ବିଜେପିରେ ମିଶିଲେ ସୁଧାଂଶୁ ନାୟକ

Advertisment
ବିଜେପିରେ ମିଶିଲେ ସୁଧାଂଶୁ ନାୟକ

ଭଦ୍ରକ: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀର ବିଜେଡିରୁ ବହିଷ୍କୃତ ନେତା ତଥା ନାଟ୍ୟକାର ଡ.ସୁଧାଂଶୁ ନାୟକ ଆଜି ନିଜ ସମର୍ଥକମାନଙ୍କ ସହ ବିଜେପିରେ ଯୋଗ ଦେଇଛନ୍ତି। ଆଜି ସକାଳେ ସୁଧାଂଶୁଙ୍କ ନେତୃତ୍ବରେ ବନ୍ତ ବ୍ଲକ୍‌ର ବିଭିନ୍ନ ପଞ୍ଚାୟତରୁ ସହସ୍ରାଧିକ କର୍ମୀ ଭୁବନେଶ୍ବର ଯାଇଥିଲେ। ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ସଭାପତି ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ବିଜେପିରେ ମିଶିଥିଲେ। ସୁଧାଂଶୁଙ୍କ ମିଶ୍ରଣ ପର୍ବରେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ, ଭଦ୍ରକ ଜିଲ୍ଲା ବିଜେପି ସଭାପତି ହେମନ୍ତ ପାଢୀ, ଅଭିମନ୍ୟୁ ସେଠୀ, ପଞ୍ଚାନନ ରାଉତ, ବଦ୍ରିନାରାୟଣ ଧଳଙ୍କ ସମେତ ଜିଲ୍ଲାର ବହୁ ବିଜେପି ନେତା ଉପସ୍ଥିତ ଥିଲେ। ସୁଧାଂଶୁଙ୍କ ଭଳି ଜଣେ ଟାଣୁଆ ନେତା ଓ ତାଙ୍କ ସମର୍ଥକ ବିଜେପିରେ ଯୋଗ ଦେବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ଆଗାମୀ ଦିନରେ ସୁଧାଂଶୁ ଭଣ୍ଡାରିପୋଖରୀ ବିଧା‌ୟକ ପ୍ରଫୁଲ୍ଲ ସାମଲଙ୍କୁ ଟକ୍କର୍‌ ଦେବେ ବୋଲି କୁହାଯାଉଛି। ୨୦୦୯ ମସିହାରେ ଶ୍ରୀ ସାମଲ ଭଦ୍ରକ ନିର୍ବାଚନମଣ୍ଡଳୀ ଛାଡି ଭଣ୍ଡାରିପୋଖରୀ ଯାଇଥିଲେ। ସେବେଠାରୁ ପ୍ରଫୁଲ୍ଲଙ୍କ ପାଖ ଲୋକ ଭାବେ ସୁଧାଂଶୁ ରହି ରାଜନୀତିରେ ଗୋଟି ଚାଳନା କରୁଥିଲେ।

ପ୍ରଫୁଲ୍ଲ ମଧ୍ୟ ସୁଧାଂଶୁଙ୍କ ପତ୍ନୀ ରେବତୀ ନାୟକଙ୍କୁ ବନ୍ତ ବ୍ଲକ୍‌ରେ ଦୁଇ ଥର ବ୍ଲକ୍‌ ଅଧ୍ୟକ୍ଷା କରାଇବା ସହ ଜିଲ୍ଲା ପରିଷଦ ସଭ୍ୟା କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ପରବର୍ତ୍ତୀ ସମୟରେ ସୁଧାଂଶୁ ଅଧ୍ୟାପକ ଚାକିରିରୁ ଅବସର ନେବା ପରେ ପ୍ରତ୍ୟକ୍ଷ ଭାବେ ବିଜେଡି ରାଜନୀତିରେ ସାମିଲ ହୋଇଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ପ୍ରଫୁଲ୍ଲ ତୃତୀୟ ଥର ପାଇଁ ଭଣ୍ଡାରିପୋଖରୀରୁ ବିଧାୟକ ନିର୍ବାଚିତ ହେବା ପରେ ତାଙ୍କ ପୁତ୍ର ଲୁଲୁ ସାମଲ ବାପାଙ୍କର ରାଜନୈତିକ କାର୍ଯ୍ୟ ସମ୍ଭାଳିବା ସହ ବିଧାୟକ ପ୍ରତିନିଧି ଭାବେ ଦାୟିତ୍ବ ତୁଲାଇ ଆସୁଛନ୍ତି। ଏହା ପରେ ସୁଧାଂଶୁ ଓ ଲୁଲୁଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଲୁଲୁଙ୍କ ବିରୋଧରେ ସିଧାସଳଖ ଭାବେ ଏକ ସଭାରେ ସ୍ବର ଉଠାଇ ସୁଧାଂଶୁ ଶେଷରେ ବିଜେଡିରୁ ବହିଷ୍କୃତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe