ଭୁବନେଶ୍ବର: ଓଡ଼ିଆ ପୁଅ ତଥା ଅନ୍ତର୍ଜାତୀୟ ବାଲୁକା କଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ସ୍ବର୍ଣ୍ଣପଦକ ହାସଲ କରିଛନ୍ତି। ରୁଷିଆରେ ଆୟୋଜିତ ଏକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ସେ ଏହି ପଦକ ଜିତିବା ସହିତ ଓଡ଼ିଶାର ଗୌରବ ବଢ଼ାଇଛନ୍ତି।
ସୂଚନା ଅନୁସାରେ ସୁଦର୍ଶନ ପଟ୍ଟନାୟକ ରୁଷିଆର ସେଣ୍ଟ ପିଟର୍ସବର୍ଗରେ ଅନୁଷ୍ଠିତ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ସେ ଏହି ପ୍ରତିଯୋଗିତାରେ ‘ପେଟର ଆଣ୍ଡ ପଲ୍’ର ବାଲୁକା ପ୍ରତିମୂର୍ତ୍ତି ନିର୍ମାଣ କରିଥିଲେ। ଗତ ୪ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ଜୁଲାଇ ୧୨ (ଶୁକ୍ରବାର) ଶେଷ ହୋଇଛି। ଉଦ୍ଯାପନୀ ଦିବସରେ ସେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏହି ପ୍ରତିଯୋଗିତାରେ ମୋଟ ୨୧ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।
ସୁଦର୍ଶନ ପୁରୀଠାରେ ଏକ ମଧ୍ୟବିତ୍ତ ପରିବାରରେ ୧୯୭୭ ମସିହା ଏପ୍ରିଲ ୧୫ରେ ଜନ୍ମ ଗ୍ରହଣ କରିଥିଲେ। ସାତ ବର୍ଷ ବୟସରେ ସେ ବାଲିରେ ମୂର୍ତ୍ତି ଗଢ଼ିବା ଆରମ୍ଭ କରିଥିଲେ। ସେ ପୁରୀରେ ୧୯୯୫ରେ ଗୋଲ୍ଡେନ ସାଣ୍ଡ ଆର୍ଟ ଇନଷ୍ଟିଚୁଟ ସ୍ଥାପନ କରିଥିଲେ। ପରେ ଏହା ସୁଦର୍ଶନ ସାଣ୍ଡ ଆର୍ଟ ଇନଷ୍ଟିଚୁଟ ନାମରେ ନାମିତ ହୋଇଥିଲା। ପୁରୀରେ ବଳରାମ ଦାସଙ୍କ କାଳରୁ ପାଖାପାଖି ୭୦୦ ବର୍ଷର ଏହି ପୁରାତନ କଳାର ବିକାଶରେ ଏହି ସଙ୍ଗଠନ କାମ କରିଥାଏ। ଏଠାକାର ଅନେକ ଛାତ୍ର ଦେଶବିଦେଶରେ ପ୍ରସିଦ୍ଧି ଲାଭ କରିଅଛନ୍ତି। ସେ ୨୦୧୪ ମସିହାରେ ପଦ୍ମଶ୍ରୀ ପୁରସ୍କାର ଲାଭ କରିଥିଲେ। ୨୦୧୮ମସିହାରେ ତାଙ୍କୁ ପ୍ରଥମେ ଓଡ଼ିଶା ଲଳିତ କଳା ଏକାଡେମୀର ସଭାପତି ଭାବରେ ନିଯୁକ୍ତ ଓ ୨୦୨୧ ମସିହାରେ ପୁନଃନିଯୁକ୍ତ କରାଯାଇଥିଲା।
Follow Us