ଏମ୍‌ସ ଭୁବନେଶ୍ୱରରେ ସଫଳ ବୁଢ଼ା ଆଙ୍ଗୁଳି ପ୍ରତିରୋପଣ

ଯୋଡ଼ାହେଲା ସମ୍ପୂର୍ଣ୍ଣ ଛିଡ଼ି ଯାଇଥିବା ବାମ ହାତ ବୁଢ଼ା ଆଙ୍ଗୁଳି ; ଡାକ୍ତରୀ ଦଳଙ୍କ ଦ୍ବାରା ୧୦ ଘଣ୍ଟାର କଠିନ ଅସ୍ତ୍ରୋପଚାର

ଏମ୍‌ସ ଭୁବନେଶ୍ୱରରେ ସଫଳ ବୁଢ଼ା ଆଙ୍ଗୁଳି ପ୍ରତିରୋପଣ

AIIMS Bhubaneswar

ଭୁବନେଶ୍ୱର : ଏମ୍‌ସ ଭୁବନେଶ୍ୱରରେ ସମ୍ପୂର୍ଣ୍ଣ ଛିଡ଼ିଯାଇ ଅଲଗା ହୋଇଯାଇଥିବା ବାମ ହାତ ବୁଢ଼ା ଆଙ୍ଗୁଳିକୁ ସଫଳତାର ସହିତ ପୁନର୍ବାର ଯୋଡ଼ା ଯାଇଛି। ବର୍ଣ୍ଣ‌୍‌ସ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ଆସୋସିଏଟ୍ ପ୍ରଫେସର ଡ. ସଞ୍ଜୟ ଗିରିଙ୍କ ନେତୃତ୍ୱରେ ଗଠିତ ଏକ ଡାକ୍ତରୀ ଦଳ ଦ୍ବାରା ୧୦ ଘଣ୍ଟାର କଠିନ ଅସ୍ତ୍ରୋପଚାର ପରେ ଏହି ପ୍ରକ୍ରିୟା ସଫଳ ହୋଇଛି। ଅସ୍ତ୍ରୋପଚାର ପରେ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ଅନୁଭବ କରିବା ସହିତ ୧୦ ଦିନ ଏମ୍‌ସରେ ରହିବା ପରେ ଘରକୁ ଫେରିଛନ୍ତି। ପୁନଃଯୋଡ଼ା ଯାଇଥିବା ବାମ ବୁଢ଼ା ଆଙ୍ଗୁଠିରେ ସ୍ବାଭାବିକ ରକ୍ତ ସଞ୍ଚାଳନ ହୋଇଛି, ଯାହାକି ଯୋଡ଼ିବା ପ୍ରକ୍ରିୟା ସଫଳ ହୋଇଥିବା ପ୍ରକାଶ କରିଛନ୍ତି ଡ. ଗିରି। ପ୍ରଥମ ଥର ପାଇଁ ଏମ୍‌ସ ଭୁବନେଶ୍ୱରରେ ଏପରି ସଫଳ ଆଙ୍ଗୁଠି ପୁନଃପ୍ରତିରୋପଣ ହୋଇଛି ।

ଖୋର୍ଦ୍ଧା ଜିଲ୍ଲାର ରବୀନ୍ଦ୍ର ମୁଦୁଲି (୫୪) ନାମକ ଜଣେ ବ୍ୟକ୍ତି ଗତ ମାସ ୨୦ ତାରିଖରେ ରାତି ପ୍ରାୟ ୨ ଟା ସମୟରେ ଏମ୍‌ସ ଭୁବନେଶ୍ୱର ଜରୁରୀ ବିଭାଗକୁ ଆସିଥିଲେ। ଉକ୍ତ ବ୍ୟକ୍ତିଙ୍କ ବାମ ହାତର ବୁଢ଼ା ଆଙ୍ଗୁଠି ଉକ୍ତ ରାତି ପ୍ରାୟ ୯ଟା ସମୟରେ କଟର ମେସିନ୍‌ରେ କଟି ସମ୍ପୂର୍ଣ୍ଣ ଛିଡ଼ିଯାଇଥିଲା। ଅବଶ୍ୟ ପ୍ରାୟ ୫ ଘଣ୍ଟା ବିଳମ୍ବରେ ଆସି ଏମ୍‌ସରେ ପହଞ୍ଚିଥିବା ଆହତଙ୍କ ଛିଡ଼ି ଅଲଗା ହୋଇଯାଇଥିବା ଆଙ୍ଗୁଠିକୁ ବରଫ ସହାୟତାରେ ସଂରକ୍ଷିତ କରି ଆଣିଥିଲେ। ଆହତଙ୍କ ଚିକିତ୍ସା ଆରମ୍ଭ ହେବା ସହିତ ପରଦିନ ସକାଳ ୯ଟାରେ ଅସ୍ତ୍ରୋପଚାର ନିମନ୍ତେ ସ୍ଥିର ହୋଇଥିଲା। ଛିଡ଼ି ଯାଇଥିବା ଉକ୍ତ ବାମ ବୁଢ଼ା ଆଙ୍ଗୁଠିକୁ ନିମ୍ନ ତାପମାତ୍ରାରେ ସଂରକ୍ଷିତ କରି ରଖାଯାଇଥିଲା। ବର୍ଣ୍ଣ‌୍‌ସ ଏବଂ ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗର ଡ. ସଞ୍ଜୟ ଗିରି, ଡ.ଶାନ୍ତନୁ ସୁବାଙ୍କ ନେତୃତ୍ବରେ ହୋଇଥିବା ଏହି ଅପରେସନ୍‌ରେ ଡ. କୌଶିକ, ଡ. ଆହାନା ଏବଂ ଡ. ଗୋପିକା ସହଯୋଗ କରିଥିଲେ। ଡ. ନୀତାଶା ଏବଂ ଡ. ପ୍ରେଗମାଂସୁ ଙ୍କୁ ନେଇ ଗଠିତ ନିଶ୍ଚେତକ ଦଳ ଏଥିରେ ସାମିଲ ଥିଲେ।

publive-image

ଅସ୍ତ୍ରୋପଚାର ଆରମ୍ଭ କରିବା ସହିତ ପ୍ରଥମେ ମାଇକ୍ରୋସ୍କୋପ୍ ସହାୟତାରେ ଛିଡ଼ି ଅଲଗା ହୋଇଯାଇଥିବା ଧମନୀ, ଶିରାପ୍ରଶିରା ଏବଂ ସ୍ନାୟୁକୁ ଯତ୍ନର ସହିତ ଯୋଡ଼ା ଯାଇ ସମସ୍ତ ପ୍ରକ୍ରିୟା ସମ୍ପାଦିତ କରାଯାଇଥିଲା। ଏହା ପ୍ରାୟ ୧୦ ଘଣ୍ଟା ସମୟ ନେଇଥିଲା। ଅସ୍ତ୍ରୋପଚାର ପରେ ଯୋଡ଼ା ଯାଇଥିବା ବାମ ହାତର ବୁଢ଼ା ଆଙ୍ଗୁଠିରେ ରକ୍ତ ସଞ୍ଚାଳନ ଆରମ୍ଭ ହୋଇଛି। ଯାହାକି ପ୍ରତିରୋପଣ ପ୍ରକ୍ରିୟା ସଫଳ ହୋଇଥିବା ଦର୍ଶାଉଛି। ଧୀରେ ଧୀରେ ଫିଜିଓଥେରାପି ଏବଂ ଅନ୍ୟାନ୍ୟ ଚିକିତ୍ସା ପଦ୍ଧତି ସହାୟତାରେ ପ୍ରାୟ ୩-୪ ମାସ ମଧ୍ୟରେ ଏହି ଆଙ୍ଗୁଠି ସ୍ବାଭାବିକ କାମ କରିବା ଆରମ୍ଭ କରିବ ବୋଲି ଡ. ଗିରି ପ୍ରକାଶ କରିଛନ୍ତି ।

ଡକ୍ଟର ଗିରିଙ୍କ କହିବା ଅନୁଯାୟୀ ଏପରି ଜଟିଳ ପରିସ୍ଥିତିରେ ପ୍ରଥମ ଛଅ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯେତେବେଳେ ଏପରି ଘଟଣା ଘଟେ, ସେତେବେଳେ କଟି ସମ୍ପୂର୍ଣ୍ଣ ଅଲଗା ହୋଇଯାଇଥିବା ଅଂଶକୁ ଏକ ଗଜ୍ କନା କିମ୍ବା କପଡାରେ ଗୁଡ଼ାଇବା ସହିତ ଏକ ପଲିଥିନ୍‌ରେ ରଖିବା ଉଚିତ୍‌। ସଙ୍ଗେସଙ୍ଗେ ଉକ୍ତ ପଲିଥିନ୍‌କୁ ଏକ ବରଫ ଚାମ୍ବରରେ ସଠିକ୍ ଭାବରେ ସଂରକ୍ଷିତ କରି ରଖିବା ଉଚିତ୍। ଅଲଗା ହୋଇଯାଇଥିବା ଅଙ୍ଗକୁ ସିଧାସଳଖ ବରଫରେ ରଖାଯିବା ଉଚିତ୍ ନୁହେଁ। ଏହାପରେ ତୁରନ୍ତ ରୋଗୀଙ୍କୁ ହସ୍‌ପିଟାଲ ଆଣିବା ଆବଶ୍ୟକ ବୋଲି ଡ. ଗିରି ମତ ପ୍ରକାଶ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe