Image Courtesy of Zee News
ବାଲେଶ୍ବର: ଡିଆରଡିଓ ପକ୍ଷରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଅତ୍ୟାଧୁନିକ ଟ୍ୟାଙ୍କ ବିଧ୍ବଂସୀ କ୍ଷେପଣାସ୍ତ୍ର (ଲେଜର୍ ଗାଇଡେଡ୍ ଆଣ୍ଟି ଟ୍ୟାଙ୍କ ମିଜାଇଲ୍) ଆଜି ଭାରତୀୟ ସେନାର ମୁଖ୍ୟ ଯୁଦ୍ଧ ଟ୍ୟାଙ୍କ ‘ଅର୍ଜୁନ୍’ରୁ ସଫଳତାର ସହ ପରୀକ୍ଷଣ କରାଯାଇଛି। ନିର୍ଦ୍ଧାରିତ ସମୟରେ ଏହି କ୍ଷେପଣାସ୍ତ୍ର ଲକ୍ଷ୍ୟସ୍ଥଳ ଭେଦ କରିଛି। ଶତ୍ରୁପକ୍ଷର ଟ୍ୟାଙ୍କ୍କୁ ନିମିଷକେ ମଧ୍ୟରେ ଧ୍ବଂସ କରିବା ପାଇଁ ଭାରତୀୟ ପ୍ରତିରକ୍ଷା ବିଜ୍ଞାନୀମାନେ ଏହି କ୍ଷେପଣାସ୍ତ୍ରକୁ ଅତ୍ୟାଧୁନିକ ଲେଜର୍ ଜ୍ଞାନକୌଶଳରେ ବିକଶିତ କରିଛନ୍ତି। ଲେଜର୍ ଗାଇଡେଡ୍ ଆଣ୍ଟି ଟ୍ୟାଙ୍କ୍ ମିଜାଇଲର ଓଜନ ୯୭ କିଲୋଗ୍ରାମ ହୋଇଥିବା ବେଳେ ମୋଟେଇ ୧୫୫ ମିଲିମିଟର। ଏହାର ଲକ୍ଷ୍ୟଭେଦ କ୍ଷମତା ଅବ୍ୟର୍ଥ। କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡିଆରଡିଓ ଓ ଭାରତୀୟ ସେନାକୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରତିରକ୍ଷା ସଚିବ ତଥା ଡିଆରଡିଓ ଅଧ୍ୟକ୍ଷ ଡକ୍ଟର ଜି. ସତୀଶ ରେଡ୍ଡୀ ଏଥିରେ ସାମିଲ ଥିବା ବୈଜ୍ଞାନିକ ଓ ବୈଷୟିକ ଦଳକୁ ଅଭିନନ୍ଦନ ଜଣାଇବା ସହ ଲେଜର ଗାଇଡ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ଭାରତୀୟ ସେନାର ଶକ୍ତି ବୃଦ୍ଧି କରିବ ବୋଲି କହିଛନ୍ତି।
Follow Us