ମହିଳା ବି ହୋଇପାରନ୍ତି ସଫଳ ମାଛଚାଷୀ : ୧୬ଟି ପୋଖରୀରେ ଚାଷକରି ଉଦାହରଣ ପାଲଟିଛନ୍ତି କାଞ୍ଚନ

Advertisment

୫୦ରୁ ଅଧିକଙ୍କୁ ଦେଇଛନ୍ତି ନିଯୁକ୍ତି

୫୦ରୁ ଅଧିକଙ୍କୁ ଦେଇଛନ୍ତି ନିଯୁକ୍ତି

ମହିଳା ବି ହୋଇପାରନ୍ତି ସଫଳ ମାଛଚାଷୀ : ୧୬ଟି ପୋଖରୀରେ ଚାଷକରି ଉଦାହରଣ ପାଲଟିଛନ୍ତି କାଞ୍ଚନ

ଭଦ୍ରକ, (ହରିହର ନାୟକ): ମହିଳାମାନେ ଆଉ ଅବଳା କି ଦୁର୍ବଳା ନୁହନ୍ତି। ନିଜେ ପରିଶ୍ରମ କରି ସ୍ବାବଲମ୍ବୀ ହେବା ସହ ଅନ୍ୟ ପାଇଁ ନିଯୁକ୍ତି ମଧ୍ୟ ସୃଷ୍ଟି କରୁଛନ୍ତି। ଏହାର ଜ୍ବଳନ୍ତ ଦୃଷ୍ଟାନ୍ତ ହେଲେ ଭଦ୍ରକ ସଦର ବ୍ଲକ ରମ୍ଭିଳା ଗାଁର କାଞ୍ଚନଲତା ଶୁକ୍ଳା (୪୫)। ତାଙ୍କ ଉଦ୍ୟମରେ ୩ଟି ପୋଖରୀରୁ ଆରମ୍ଭ ହୋଇଥିବା ମାଛଚାଷ ଏବେ ୧୬ଟି ପୋଖରୀରେ ପହଞ୍ଚିଛି। ପ୍ରଥମେ ଅଡୁଆ ଅଡୁଆ ଲାଗୁଥିଲେ ବି ମାଛଚାଷରେ ସଫଳତା ଦେଖି ସ୍ବାମୀ ରବୀନ୍ଦ୍ର କୁମାର ଶୁକ୍ଳା ମଧ୍ୟ ଏଥିରେ ସହଯୋଗ କଲେ। ନିଜର ନିଷ୍ଠା ଓ ପରିଶ୍ରମ ବଳରେ କାଞ୍ଚନଲତା ଆଜି ଜଣେ ପ୍ରତିଷ୍ଠିତ ମହିଳା ମାଛଚାଷୀ ଭାବେ ପରିଚୟ ସାଉଁଟିଛନ୍ତି। ଉପାର୍ଜିତ ଅର୍ଥରେ ନିଜ ପରିବାର ପ୍ରତିପୋଷଣ କରିବା ସହ ୫୦ରୁ ଅଧିକ ଲୋକଙ୍କୁ ରୋଜଗାର ବି ଦେଇଛନ୍ତି।

କାଞ୍ଚନଲତା ଭାକୁଡ଼ ଓ ରୋହି ମାଛଚାଷ କରିବା ସଙ୍ଗେ ସଙ୍ଗେ ଯାଆଁଳ ମଧ୍ୟ ଉତ୍ପାଦନ କରୁଛନ୍ତି। ସପ୍ତାହରେ ୩ ଦିନ ଏବଂ ମାସକୁ ୧୦ରୁ ୧୨ ଦିନ ମାଛ ଧରୁଥିବାବେଳେ ମାସିକ ପ୍ରାୟ ୭୦ କୁଇଣ୍ଟାଲରୁ ଊର୍ଦ୍ଧ୍ବ ମାଛ ସେ ବିକ୍ରି ପାଇଁ ପଠାଇଥାନ୍ତି। ତାଙ୍କ ପୋଖରୀରୁ ଧରାଯାଇଥିବା ସତେଜ, ତଟକା ମାଛର ଆଦର କାହିଁରେ କ’ଣ। ଖାସ୍‌ କରି ଭଦ୍ରକ ସହରରେ ରମ୍ଭିଳା ଗାଁର ଦେଶୀ ମାଛର ବେଶ ଚାହିଦା ରହିଥିବା ବେଳେ କ୍ରେତା, ବିକ୍ରେତା ସମସ୍ତେ ତାଙ୍କ ମାଛକୁ ଅନେଇ ବସିଥାନ୍ତି। ଗୋଟିଏ କୁଇଣ୍ଟାଲ୍‌ ମାଛରୁ ୧୫ ହଜାର ଟଙ୍କା ମିଳେ। ଏଥିରେ ଯାଆଁଳ କିଣାଠାରୁ ଆରମ୍ଭ କରି ମାଛଙ୍କର ଖାଦ୍ୟ, ପୋଖରୀ ଜଗାରଖା କରୁଥିବା ବ୍ୟକ୍ତି ଓ ଜାଲୁଆଙ୍କ ମଜୁରି ଅନ୍ତର୍ଭୁକ୍ତ। ବାହାଘର ସମୟରେ ତାଙ୍କ ପୋଖରୀ ମାଛ ନେବା ପାଇଁ ଲୋକେ ଆଗୁଆ ବରାଦ ଦିଅନ୍ତି। ମାଛ ବ୍ୟତୀତ ପୋଖରୀ ଚାରିପାଖ ହୁଡ଼ାରେ ଅମୃତଭଣ୍ଡା, ଖମ୍ବଆଳୁ, ଓଲୁଅ ଆଦି ଚାଷ କରିଛନ୍ତି। କେବଳ ସେତିକି ନୁହେଁ, ପୋଖରୀ ହୁଡ଼ା ଉପରେ ସ୍ବାମୀ ରବୀନ୍ଦ୍ରଙ୍କ ଉଦ୍ୟମରେ ଏକ ଡାଏରୀ ଫାର୍ମ ମଧ୍ୟ କରାଯାଇଛି। ସେଠାରେ ୪ଟି ଜର୍ସି ଗାଈ ରଖି କ୍ଷୀର ବିକ୍ରି କରୁଛନ୍ତି। ଆଗକୁ ସରକାରୀ ପ୍ରୋତ୍ସାହନ ମିଳିଲେ ଏକ ମତ୍ସ୍ୟ ଜାଆଁଳ କେନ୍ଦ୍ର ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛନ୍ତି କାଞ୍ଚନଲତା। ଶିକ୍ଷିତବର୍ଗର ମହିଳାମାନଙ୍କୁ ତାଙ୍କର ପରାମର୍ଶ ହେଉଛି, ସମସ୍ତେ ଚାକିରି ପଛରେ ନ ଗୋଡ଼ାଇ ନିଜ ଗୋଡ଼ରେ ଠିଆ ହେବାକୁ ଉଦ୍ୟମ କରନ୍ତୁ। ଯେତେ ଯାହା ହେଉ ପଛେ ମହିଳାମାନଙ୍କର ଆର୍ଥିକ ସ୍ବାଧୀନତା ରହିବା ଜରୁରୀ। ତେବେ ଅର୍ଥ ରୋଜଗାର ପାଇଁ ସହରକୁ ଯିବା ନିହାତି ଆବଶ୍ୟକ ନୁହେଁ। ନିଜ ଭିଟାମାଟିରେ ରହି ନିଜ ପାଇଁ ଓ ଅନ୍ୟମାନଙ୍କ ପାଇଁ ଅନେକ କିଛି କରି ହେବ ବୋଲି କହିଛନ୍ତି କାଞ୍ଚନଲତା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe