Free Press Journal
ପୁରୁଷୋତ୍ତମପୁର : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ବେଢ଼ଛେଲୁ ଗ୍ରାମରେ ଶୋଇଥିବା ଅବସ୍ଥାରେ ପତ୍ନୀ ଝିଲିଙ୍କ ମୁଣ୍ଡକୁ ପେଷଣା ଚକି ପଥରରେ ଛେଚି ହତ୍ୟା କରିବା ପରେ ସ୍ବାମୀ ପ୍ରଶାନ୍ତ ମୁଦୁଲି (୪୦) ବେକରେ ରସି ଓ ଗାମୁଛା ବାନ୍ଧି ଦୁଲାରେ ଝୁଲି ଆତ୍ମହତ୍ୟା କରିଛନ୍ତି।
ସୂଚନା ଅନୁସାରେ, ଦିନମଜୁରିଆ ଭାବେ କାମ କରୁଥିବା ପ୍ରଶାନ୍ତ ସବୁବେଳେ ମଦ ପିଇ ଝିଲିଙ୍କୁ ମାରଧର କରୁଥିଲେ। ଗତକାଲି ରାତିରେ ସମସ୍ତେ ଖାଇସାରି ଶୋଇପଡ଼ିଥିଲେ। ଆଜି ସକାଳେ ଚଟାଣରେ ଝିଲିଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶବ ପାଖରେ ଏକ ପେଷଣା ଚକି ପଥର ପଡ଼ିଥିବାବେଳେ ପ୍ରଶାନ୍ତଙ୍କ ଝୁଲନ୍ତା ଶବ ଦେଖି ପରିବାର ଲୋକେ ହତବାକ୍ ପାଲଟି ଯାଇଥିଲେ। ସଂଗେ ସଂଗେ ଗଞ୍ଜାମ ଅତିରିକ୍ତ ଏସ୍.ପି ପ୍ରଦୀପ କୁମାର ଦଳେଇ, ପୁରୁଷୋତ୍ତମପୁର ଏସ୍ଡିପିଓ ଏବଂ ଥାନାଧିକାରୀ ଜଗନ୍ନାଥ ମଲ୍ଲିକଙ୍କ ସହ ଛତ୍ରପୁରରୁ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଥିଲେ। ମୃତ ପ୍ରଶାନ୍ତଙ୍କ ବାପା ଭାସ୍କର ମୁଦୁଲିଙ୍କ ଏତଲା କ୍ରମେ ଏକ ହତ୍ୟା ମାମଲା ଓ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଝିଲିଙ୍କୁ ହତ୍ୟା କରିବା ପରେ ପ୍ରଶାନ୍ତ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି ବୋଲି ଏତଲାରେ ଦର୍ଶାଯାଇଛି। ପୁଲିସ ଉଭୟଙ୍କ ଶବକୁ ଜବତ କରିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କାରଣ ସ୍ପଷ୍ଟ ହେବ ଓ ତଦନ୍ତ ଜାରି ରହିଛି ବୋଲି ଥାନାଧିକାରୀ ଶ୍ରୀ ମଲ୍ଲିକ କହିଛନ୍ତି।
ମିଳିଥିବା ତଥ୍ୟ ଅନୁସାରେ, ସେହି ଘରେ ଭାସ୍କରଙ୍କ ପତ୍ନୀଙ୍କ ସମେତ ଦୁଇପୁଅ, ଦୁଇବୋହୂ ଓ ନାତିନାତୁଣୀ ରହୁଛନ୍ତି। ଗତକାଲି ରାତିରେ ଝିଲିଙ୍କ ପାଖରେ ଦାଣ୍ଡଘରେ ତାଙ୍କର ୭ ବର୍ଷର ପୁଅ ସନ୍ଦୀପ ଶୋଇଥିବା ବେଳେ ୧୩ ବର୍ଷର ଝିଅ ସୁଇଟି ତା’ର ଜେଜେମା ପାଖରେ ଶୋଇଥିଲା।
Follow Us