ମାନସିକ ଚାପରୁ ମହିଳାଙ୍କ ଆତ୍ମହତ୍ୟା

ଛାତ୍ରୀନିବାସରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଜବତ

Representation image

ବାରିପଦା ଟାଉନ : ଅତ୍ୟଧିକ ମାନସିକ ଚାପ ମଣିଷକୁ ଭୁଲ ନିଷ୍ପତି ନେବାରେ ସହାୟକ ହେଉଥିବା ବେଳେ ତାହା ବେଶ ଭୟଙ୍କର ବୋଲି ପୁଣି ଥରେ ପ୍ରମାଣିତ ହୋଇଛି । ନିଜ ଛୋଟ ଛୁଆର ଚିକିତ୍ସା କରାଉଥିବା ଜଣେ ମହିଳା ଗତକାଲି ଆତ୍ମହତ୍ୟା କରିଛନ୍ତି । ବାରିପଦା ଟାଉନ ଥାନା ଅନ୍ତର୍ଗତ ତକତପୁର ଅଂଚଳରେ ନିଜ ନଣନ୍ଦଙ୍କ ଘରେ ରହୁଥିବା ଚାନ୍ଦୁଆ ଥାନା ଅନ୍ତର୍ଗତ କୁନି ସିଂ(୩୬) ଗତକାଲି ବିଳମ୍ବିତ ରାତିରେ ନିକଟରେ ଥିବା ଏକ ଛତୁ ଫାର୍ମରେ ରଶୀ ଲଗାଇ ଆତ୍ମହତ୍ୟା କରିଥିବା ପୁଲିସ ସୂତ୍ରରୁ ପ୍ରକାଶ।

ଚାନ୍ଦୁଆ ଥାନା ସାନସରାସପୋଷି ଅଂଚଳର ଶ୍ୟାମ ସୁନ୍ଦର ସିଂଙ୍କ ପତ୍ନୀ ତଥା ମୃତକ ମହିଳା ତକତପୁରରେ ରହି ନିଜ ଅସୁସ୍ଥ ପୁଅର ଚିକିତ୍ସା କରାଉଥିଲେ । ମାତ୍ର ଗତ କିଛିଦିନ ହେବ ସେ ଅତ୍ୟଧିକ ମାନସିକ ଚାପରେ ରହୁଥିବା ଏପରିକି କାହା ସହିତ କଥା ମଧ୍ୟ ହେଉନଥିବା ଜଣାପଡିଛି । ଗତକାଲି ରାତିରେ ମୃତକ ମହିଳା ନିଜ ପୁଅ ପାଖରେ ଶୋଇଥିଲେ । ମାତ୍ର ରାତି ପ୍ରାୟ ସାଢେ ୩ରୁ ୪ଘଟିକା ଭିତରେ ପୁଅ ବହୁତ କାନ୍ଦିବାରୁ ପରିବାର ଲୋକ ଉଠି କୁନି ସେହିଘରେ ନଥିବାର ଦେଖିବାକୁ ପାଇଥିଲେ । ପରେ ପରିବାର ଲୋକେ ତାଙ୍କୁ ଖୋଜା ଖୋଜି କରିବାରୁ ନିକଟସ୍ଥ ଛତୁ ଫାର୍ମରେ ଝୁଲନ୍ତା ଅବସ୍ଥାରେ ପାଇଥିଲେ । ଏନେଇ ବାରିପଦା ଟାଉନ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ପୁଲିସ ଘଟଣା ସ୍ଥଳରେ ପହଂଚି ଶବ ଜବତ କରିବା ସହିତ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଅତ୍ୟଧିକ ମାନସିକ ଚାପରୁ ଏଭଳି ଘଟଣା ଘଟିଥିବାର ପ୍ରାଥମିକ ତଦନ୍ତରୁ ଜଣାପଡୁଥିବା ବେଳେ ସବିଶେଷ ତଦନ୍ତ ପରେ ଅଧିକ ତଥ୍ୟ ଜଣାପଡିବ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe