ଭୁବନେଶ୍ବର : ମିଛ ଖବର ପ୍ରସାରଣ ଏବଂ ଅଶାଳୀନ ବ୍ୟବହାର ଅଭିଯୋଗରେ କମିସନରେଟ୍ ପୁଲିସ୍ ୱେବ୍ ଚ୍ୟାନେଲ୍ ମାଲିକ ସୁଧାଂଶୁ ରାଉତଙ୍କୁ ପୁଣିଥରେ ଗିରଫ କରିଛି। ସହିଦନଗର ଥାନାର ଏକ ଟିମ୍ ଗତରାତିରେ କେନ୍ଦୁଝର ଜିଲ୍ଲା ବଡ଼ବିଲ୍ ଅଞ୍ଚଳର ଏକ ଲଜ୍ରୁ ତାଙ୍କୁ ଧରିଥିଲା। ଆଜି ତାଙ୍କୁ ଭୁବନେଶ୍ବର ଜେଏମ୍ଏଫ୍ସି କୋର୍ଟରେ ହାଜର କରାଯାଇଥିଲା। ସେଠାରେ ଜାମିନ୍ ଖାରଜ ହେବାରୁ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ତାଙ୍କ ବିରୋଧରେ ପୁଲିସ୍ ଆଇପିସିର ଦଫା ୨୯୪(ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା), ଦଫା ୩୨୩ (ଉଦ୍ଦେଶ୍ୟମୂଳକ ଭାବେ ବ୍ୟକ୍ତିଙ୍କୁ ମାନସିକ ଆଘାତ ଦେବା), ଦଫା ୫୦୬(ଧମକାଇବା), ଦଫା ୫୦୯(ମହିଳାଙ୍କୁ ଅଶ୍ଳୀଳ ଇଂଗିତ ବା ଅସଦାଚରଣ କରିବା) ଏବଂ ଆଇଟି ଆକ୍ଟ-୬୭ (ମିଛ ତଥା ଭିତ୍ତିହୀନ ଖବର ସୋସିଆଲ୍ ମିଡିଆରେ ପ୍ରସାରଣ କରିବା)ରେ ଏକ ମାମଲା ରୁଜୁ କରିଛି।
ସୂଚନା ମୁତାବକ, କିଛି ଦିନ ହେଲା ସୁଧାଂଶୁ ସୋସିଆଲ ମିଡିଆରେ କନକ ନ୍ୟୁଜ୍ ଏବଂ କନକ ନ୍ୟୁଜ୍ ସମ୍ପାଦକଙ୍କ ବିରୋଧରେ ବାରମ୍ବାର ମିଛ ଖବର ପ୍ରସାରଣ କରି ଆସୁଥିଲେ। ଏ ସଂପର୍କରେ କନକ ନ୍ୟୁଜ୍ ପକ୍ଷରୁ ସହିଦନଗର ଥାନାରେ ଅଭିଯୋଗ ହେବା ପରେ ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। ପୁଲିସ ମାମଲା ରୁଜୁ କରିବାରୁ ସୁଧାଂଶୁ ରାଗିଯାଇ ସମସ୍ତ ସୀମା ଉଲ୍ଲଂଘନ କରିଥିଲେ। କର୍ମଚାରୀଙ୍କୁ ବିଭିନ୍ନ ଫୋରମ୍ରେ ଧମକ ଚମକ ଦେବା ସହ କନକ ନ୍ୟୁଜ୍ ସମ୍ପର୍କରେ ମନଗଢ଼ା କାହାଣୀ କରି ନିଜ ୱେବ୍ଚ୍ୟାନେଲ୍ରେ ପ୍ରସାରଣ କରିଥିଲେ। ଏମିତିକି ମହିଳା କର୍ମଚାରୀଙ୍କୁ ବି ଛାଡ଼ିନଥିଲେ। ଗିରଫ ପାଇଁ ପୁଲିସ ତନାଘନା କରୁଥିବା ଜାଣିବା ପରେ ରାଜଧାନୀ ଛାଡ଼ି କେନ୍ଦୁଝର ବଡ଼ବିଲ୍ରେ ଥିବା ଏକ ଲଜ୍ରେ ଆତ୍ମଗୋପନ କରିଥିଲେ। ପୁଲିସ ତାଙ୍କ ଠିକଣା ଠାବ ପରେ ରବିବାର ରାତିରେ ସହିଦନଗର ଥାନାର ଏକ ସ୍ବତନ୍ତ୍ର ଟିମ୍ ସେଠାରେ ଚଢ଼ଉ କରି ତାଙ୍କୁ ଗିରଫ କରିଥିଲା।
ପ୍ରକାଶଥାଉ କି, ପୂର୍ବରୁ ସୁଧାଂଶୁ ଅଲିମ୍ପିଆନ୍ ଦୂତି ଚାନ୍ଦଙ୍କ ବିରୋଧରେ ଏଭଳି ମିଛ ଏବଂ ଅଶାଳୀନ ଖବର ପ୍ରସାରଣ କରି ଗିରଫ ହୋଇଥିଲେ। ସେଥିପାଇଁ ସେ ପ୍ରାୟ ୩ ମାସ ଝାରପଡ଼ା ଜେଲରେ ରହିଥିଲେ। ହେଲେ ଜେଲ୍ରୁ ବାହାରିବା ପରେ ପୁଣି ସେଭଳି କାର୍ଯ୍ୟ ଜାରି ରଖିଥିଲେ। ତାଙ୍କ ନାଁରେ ଭୁବନେଶ୍ୱରର ବିଭିନ୍ନ ଥାନାରେ ଆପରାଧିକ ମାମଲା ମଧ୍ୟ ରହିଛି। ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନକଲି ଲେଟର୍-ପ୍ୟାଡ୍ ତିଆରି କରି ଲକ୍ଷଲକ୍ଷ ଟଙ୍କା ଠକେଇ କରିଥିବା ନେଇ ମଧ୍ୟ ତାଙ୍କ ନାଁରେ ସଂଗିନ୍ ମାମଲା ରହିଛି।
Follow Us