ଆଖୁ ଚାଷୀଙ୍କୁ ଲଲିପପ୍‌, ସହାୟକ ମୂଲ୍ୟ ୧୦ ଟଙ୍କା ବୃଦ୍ଧି ନେଇ ଅସନ୍ତୋଷ

ଆଖୁ ଚାଷୀଙ୍କୁ ଲଲିପପ୍‌, ସହାୟକ ମୂଲ୍ୟ ୧୦ ଟଙ୍କା ବୃଦ୍ଧି ନେଇ ଅସନ୍ତୋଷ

YouTube

ଶେରଗଡ଼ : ସରକାରଙ୍କ ଆଖୁ ଚାଷୀମାରଣ ନୀତି ଯୋଗୁଁ ଏସିଆର ସର୍ବ ପୁରାତନ ଆସିକା ଚିନିଶିଳ୍ପ ଏବେ ବନ୍ଦ ହେବା ସ୍ଥିତିରେ ପହଞ୍ଚିଲାଣି। ବାରମ୍ବାର ଦାବି ପରେ ସରକାର ଚଳିତ ବର୍ଷ ଟନ୍‌ ପିଛା ଆଖୁର ସହାୟକ ମୂଲ୍ୟରେ ମାତ୍ର ୧୦ ଟଙ୍କା ବୃଦ୍ଧି କରିଛନ୍ତି। ଏହାକୁ ନେଇ ଗଞ୍ଜାମ ଜିଲ୍ଲାର ଆଖୁ ଚାଷୀ ମହଲରେ ଅସନ୍ତୋଷ ଦେଖାଦେଇଛି। ଏମିତିରେ ଚିନିଶିଳ୍ପର ଦୁରବସ୍ଥା ପାଇଁ ରାଜ୍ୟ ସରକାର ଦାୟୀ ବୋଲି ଗଞ୍ଜାମ ଜିଲ୍ଲା ଆଖୁଚାଷୀ ସଂଘ ସଭାପତି ସମୀର ପ୍ରଧାନ ‘ସମ୍ବାଦ’କୁ ସୂଚନା ଦେଇଛନ୍ତି।

publive-image The Week

ସଂଘର ଅଭିଯୋଗ ହେଉଛି, ଗଞ୍ଜାମ ଜିଲ୍ଲାର ପ୍ରାୟ ୨୨ଟି ଯାକ ବ୍ଲକ୍‌ରେ ଆଖୁ ଚାଷ ହୁଏ। ଚାଷୀ ନିଜ ଉତ୍ପାଦିତ ଆଖୁ ଆସିକା ଚିନିଶିଳ୍ପକୁ ଯୋଗାଇଥାନ୍ତି। କିନ୍ତୁ ସେମାନଙ୍କ ଆର୍ଥିକ ବିକାଶ ଦିଗରେ ସରକାର ଚିନ୍ତା କରୁ ନଥିବାରୁ ନିୟମିତ ଭାବେ ସେମାନେ ଅସୁବିଧା ଭୋଗୁଛନ୍ତି। ପ୍ରାପ୍ୟ ବି ଠିକ୍ ସମୟରେ ମିଳୁନି। ଏନେଇ ପ୍ରଶାସନର ଦୃଷ୍ଟିଆକର୍ଷଣ ପରେ ଗଞ୍ଜାମ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆସିକା ଚିନିଶିଳ୍ପ ପରିସରରେ ଏକ ବୈଠକ ବସିଥିଲା। ଏକ ଟନ୍ ଆଖୁ ଉତ୍ପାଦନ ବାବଦରେ ୩୩୦୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଟନ୍ ପିଛା ସହାୟକ ମୂଲ୍ୟ ଅନ୍ତତଃ ୩୫୦୦ ଟଙ୍କା ଧାର୍ଯ୍ୟ କରିବାକୁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏହାକୁ ବିଚାରକୁ ନିଆଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏକପାଖିଆ ଭାବେ ଗତ ବର୍ଷର ଦର ୨୯୭୦ ଟଙ୍କାରୁ ମାତ୍ର ୧୦ ଟଙ୍କା ବୃଦ୍ଧି କରିଥିଲେ। ଚଳିତ ବର୍ଷ ପାଇଁ ଟନ୍‌ ପଛା ୨୯୮୦ ଟଙ୍କା ଦର ଧାର୍ଯ୍ୟ ହୋଇଥିବା ନେଇ ଗତ ୧୦ ତାରିଖରେ ଘୋଷଣା କରାଯାଇଛି। ଯାହାକୁ ସଂଘ ବିରୋଧ କରିଛି।

ଆସିକା ଚିନିଶିଳ୍ପର ଦେବାଳିଆ ପରିସ୍ଥିତି ସମୟରେ ମୁଖ୍ୟମନ୍ତ୍ରୀ ୨୫ କୋଟି ଟଙ୍କା ସହାୟତା ଦେଇଥିଲେ। ତାହା ପରିଶୋଧ ହେଲା ସିନା, ଚାଷୀଙ୍କ କୌଣସି କାମରେ ଲାଗିଲାନି। ଗତବର୍ଷ ଏକର ପିଛା ୧୮୦୦ ଟଙ୍କା ସହାୟତା ଦିଆଯିବା ନେଇ ଘୋଷଣା ହୋଇଥିଲେ ମଧ୍ୟ ଆଜି ସୁଦ୍ଧା ଚାଷୀ ତାହା ପାଇନାହାନ୍ତି। ଚାଷୀଙ୍କୁ ଉନ୍ନତମାନର ଜ୍ଞାନକୌଶଳ ବିଷୟରେ ତାଲିମ ପ୍ରଦାନ, ଅମଳକ୍ଷମ ବିହନ ପ୍ରଦାନ ଓ ଆଖୁଦର ବୃଦ୍ଧି ପାଇଁ ସଂଘ ଦାବି କରିଛି। ବିଭାଗୀୟ ଅଧିକାରୀଙ୍କ ଚାଷୀମାରଣ ନୀତିକୁ ଆଦୌ ବରଦାସ୍ତ କରାଯିବନି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe