୍ଧା ଦଳୀୟ ଟିକେଟ୍ ଦାଖଲ କରିପାରିବେ। ଟିକେଟ୍ ଦାଖଲ ନ କଲେ ସେମାନଙ୍କୁ ସ୍ବାଧୀନ ପ୍ରାର୍ଥୀ ଭାବେ ବିବେଚନା କରାଯିବ। ତେବେ ପ୍ରାର୍ଥିପତ୍ର ଦାଖଲ କରୁଥିବା ପ୍ରାର୍ଥୀମାନେ ନିଜ ନିଜ ବିଧାୟକଙ୍କ ଠାରୁ ଟିକେଟ୍ ପାଇବା ନେଇ ନିର୍ଭର ପ୍ରତିଶ୍ରୁତି ପାଇଥିବା କହିଛନ୍ତି।

ପଞ୍ଚାୟତ ନିର୍ବାଚନ ପରେ ପୌର ନିର୍ବାଚନ ହେବ ବୋଲି ବେଶ୍ ଆଗୁଆ ସୂଚନା ମିଳୁଥିଲା। ଏଥିପାଇଁ ପ୍ରଶାସନିକ ପ୍ରସ୍ତୁତି ଚାଲୁଥିଲା। କିନ୍ତୁ ପଞ୍ଚାୟତ ଫଳ ବାହାରିବା ଆଗରୁ ଏପରି ଅତର୍କିତ ଭାବେ ପୌର ନିର୍ବାଚନ ତାରିଖ ଘୋଷଣା ହେବ ବୋଲି ବିରୋଧୀ ରାଜନୈତିକ ଦଳ ଅନୁମାନ କରିପାରି ନ ଥିଲେ। ସେମାନଙ୍କୁ ପ୍ରସ୍ତୁତ ହେବାକୁ ବି ସମୟ ନ ଥିଲା। ପୁଣି ପଞ୍ଚାୟତ ଫଳ ଆସିଲା ପରେ ପରାଜୟର ମାନସିକ ଅବସାଦରୁ ବାହାରି ପୌର ନିର୍ବାଚନ ପ୍ରସ୍ତୁତି କରିବାକୁ ବି କଷ୍ଟକର ଥିଲା। ତେଣୁ ପ୍ରାର୍ଥୀ ଚୟନରେ ସେମାନଙ୍କ ବିଳମ୍ବ ସ୍ବାଭାବିକ ବୋଲି ରାଜନୈତିକ ମହଲ ମତ ଦେଉଛନ୍ତି। ପୁଣି ପଞ୍ଚାୟତରେ ଶାସକ ବିଜେଡି ସପକ୍ଷରେ ହାୱା ଏତେ ଜୋରରେ ବହିଛି ଯେ ସହରର ଫଳାଫଳକୁ ନେଇ ବିରୋଧୀ ଆଶଙ୍କାରେ ଅଛନ୍ତି। ତେଣୁ ବିରୋଧୀ ଦଳରୁ ଆଶାୟୀ ଥିବା କିଛି କାଉନ୍‌ସିଲର୍‌/କର୍ପୋରେଟର୍ ପ୍ରାର୍ଥୀ ମଧ୍ୟ ନିଜ ଆଡ଼ୁ ଓହରିଯାଉଥିବାର ଦେଖିବାକୁ ମିଳିଛି। ଭଲ ପ୍ରାର୍ଥୀ ବାଛି ଶାସକ ଦଳକୁ କଡ଼ା ମୁକାବିଲା ଦେବାକୁ ବିରୋଧୀ ଉଦ୍ୟମ କରୁଥିଲେ ବି ସମୟ କମ୍ ଥିବାରୁ ତାଲିକା ପ୍ରସ୍ତୁତ ହୋଇପାରିନି। ପୁଣି କିଛି ଜାଗାରେ ବିଜେଡିର ପ୍ରଭାବଶାଳୀ ବିଦ୍ରୋହୀ ପ୍ରାର୍ଥୀଙ୍କୁ ଆଣି ନିଜ ଦଳର ପ୍ରାର୍ଥୀ କରିବାକୁ ବିଜେପି ଓ କଂଗ୍ରେସ ଉଦ୍ୟମ କରୁଛନ୍ତି। ତେଣୁ ଛକାପଞ୍ଝାରେ ପ୍ରାର୍ଥୀ ତାଲିକା ଘୋଷଣା ଅହେତୁକ ବିଳମ୍ବ ହୋଇଚାଲିଛି।

publive-image The New Indian Express

ସବୁଠାରୁ ଆଶ୍ଚର୍ଯ୍ୟ କରିଛି ଶାସକ ଦଳର ପୌର ନିର୍ବାଚନ ପ୍ରସ୍ତୁତି। ଅତର୍କିତ ଭାବେ ନିର୍ବାଚନ ତାରିଖ ଘୋଷଣା ବିଷୟରେ ଶାସକ ଦଳ ନିଶ୍ଚିତ ଭାବେ ଅବଗତ ଥିବ। ପୁଣି ପଞ୍ଚାୟତ ନିର୍ବାଚନରେ ଶ୍ରେଷ୍ଠ ପ୍ରଦର୍ଶନ ଦଳର ନେତାମାନଙ୍କ ମନୋବଳକୁ ବଢ଼ାଇ ଦେଇଛି। ତାହାସତ୍ତ୍ବେ ଦଳ ଭୁବନେଶ୍ବର ସମେତ ବହୁ ପୌରାଞ୍ଚଳରେ ପ୍ରାର୍ଥୀ ତାଲିକା ସାର୍ବଜନୀନ କରିପାରିଲା ନାହିଁ। ଏହାର ମୁଖ୍ୟ କାରଣ ରହିଛି ଆଶାୟୀଙ୍କ ସଂଖ୍ୟା ବୃଦ୍ଧି। ବିଭିନ୍ନ ପୌରାଞ୍ଚଳରେ କାଉନ୍‌ସିଲର୍/କର୍ପୋରେଟର୍ ଓ ଅଧ୍ୟକ୍ଷ ପଦବି ପାଇଁ ଦାବିଦାର ସଂଖ୍ୟା ଏତେମାତ୍ରାରେ ବଢ଼ିଯାଇଛି ଯେ ପ୍ରାର୍ଥୀ ଚୟନ କରିବା ଦଳ ପାଇଁ ଅତ୍ୟନ୍ତ କଷ୍ଟକର ବ୍ୟାପାର ହୋଇପଡ଼ିଛି। ଜଣଙ୍କୁ ପ୍ରାର୍ଥୀ କଲା ବେଳେ ସେହି ୱାର୍ଡରେ ଯେପରି ଅସନ୍ତୁଷ୍ଟଙ୍କ ପ୍ରାଦୁର୍ଭାବ ଅଧିକ ନହୁଏ, ସେଥି ପ୍ରତି ଦଳ ନଜର ରଖିଛନ୍ତି। ଅସନ୍ତୁଷ୍ଟଙ୍କୁ ମନାଇବାରେ ଏବେ ବିଧାୟକ ଓ ବରିଷ୍ଠ ନେତାଙ୍କ ସମୟ ଯାଉଛି। ବିଦ୍ରୋହ ଅଧିକ ହେଲେ ସହରାଞ୍ଚଳରେ ବିଜେପି ତାହାର ଫାଇଦା ନେବାର ଆଶଙ୍କା ରହିଛି। ବିଜେଡି ସପକ୍ଷରେ ହାୱା ଥିଲେ ବି ୱାର୍ଡ ସ୍ତରରେ କିଛି ନେତାଙ୍କର ବ୍ୟକ୍ତିଗତ ପ୍ରଭାବ ଅଧିକ ରହିଛି। ତେଣୁ ଠିକ୍ ଭାବେ ପ୍ରାର୍ଥୀ ଚୟନ ନ କଲେ ଅସନ୍ତୁଷ୍ଟ ନେତାମାନେ ଦଳୀୟ ପ୍ରାର୍ଥୀଙ୍କୁ ହରାଇଦେବା କିଛି ଅସମ୍ଭବ ନୁହେଁ।

ଅତୀତରେ ମଧ୍ୟ ଏହାର ଉଦାହରଣ ରହିଛି। ସେଥିପାଇଁ ଅଧିକାଂଶ ସ୍ଥାନରେ ବିଜେଡି ପ୍ରାର୍ଥୀ ଚୟନ ରବିବାର ସକାଳେ ଆପାତତଃ ସାରିଦେଇଥିଲେ ବି ଟିକେଟ୍ ବାଣ୍ଟିପାରି ନାହିଁ। ଆଶାୟୀଙ୍କୁ ସ୍ବାଧୀନ ଭାବେ ଏବେ ପ୍ରାର୍ଥିପତ୍ର ଦାଖଲ କରିବାକୁ ଅଲିଖିତ ନିର୍ଦ୍ଦେଶ ଜାରି ହୋଇଛି। ପରେ ଟିକେଟ୍ ଦାଖଲ କରାଯିବ। ଶେଷ ମୁହୂର୍ତ୍ତରେ ପ୍ରାର୍ଥୀ ଘୋଷଣା ହେଲେ ଅସନ୍ତୁଷ୍ଟ ନେତାମାନେ ଆଉ ସ୍ବାଧୀନ ଭାବେ ପ୍ରାର୍ଥିପତ୍ର ଦାଖଲ କରିବାକୁ ସମୟ ପାଇବେ ନାହିଁ ବୋଲି ଦଳୀୟ ନେତାମାନେ ଆକଳନ କରିଛନ୍ତି। ଫଳରେ ଆଜି ବିଭିନ୍ନ ପୌରାଞ୍ଚଳରେ ବିଜେଡି ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ଦାଖଲ ସମୟରେ ସ୍ଥାନୀୟ ବିଧାୟକ କିମ୍ବା କୌଣସି ବଡ଼ନେତାଙ୍କୁ ଦେଖିବାକୁ ମିଳି ନ ଥିଲା।

ଆଜି ପ୍ରାର୍ଥିପତ୍ର ଦାଖଲ ସରିବା ସହ ତିନି ଦଳର ପ୍ରାର୍ଥୀମାନଙ୍କ ନାମ ଘୋଷଣା ହେବ। ଏହା ପରେ ୱାର୍ଡ ସ୍ତରରେ ରାଜନୀତି ସରଗରମ ହେବ। ତିନି ଦଳ ଯେଉଁ ଲକ୍ଷ୍ୟ ନେଇ ପ୍ରାର୍ଥୀ ଘୋଷଣାରେ ବିଳମ୍ବ କରିଛନ୍ତି, ତାହା କେତେଦୂର ସଫଳ ହେଉଛି ଜଣାପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe