ସଫଳତାର କାହାଣୀ: ଖାଦ୍ୟ ପରିବେଷଣରୁ ୩ ଶହ ଯୁବକଙ୍କୁ ରୋଜଗାର

Advertisment
ସଫଳତାର କାହାଣୀ: ଖାଦ୍ୟ ପରିବେଷଣରୁ ୩ ଶହ ଯୁବକଙ୍କୁ ରୋଜଗାର

ବ୍ରହ୍ମବରଦା: କରୋନା ସମୟରେ ଯେତେବେଳେ ଅନେକଙ୍କ ହାତରେ କାମ ନଥିଲା ସେତେବେଳେ ତାଙ୍କ ହାତ ଖାଦ୍ୟ ପରଷୁଥିଲା। ସେହି ଖାଦ୍ୟ ପରିବେଷଣ ଖାଲି ତାଙ୍କୁ ରୋଜଗାର ଦେଇନାହିଁ, ସମାଜରେ ସମ୍ମାନ ଓ ପ୍ରତିଷ୍ଠା ମଧ୍ୟ ବଢ଼ାଇଛି। ଏବେ ତାଙ୍କ ପାଖରେ ରହିଛି ୨୦ରୁ ଅଧିକ ଟିମ୍‌ ଏବଂ ଏଥିରେ ୩ ଶହରୁ ଅଧିକ ପିଲା କାମ କରୁଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଖାଦ୍ୟ ପରିବେଷଣ କରିବାର ଅର୍ଡର ତାଙ୍କ ପାଖକୁ ଆସିବାରେ ଲାଗିଛି। ମା’ ଜାଡ଼େଈ କ୍ୟାଟେରିଂ ନାମରେ ସେ ଏବେ ଲୋକଙ୍କୁ ସେବା ଯୋଗାଇ ଚର୍ଚ୍ଚାରେ। ଏଭଳି ଏକ ଅଣପାରମ୍ପରିକ ଦୁନିଆରେ ପାଦ ଦେଇ ଯୁବଗୋଷ୍ଠୀଙ୍କୁ ନୂଆ ଦିଶା ଦେଖାଇଛନ୍ତି ୨୪ ବର୍ଷର ଯୁବକ କୁନାଲ ବିଶ୍ବାଳ।

ଯାଜପୁର ବ୍ଲକ ଝାଲପଡ଼ା ପଞ୍ଚାୟତ ସାନବାଗସାହି ଗ୍ରାମର ବିଜୟ କୁମାର ବିଶ୍ବାଳଙ୍କ ଏକମାତ୍ର ପୁଅ କୁନାଲ। ଘରେ ପାଞ୍ଚପ୍ରାଣୀ କୁଟୁମ୍ବ। ଅଭାବୀ ପରିବାର ହେତୁ ଦଶମ ପରେ ତାଙ୍କ ପାଠପଢ଼ାରେ ଡୋରି ବନ୍ଧା ହୋଇଗଲା। ଘର ଚଳାଇବା ପାଇଁ ବ୍ରହ୍ମବରଦା ହାଟ ତଥା ପାଖ ବଜାରରେ ଦୈନିକ ପରିବା ବେପାର କରି କିଛି ରୋଜଗାର କରୁଥିଲେ। ସନ୍ଧ୍ୟାରେ ନିଜ ଗାଁରେ ଥିବା ରୋଷେଇ ନନା (ପୂଝାରୀ)ଙ୍କ ସହିତ ଖାଦ୍ୟ ପରିବେଷଣରେ ଯାଇ ୧୫୦ ଟଙ୍କା ପାରିଶ୍ରମିକ ପାଉଥିଲେ। ପରେପରେ ସେ ନିଜେ ଗ୍ରାମର କିଛି ଯୁବକଙ୍କୁ ନେଇ ଗୋଟିଏ ଟିମ୍‌ ଗଠନ କରି ବିଭିନ୍ନ ସ୍ଥାନରେ ପୂଝାରୀଙ୍କ ସହିତ ସମ୍ପର୍କ ରଖି ପରିବେଷଣ କରିବା କାର୍ଯ୍ୟ ଠିକ କରୁଥିଲେ। ଏଥିରେ ସେ ନିଜେ ପାରିଶ୍ରମିକ ପାଇବା ସହିତ ସହଯୋଗୀମାନଙ୍କୁ ମଧ୍ୟ ରୋଜଗାର ଯୋଗାଇଥିଲେ। ଧୀରେଧୀରେ ତାଙ୍କ କାମ ଚର୍ଚ୍ଚାକୁ ଆସିବାରୁ ବିଭିନ୍ନ ସ୍ଥାନରେ ଭୋଜିଭାତ ହେଲେ କୁନାଲ ଖୋଜାପଡ଼ିଲେ।

ଅଧିକ ଅର୍ଡର ଆସିବାରୁ ସେ ମା’ ଜାଡେଈ ଯୁବ କ୍ୟାଟେରିଙ୍ଗ ନାମରେ ଖାଦ୍ୟ ପରିବେଷଣ କରିବା ସହ ଏକ ଟିମ୍‌ ଗଠନ କଲେ। ଏବେ ତାଙ୍କ ପାଖରେ ୨୦ରୁ ଊର୍ଦ୍ଧ୍ବ ଟିମ୍‌ ଓ ୩ଶହରୁ ଊର୍ଦ୍ଧ୍ବ ଯୁବକଯୁବତୀ ଖାଦ୍ୟ ପରିବେଷଣଠାରୁ ଅଭ୍ୟର୍ଥନା ଦାୟିତ୍ବ ତୁଲାଉଛନ୍ତି। ଆଜିର ଦିନରେ ବଡ଼ଚଣା, ବରୀ, ଯାଜପୁର, ଭୁବନେଶ୍ବର, ପୁରୀ, ଭଦ୍ରକ ପ୍ରମୁଖ ସ୍ଥାନରେ ସେ ଓ ତାଙ୍କ ଟିମ୍‌ କାମ କରିସାରିଲେଣି। ସିଧାସଳଖ ଘରୋଇ ମାଲିକଙ୍କଠାରୁ ୨୦ ରୁ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ନେଇ ସଂପୂର୍ଣ୍ଣ ଭୋଜି ଦାୟିତ୍ବ ସେମାନେ ତୁଲାଉଛନ୍ତି। ଗୋଟିଏ ଗୋଟିଏ କାମରେ ୩ ହଜାରରୁ ୫ ହଜାର ଟଙ୍କା ରୋଜଗାର କରୁଛନ୍ତି। ବଡ଼କଥା ହେଉଛି ୩ଶହରୁ ଅଧିକ ଯୁବକଯୁବତୀଙ୍କୁ ସେ ରୋଜଗାର ଦେଇପାରିଛନ୍ତି। ଭୋଜିଭାତ ବିବାହ ଋତୁରେ ମାସକୁ ୨୦-୨୫ ଟି ଅର୍ଡର ତାଙ୍କ ପାଖରେ ରହୁଛି। ଅନ୍ୟ ସମୟରେ ୧୨-୧୪ଟି ଅର୍ଡର ରହୁଥିବା ସେ କହନ୍ତି। ଆଜିର ଦିନରେ ସେ ତାଙ୍କର ଦୁଇ ଭଉଣୀଙ୍କୁ ବିବାହ କରାଇ ନିଜର ପକ୍କାଘର କରିବା ସହିତ ବାପାଙ୍କୁ ଏକ ଫଳ ଦୋକାନ କରାଇ ଦେଇଛନ୍ତି। ବଡ଼କଥା ହେଉଛି ତାଙ୍କ ରୋଜଗାରର ମାଧ୍ୟମକୁ ନେଇ ସେ ଖୁବ ପ୍ରଶଂସା ସାଉଁଟୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe