ଅଧ୍ୟାପକରୁ ବ୍ଲକ୍‌ ଅଧ୍ୟକ୍ଷ: ଚାକିରିରୁ ଅବସର ପରେ ବନିଗଲେ ସଫଳ ରାଜନେତା

Advertisment
ଅଧ୍ୟାପକରୁ ବ୍ଲକ୍‌ ଅଧ୍ୟକ୍ଷ: ଚାକିରିରୁ ଅବସର ପରେ ବନିଗଲେ ସଫଳ ରାଜନେତା

ବାଲେଶ୍ବର: ସରକାରୀ ଚାକିରିରୁ ଅବସର ପରେ ପ୍ରତ୍ୟକ୍ଷ ନିର୍ବାଚନ ଲଢ଼ିବାକୁ ସୁଯୋଗ ମିଳିବା ଏବଂ ବିଜୟ ହାସଲ କରିି ପୁଣିଥରେ ଗୁରୁତ୍ବପୂର୍ଣ୍ଣ ଆସନ ହାତେଇବା ଭାଗ୍ୟରେ ଥିଲେ ହିଁ ମିଳିଥାଏ। ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ ଏବଂ ରେମୁଣା ବ୍ଲକର ଅଧ୍ୟକ୍ଷ ନିର୍ବାଚନ ପରେ ଏବେ ସରକାରୀ ଦପ୍ତରଠାରୁ ରାଜନୈତିକ ମହଲ ପର୍ଯ୍ୟନ୍ତ ସବୁଠି ଏହି ଚର୍ଚ୍ଚା ଜୋର୍‌ ଧରିଛି।

ସୂଚନାଯୋଗ୍ୟ, ବାହାନଗା ବ୍ଲକ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ବିଶ୍ବନାଥ ମିଶ୍ର। ରାଜନୀତିକୁ ଆସିବା ପୂର୍ବରୁ ସେ ନିଜ ଅଞ୍ଚଳରେ ଥିବା ଭଗବାନ ଚନ୍ଦ୍ର ସଂସ୍କୃତ ମହାବିଦ୍ୟାଳୟରେ ଅଧ୍ୟାପକ ଥିଲେ। ୨୦୨୦ ମସିହାରେ ଉକ୍ତ ଶିକ୍ଷାନୁଷ୍ଠାନରୁ ଭାରପ୍ରାପ୍ତ ଅଧକ୍ଷ ଭାବେ ଅବସର ଗ୍ରହଣ କରିଥିଲେ। ଏହାଛଡ଼ା ତାଙ୍କ ପତ୍ନୀ କବିତା ଶତପଥୀ ଶିକ୍ଷୟିତ୍ରୀ ଥିବାବେଳେ ପୁଅ ତପନ ମିଶ୍ର ବ୍ୟାଙ୍କ କର୍ମଚାରୀ ଓ ଝିଅ ଜୁଲି ମିଶ୍ର ହୋମିଓପ୍ୟାଥିକ୍‌ ଡାକ୍ତର ଅଛନ୍ତି। ଶ୍ରୀ ମିଶ୍ର ଏବଂ ତାଙ୍କ ପରିବାର ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ଏକ ଜଣାଶୁଣା ପରିବାର ହୋଇଥିବାରୁ ଚଳିତ ପଞ୍ଚାୟତ ନିର୍ବାଚନରେ ସେ ରାଜନୀତି ମଇଦାନକୁ ଓହ୍ଲାଇଥିଲେ।

ଓଡ଼ଶାଳ ପଞ୍ଚାୟତରୁ ବିଜେଡି ସମର୍ଥିତ ସମିତି ସଭ୍ୟ ପ୍ରାର୍ଥୀ ହୋଇ ବିଜୟୀ ହେବା ପ‌େର ତାଙ୍କ ପଞ୍ଚାୟତ ସମିତି ଅଧ୍ୟକ୍ଷ ଭାବେ ନିର୍ବାଚିତ କରାଯାଇଛି। ସେହିପରି ରେମୁଣା ବ୍ଲକ ଅଧ୍ୟକ୍ଷ ପଦ ହାତେଇଥିବା ରାଜେନ୍ଦ୍ର ରାଉତ ମଧ୍ୟ ଜଣେ ଅବସରପ୍ରାପ୍ତ କର୍ମଚା‌ରୀ। ସେ ମଧ୍ୟ ବାଲେଶ୍ବର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କିରାଣି ଭାବେ ୩୭ବର୍ଷ ଚାକିରି କରିବା ପରେ ୨୦୨୦ ମସିହାରେ ଅବସର ଗ୍ରହଣ କରିଥିଲେ। ଶ୍ରୀ ରାଉତଙ୍କ ପରିବାରରେ ତାଙ୍କର ୨ ପୁଅ ଓ ବୋହୂ ସଫ୍ଟୱେର ଇଞ୍ଜିନୟର ଥିବାବେଳେ ମଝିଆ ପୁଅବୋହୂ ତାଙ୍କ ସହ ବାଲେଶ୍ବର କୁରୁଡ଼ାଠାରେ ଥିବା ଘରେ ରହୁଛନ୍ତି।

ସରକାରୀ ଚାକିରି କରିଥିବା ବେଳେ ଶ୍ରୀ ରାଉତ ନିଜ ଅଞ୍ଚଳରେ ବିଭିନ୍ନ ଅନୁଷ୍ଠାନ ଓ ସଂଗଠନ ସହ ଜଡ଼ିତ ଥିଲେ। କୁରୁଡ଼ା ଏବଂ ଆଖପାଖ ଅଞ୍ଚଳର କିଛି ବଦାନ୍ୟ ବ୍ୟକ୍ତିଙ୍କ ସହ ମିଶି ବାଙ୍ଗରାଠାରେ ନୀଳକଣ୍ଠେଶ୍ବର ମହାବିଦ୍ୟାଳୟ ପ୍ରତିଷ୍ଠା କରାଇଥିଲେ। ତାଙ୍କର ଲୋକପ୍ରିୟତା ଓ ନିଜ ଅଞ୍ଚଳ ପ୍ରତି ଥିବା ଅବଦାନକୁ ପାଥେୟ କରି ଚଳିତ ପଞ୍ଚାୟତ ନିର୍ବାଚନରେ ସେ କୁରୁଡ଼ା ପଞ୍ଚାୟତରୁ ସମିତିସଭ୍ୟ ପ୍ରାର୍ଥୀ ହୋଇଥିଲେ ଏବଂ ବିପୁଳ ଜନର୍ଥନ ପାଇ ଜିତି ଯାଇଥିଲେ। ପରବର୍ତ୍ତୀ ସମୟରେ ସେ ମଧ୍ୟ ରେମୁଣା ବ୍ଲକର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚିତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe