ଉପାନ୍ତ ଅଞ୍ଚଳର ଶିକ୍ଷା ବ୍ୟବସ୍ଥା ଏମିତି: ଗଛମୂଳେ ରନ୍ଧା ହେଉଛି ମଧ୍ୟାହ୍ନ ଭୋଜନ

Advertisment

ଆସୁନାହାନ୍ତି ଶିକ୍ଷକ; ଅ,ଆ ଜାଣିନାହାନ୍ତି ପିଲା

ଆସୁନାହାନ୍ତି ଶିକ୍ଷକ; ଅ,ଆ ଜାଣିନାହାନ୍ତି ପିଲା

ଉପାନ୍ତ ଅଞ୍ଚଳର ଶିକ୍ଷା ବ୍ୟବସ୍ଥା ଏମିତି: ଗଛମୂଳେ ରନ୍ଧା ହେଉଛି ମଧ୍ୟାହ୍ନ ଭୋଜନ

ରାୟଗଡ଼ା: ପିଲାଙ୍କୁ ବିଦ୍ୟାଳୟ ମୁହାଁ କରିବା ଏବଂ ଶିକ୍ଷାର ଉନ୍ନତି ପାଇଁ ସରକାରଙ୍କ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି। ହେଲେ ଉପାନ୍ତ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥାରେ ବିଶେଷ ଉନ୍ନତି ହୋଇପାରୁନାହିଁ। ବିଦ୍ୟାଳୟ କୋଠା ଅଛି, ପିଲାମାନେ ମଧ୍ୟ ସ୍କୁଲକୁ ଆସୁଛନ୍ତି। ହେଲେ ନିୟମିତ ଆସୁନାହାନ୍ତି ଶିକ୍ଷକ। ଫଳରେ ପିଲାମାନେ ଅ, ଆ କହିବାକୁ ଭୁଲିଗଲେଣି। କେବଳ ଏତିକି ନୁହେଁ ରୋଷେଇ ଗୃହ ନଥିବାରୁ ଗଛମୂଳେ ଚାଲିଛି ମଧ୍ୟାହ୍ନ ଭୋଜନ। ଏଭଳି ବିଦ୍ୟାଳୟ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଗୋଡ଼ିବାଲି ପଞ୍ଚାୟତର ଦୁରୁପାଇ ଗାଁରେ।

ଦୁରୁପାଇ ପ୍ରାଥମିକ ବିଦ୍ୟାଳୟରେ ୫ଟି ଶ୍ରେଣୀରେ ମାତ୍ର ୨୫ ଜଣ ଛାତ୍ରଛାତ୍ରୀ ଅଛନ୍ତି। ଏହି ବିଦ୍ୟାଳୟରେ ଦୁରୁପାଇ ଏବଂ ପୋଡ଼େଙ୍ଗ ଗ୍ରାମର ପିଲାମାନେ ପାଠ ପଢ଼ନ୍ତି। ବିଦ୍ୟାଳୟକୁ ରାସ୍ତା ନଥିବା ଯୋଗୁଁ କପାବାଡ଼ ଭିତର ଦେଇ ଯିବାକୁ ପଡ଼େ। ପିଲାଙ୍କୁ ଶିକ୍ଷାଦାନ ନିମନ୍ତେ ୩ ଜଣ ଶିକ୍ଷକ ନିଯୁକ୍ତ ହୋଇଛନ୍ତି। ହେଲେ ଜଣେ ସହକାରୀ ଶିକ୍ଷକ ନିୟମିତ ବିଦ୍ୟାଳୟକୁ ଆସୁଥିବା ବେଳେ ପ୍ରଧାନଶିକ୍ଷକ କେତେବେଳେ କେମିତି ଆସନ୍ତି। ଅନ୍ୟ ଜଣେ ଶିକ୍ଷକ ଆଜିକୁ ୬ ମାସ ହେବ ସ୍କୁଲ ପିଣ୍ଡା ମାଡ଼ି ନଥିବା ବେଳେ ନିୟମିତ ଦରମା ପାଉଥିବାର ଖବର ମିଳିଛି। ଏମିତି ଶିକ୍ଷାଦାନ ଯୋଗୁଁ ପଞ୍ଚମ ଶ୍ରେଣୀର ପିଲାମାନେ ଅ, ଆ କହିବା ଭୁଲିଗଲେଣି। ସେହିପରି ବିଦ୍ୟାଳୟ ଖୋଲାମେଲାରେ ରହିଥିବାରୁ ଚାରିଆଡ଼େ ଜଙ୍ଗଲ ସୃଷ୍ଟି ହୋଇଛି। ରୋଷେଇ ଗୃହ ନଥିବା ଯୋଗୁଁ ଗଛମୂଳେ ମଧ୍ୟାହ୍ନ ଭୋଜନ ରନ୍ଧା ଚାଲିଛି। କେବଳ ଏତିକି ନୁହେଁ ବିଦ୍ୟାଳୟ ନିୟମିତ ଖୋଲାଯାଉ ନଥିବା ଯୋଗୁଁ ଗ୍ରାମବାସୀ ଜମିରୁ ଅମଳ କରି ଆଣୁଥିବା ଫସଲ ବିଦ୍ୟାଳୟ ବାରଣ୍ଡାରେ ଶୁଖାଇଥାନ୍ତି ବୋଲି ଦୁରୁପାଇ ଓ ପୋଡ଼େଙ୍ଗ ଗ୍ରାମର ଗ୍ରାମବାସୀ କହିଛନ୍ତି।

ଏନେଇ ଗୋଡ଼ିବାଲି ସିଆରସିସିଙ୍କୁ ପଚାରିବାରୁ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ଅନ୍ୟପକ୍ଷରେ ଗଣମାଧ୍ୟମ ନିକଟରେ ଖବର ପହଞ୍ଚି ପାରୁଥିବା ବେଳେ ବ୍ଲକ ଶିକ୍ଷା ବିଭାଗ ଓ ଜିଲ୍ଲା ଶିକ୍ଷା ବିଭାଗ ନିକଟରେ କିପରି ପହଞ୍ଚିପାରୁ ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏନେଇ କାଶୀପୁର ବ୍ଲକ୍ ଶିକ୍ଷାଧିକାରୀ ଦୀପ୍ତିମୟୀ ସିଂହଙ୍କୁ ପଚାରି ବୁଝିବାରୁ ଏହାର ତଦନ୍ତ କରି ପଦକ୍ଷେପ ନେବେ ବୋଲି କହିଥିଲେ। ଜିଲ୍ଲା ଶିକ୍ଷାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କାଶୀପୁର ବ୍ଲକ୍ ଶିକ୍ଷାଧିକାରୀଙ୍କୁ ପଚାରି ବୁଝିବେ ବୋଲି ଉତ୍ତର ଦେଇଥିଲେ। ତେବେ ବିଦ୍ୟାଳୟକୁ ରାସ୍ତା ନଥିବାର ଆଳ ଦେଖାଇ ବିଭାଗୀୟ ଅଧିକାରୀଙ୍କ ପାଦ ପଡୁନଥିବା ଯୋଗୁଁ ବିଦ୍ୟାଳୟର ଅବସ୍ଥା ଏଭଳି ରହିଛି। ତେଣୁ ଉପାନ୍ତ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥା କିପରି ଚାଲିଛି ଏହି ବିଦ୍ୟାଳୟକୁ ଦେଖିଲେ ସ୍ପଷ୍ଟ ବାରି ହୋଇପଡୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe