ଆଖୁଚାଷୀଙ୍କ ପ୍ରାପ୍ୟ ପ୍ରସଙ୍ଗ: ବିଜ୍ଞାପନକୁ ମାସେ ବିତିବ, ଗୋଟିଏ ବି ଆବେଦନ ଆସିନି

Advertisment
ଆଖୁଚାଷୀଙ୍କ ପ୍ରାପ୍ୟ ପ୍ରସଙ୍ଗ: ବିଜ୍ଞାପନକୁ ମାସେ ବିତିବ, ଗୋଟିଏ ବି ଆବେଦନ ଆସିନି

ନୟା‌ଗଡ଼ : ପ୍ରତି ନିର୍ବାଚନ ପୂର୍ବରୁ ରାଜନୈତିକ ସ୍ତରରେ ନୟାଗଡ଼ ଚିନିକଳ ପ୍ରସଙ୍ଗକୁ ନେଇ ଚର୍ଚ୍ଚା, ଆଲୋଚନା ଜୋର୍‌ ଧରୁଥିବା ଦେଖାଯାଇଥାଏ। ‌ଏଭଳି ସ୍ଥିତିରେ ଗତ ସେ‌ପ୍ଟେମ୍ବର ୯ ତାରିଖରେ ନୟାଗଡ଼ ଜିଲ୍ଲାପାଳ ତଥା ସମବାୟ ସୁଗାର ଇଣ୍ଡଷ୍ଟ୍ରିସ ଲିମିଟେଡ୍‌ ନୟାଗଡ଼ ଚେୟାରମ୍ୟାନଙ୍କ ଦ୍ବାରା ପ୍ରକାଶିତ ବିଜ୍ଞାପନକୁ ନେଇ ହଟଚମଟ ସୃଷ୍ଟି ହୋଇଥିଲା। ୨୦୧୨-୧୩ ଓ ୨୦୧୩-୧୪ରେ ନୟାଗଡ଼ ସୁଗାର କମ୍ପ୍ଲେକ୍ସ ଲିମିଟେଡ (ଏନ୍‌ଏସ୍‌ସିଏଲ୍‌)କୁ ଆଖୁ ବିକ୍ରି କରି ପ୍ରାପ୍ୟ ପାଇନଥିବା ଚାଷୀକୁ ପ୍ରଶାସନ ‌‌ଖୋଜିଥିଲା। ପ୍ରାୟ ୮ ବର୍ଷ ପରେ ସଂପୃକ୍ତ ଆଖୁଚାଷୀଙ୍କୁ ପ୍ରଶାସନ ଏଭଳି ଖୋଜିବା ନେଇ ନାନା କଥା ଶୁଣାଯାଉଥିଲା। ନ୍ୟାୟିକ ମାମଲାରେ ପ୍ରଶାସନ ହାରିବାକୁ ଯାଉଥିବାରୁ ଏହା ମୋ ବିରୋଧରେ ଏକ ନୂଆ ଷଡ଼ଯନ୍ତ୍ର ବୋଲି ଏନ୍‌ଏସ୍‌ସିଏଲ୍‌ ଅଧ୍ୟକ୍ଷ ତ୍ର‌ୈଲୋକ୍ୟ ମିଶ୍ର କହିଥିଲେ।

ତେବେ ଏଭଳି ସ୍ଥିତି‌ରେ ଚିନିକଳ ସମ୍ପର୍କିତ ଉକ୍ତ ବିଜ୍ଞାପନ ପ୍ରକାଶକୁ ଆଉ ଗୋଟିଏ ଦିନ ପରେ ଏକମାସ ବିତିବାକୁ ଯାଉଛି। ଏଭଳି ସ୍ଥିତିରେ ଶିଖରପୁର, ଚମ୍ପତ୍ତିପୁର ଭଳି ସେବା ସମବାୟ ସମିତିକୁ କାଁଭାଁ ଚାଷୀଙ୍କ ଆବେଦନ ଆସିଥିବା ଜଣାପଡ଼ିଛି। ଜିଲ୍ଲା ବାହାର ଚାଷୀ, ଯେଉଁମାନେ କି ଏନ୍‌ଏସ୍‌ସିଏଲ୍‌କୁ ଆଖୁ ବିକ୍ରି କରି ପାଉଣା ପାଇନଥିଲେ, ସେମାନଙ୍କୁ ନୟାଗଡ଼ ସମବାୟ ସମିତି ସମୂହ ସହକାରୀ ନିବନ୍ଧକ (ଏଆର୍‌ସିଏସ୍‌) କାର୍ଯ୍ୟାଳୟରେ ପ୍ରମାଣ ଦାଖଲ କରିବାକୁ କୁହାଯାଇଥିଲା। ତେବ‌େ ଇତିମଧ୍ୟରେ ପ୍ରଶାସନର ଉକ୍ତ ବିଜ୍ଞାପନ ପ୍ରକାଶକୁ ଏକମାସ ବିତିବାକୁ ଯାଉଥିବା ବେ‌ଳେ ଏଆର୍‌ସିଏସ୍‌କୁ ଗୋଟିଏ ବି ଆଦେବନ ଆସିନାହିଁ। ଉକ୍ତ ପ୍ରମାଣପତ୍ର ଆଧାରରେ ପ୍ରଶାସନ ଏନ୍‌ଏସ୍‌ସିଏଲ୍‌ ଅଧ୍ୟକ୍ଷଙ୍କ ବିରୋଧରେ ଆଇନର ଆଶ୍ରୟ ନେବାକୁ ବ୍ୟବସ୍ଥା କରୁଥିବା ଜଣାପଡ଼ିଛି।

ଅକ୍ଟୋବର ୨୨ ତାରିଖ ଆଖୁ ବିକ୍ରି ସମ୍ପର୍କିତ ପ୍ରମାଣ ଦାଖଲର ଶେଷ ତାରିଖ ଥିବା ବେଳେ, ଏପର୍ଯ୍ୟନ୍ତ ହାତଗଣତି କେତୋଟି ଚାଷୀଙ୍କ ପ୍ରମାଣ ଦାଖଲ ବିଚିତ୍ର ସୃଷ୍ଟି କରିଛି। ତେବେ ଆଖୁ ବିକ୍ରି କରିଥିବା ଚାଷୀଙ୍କ ନିକଟରେ ପ୍ରମାଣପତ୍ର ନାହିଁ ନା ସମସ୍ତେ ପାଉଣା ପାଇଥିଲେ? ଏଥିନେଇ ନାନା ଆଲୋଚନା ହେଉଛି। ପ୍ରଶାସନ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞାପନ ମୁତାବକ, ଏନ୍‌ଏସ୍‌ସିଏଲ୍‌ ଚାଷୀଙ୍କୁ ଆଖୁ କାଟିବା ନିମନ୍ତେ ଦେଇଥିବା ଆଦେଶର କପି, ଆଖୁ ଯୋଗାଣ ବେ‌ଳେ ମୋଟ ଆଖୁର ଓଜନ ସ୍ଲିପ୍‌, ମୋଟ ପ୍ରାପ୍ୟ ବାବଦରେ ଥିବା ତଥ୍ୟ ଅଥବା ବାଉନ୍ସ ଚେକ୍‌ ଓ ଅନ୍ୟାନ୍ୟ ତଥ୍ୟ ଦେବାକୁ ପଡ଼ିବ। କିନ୍ତୁ ୮ ବର୍ଷ ତଳର ଏହି କାଗଜପତ୍ର ଅନେକଙ୍କ ପାଖରେ ଉପଲବ୍ଧ ନଥିବା ନେଇ ମଧ୍ୟ ସନ୍ଦେହ ପ୍ରକାଶ ପାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe