ଚର୍ଚ୍ଚାରେ ବେଲମତୀ : ଅନୁର୍ବର ଭୂଇଁରେ ଫଳାଉଛନ୍ତି ଲକ୍ଷଲକ୍ଷ ଟଙ୍କାର ଲଙ୍କା

Advertisment
ଚର୍ଚ୍ଚାରେ ବେଲମତୀ : ଅନୁର୍ବର ଭୂଇଁରେ ଫଳାଉଛନ୍ତି ଲକ୍ଷଲକ୍ଷ ଟଙ୍କାର ଲଙ୍କା

ରାଇରଙ୍ଗପୁର/ହାଟବାଦଡ଼ା: କୁସୁମୀ ବ୍ଲକ୍ ସାନହାତନାବେଡ଼ା ଗ୍ରାମ କଙ୍ଗାସାହିର ସଫଳ ମହିଳା ଲଙ୍କାଚାଷୀ ବେଲମତୀ ହେମ୍ବ୍ରମ। ପିଲାଟିବେଳୁ ତାଙ୍କର ଗଛଲତା ଓ ବାଡ଼ିବଗିଚା ପ୍ରତି ଅହେତୁକ ଆକର୍ଷଣ ଓ ଦୁର୍ବଳତା ଥିଲା। ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ ପିଲାଟିବେଳୁ ସ୍କୁଲ୍‌ ଯିବା ବନ୍ଦ ହୋଇଗଲା। ଚାଷକାମରେ ବାପାଙ୍କୁ ସାହାଯ୍ୟ କରିବା ସହ ଗାଈ ଚରାଉଥିଲେ। ବୟସ ହେବାରୁ କୁସୁମୀ ବ୍ଲକ୍ ସାନହାତନାବେଡ଼ା ଗ୍ରାମର ସୁକଲାଲ୍ ହେମ୍ବ୍ରମଙ୍କୁ ବିବାହ କରିଥିଲେ। ଚାଷ ପ୍ରତି ଆଗ୍ରହ ଥିବାରୁ ୨୦୨୦ ମସିହାରେ ସିଏଲ୍‌ଏନ୍‌ଏଲ୍ ଓ ଏଲ୍‌ଏମ୍ ସଂସ୍ଥା ମିଳିତ ସହଯୋଗରେ ସାନହାତନାବେଡ଼ା ଗ୍ରାମରେ ଲକ୍ଷପତି କିଷାନ କାର୍ଯ୍ୟକ୍ରମର ତାଲିମ ଦିଆଯାଉଥିଲା। ସଂସ୍ଥାର ଲକ୍ଷ୍ୟ ଥିଲା ଗରିବ ଚାଷୀମାନେ କିପରି ଲକ୍ଷଲକ୍ଷ ଟଙ୍କା ରୋଜଗାର କରିପାରିବେ।

ବେଲମତୀ ମହିଳା ନିଜ ଘରବାଡ଼ିରେ ପନିପରିବା ଚାଷ କରୁଥିବା ସୂଚନା ପାଇ ସଂସ୍ଥା ପକ୍ଷରୁ ବେଲମତୀଙ୍କୁ ସାମିଲ କରାଯାଇ ବୈଜ୍ଞାନିକ ପଦ୍ଧତିରେ ଲଙ୍କାଚାଷ ନିମନ୍ତେ ତାଲିମ ଦିଆଯାଇଥିଲା। ଫଳରେ ଘର ପାଖରେ ଥିବା ଅନୁର୍ବର ଜମିକୁ  ବେଲମତୀ ଶସ୍ୟଶ୍ୟାମଳା କରିଛନ୍ତି। ଚଳିତ ବର୍ଷ ୮ ଡେସିମିଲ୍ ଜମିରେ ଚାଷକରି ୨୦ ହଜାର ଟଙ୍କାରୁ ଅଧିକ ଲଙ୍କା ବିକ୍ରି କରି ସାରିଲେଣି। ଉକ୍ତଚାଷ ପାଇଁ ବେଲମତୀଙ୍କୁ ସଂସ୍ଥା ତରଫରୁ ସାହାଯ୍ୟ ମିଳିଥିବା ପ୍ରକାଶ କରିଛନ୍ତି।  ବିହନ, ସାର, କୀଟନାଶକ ଔଷଧ ସମେତ ବିଭିନ୍ନ ସାମଗ୍ରୀ ମିଳିଛି।

ଆଗକୁ  ଲକ୍ଷାଧିକ ଟଙ୍କାର ଲଙ୍କା ବିକ୍ରି କରିବେ ବୋଲି ଆଶା ବାନ୍ଧିଛନ୍ତି। କୃଷି, ଫଳ ଓ ପନିପରିବା ପ୍ରଭୃତି ଚାଷ ପ୍ରତି ବିମୁଖ ହେଉଥିବା ଆଜିର କୃଷି ଉଦ୍ୟୋଗୀଙ୍କ ପାଇଁ ବେଲମତୀ ନିଶ୍ଚିତ ଭାବେ ପ୍ରେରଣାର ଉତ୍ସ ବନିଛନ୍ତି। ସୂଚନାଯୋଗ୍ୟ, ବେଲମତୀଙ୍କ ସ୍ବାମୀ ସୁକଲାଲ୍ ନିଜ ପରିବାର ଭରଣପୋଷଣ ନିମନ୍ତେ ତାଲିମନାଡୁରେ ଏକ ଘରୋଇ କମ୍ପାନିରେ ଦାଦନ ଶ୍ରମିକ ଭାବେ କାମ କରୁଥିଲେ। ବେଲମତୀଙ୍କ ସଫଳତା ପରେ ଆଉ ତାମିଲନାଡୁ ନଯାଇ ସ୍ତ୍ରୀଙ୍କୁ ସହଯୋଗ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe