ବିଚାରପତି ସୁବାସ କୁମାର ବିହାରୀଙ୍କ ମୃତ୍ୟୁ ମାମଲା: ଆତ୍ମହତ୍ୟା ନୁହେଁ, ହତ୍ୟା ଅଭିଯୋଗ ଆଣିଲେ ସଂପର୍କୀୟ

ବିଚାରପତି ସୁବାସ କୁମାର ବିହାରୀଙ୍କ ମୃତ୍ୟୁ ମାମଲା: ଆତ୍ମହତ୍ୟା ନୁହେଁ, ହତ୍ୟା ଅଭିଯୋଗ ଆଣିଲେ ସଂପର୍କୀୟ

କଟକ: କଟକ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀଙ୍କ ମୃତ୍ୟୁ ମାମଲାରେ ନୂଆ ଟୁଇଷ୍ଟ। ଏହା ଆତ୍ମହତ୍ୟା ନୁହେଁ, ବରଂ ତାଙ୍କୁ ହତ୍ୟା କରାଯାଇଥିବା ସଂପର୍କୀୟମାନେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ସୁବାସଙ୍କ ମା, ଭିଣୋଇ ଏବଂ ତାଙ୍କର ଜଣେ ସଂପର୍କୀୟ ଭାଇ ସୁବାସଙ୍କୁ ତାଙ୍କ ସ୍ତ୍ରୀ ଓ ଶଳା ହତ୍ୟା କରିଥିବା ଅଭିଯୋଗ କରିଛନ୍ତି। ଏନେଇ ସିବିଆଇ ତଦନ୍ତ ଦାବି ମଧ୍ୟ କରାଯାଇଛି। ଖାଲି ସେତିକି ନୁହେଁ, ହତ୍ୟା କରାଯାଇଥିବା ଅଭିଯୋଗ ନେଇ ମର୍କତ ନଗର ଥାନାରେ ପରିବାର ପକ୍ଷରୁ ଏତଲା ଦିଆଯିବ ବୋଲି ସୂଚନା ମଧ୍ୟ ମିଳିଛି।
ସୂଚନାଯୋଗ୍ୟ, ସ୍ବତନ୍ତ୍ର ପୋକ୍ସୋ କୋର୍ଟର ବିଚାରପତି ତଥା ଅତିରିକ୍ତ ଦୌରାଜଜ୍ ସୁବାସ କୁମାର ବିହାରୀ (୪୯) ଶୁକ୍ରବାର ଦିନ ନିଜ ସରକାରୀ କ୍ବାର୍ଟର୍ସରେ ଆତ୍ମହତ୍ୟା କରିଥିଲେ। ସିଡିଏ ସେକ୍ଟର ୯ ସ୍ଥିତ କ୍ବାର୍ଟର୍ସରୁ ତାଙ୍କର ମୃତଦେହକୁ ସିଲିଂ ଫ୍ୟାନରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଜଣେ ବିଚାରପତି ଏଭଳି ଢଙ୍ଗରେ ଆତ୍ମହତ୍ୟା କରିବା ଘଟଣା ବିଭିନ୍ନ ମହଲରେ ଚର୍ଚ୍ଚା ତଥା ଉଦ୍ବେଗର କାରଣ ହୋଇଛି। ପାରିପାର୍ଶ୍ବିକ ସ୍ଥିତିରୁ ପୁଲିସ ପ୍ରାଥମିକ ଭାବେ ଏହା ଏକ ଆତ୍ମହତ୍ୟା ବୋଲି କହୁଛି। କିନ୍ତୁ, ଏଭଳି ଆତ୍ମହତ୍ୟା ପଛର କାରଣ ସ୍ପଷ୍ଟ ହୋଇ ନଥିଲେ ବି ପାରିବାରିକ ଅଶାନ୍ତି ହୁଏତ କାରଣ ହୋଇ ଥାଇପାରେ ବୋଲି ସନ୍ଦେହ କରାଯାଉଛି।

ବିଚାରପତି ସୁବାସ କୁମାର ବିହାରୀ ସିଡିଏସ୍ଥିତ ତାଙ୍କର ସରକାରୀ କ୍ବାର୍ଟର୍ସରେ ପରିବାର ସହିତ ରହୁଥିଲେ। ପରିବାର କହିଲେ ତାଙ୍କର ପତ୍ନୀ ଏବଂ ଦୁଇ ଝିଅ। ବଡ଼ଝିଅ ନବମ ଶ୍ରେଣୀରେ ପାଠ ପଢୁଥିବା ବେଳେ ସାନଝିଅ ସପ୍ତମ ଶ୍ରେଣୀର ଛାତ୍ରୀ। ସେମାନେ ଆଜି ସ୍କୁଲ୍ ଯାଇଥିବା ବେଳେ ପତ୍ନୀ ବି କୌଣସି କାମରେ ବାହାରକୁ ଯାଇଥିଲେ। ବିଚାରପତିଙ୍କ କର୍ମଚାରୀମାନଙ୍କ ମଧ୍ୟରୁ କେତେଜଣ କୋର୍ଟ ଯାଇଥିଲେ। ଅନ୍ୟଜଣେ ତଳିଆ କର୍ମଚାରୀ ବାହାର ଅଗଣାରେ ଥିଲେ। ଦିନ ପ୍ରାୟ ୧୨ଟା ବେଳକୁ ସେ ଶୋଇବା ଘର କବାଟ ଭିତରୁ ବନ୍ଦ କରି ବେକରେ ରଶି ଗୁଡ଼ାଇ ସିଲିଂ ଫ୍ୟାନରୁ ଝୁଲି ପଡିଥିବା ସନ୍ଦେହ କରାଯାଉଛି। ବିଚାରପତି ଏଭଳି ଝୁଲି ରହିଥିବା ଦୃଶ୍ୟ ଅଗଣାରେ ଥିବା କୋର୍ଟ କର୍ମଚାରୀ ଝରକା ବାଟେ ଦେଖିବା ପରେ ସେ ତୁରନ୍ତ ବିଚାରପତିଙ୍କ ପତ୍ନୀଙ୍କୁ ଫୋନ୍ କରି ଜଣାଇଥିଲେ। ତାଙ୍କର ପତ୍ନୀ ଘରକୁ ଫେରି ଆସି ଘର କବାଟ ଭିତରପଟୁ ବନ୍ଦ ଥିବା ଜାଣିଥିଲେ। ଏ ସଂପର୍କରେ ମର୍କତନଗର ଥାନାକୁ ଖବର ଦିଆଯିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। କବାଟ ଭାଙ୍ଗି ତାଙ୍କୁ ଉଦ୍ଧାର କରାଯାଇ ସିଡିଏସ୍ଥିତ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ, ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ପରେ ଶବକୁ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡିକାଲକୁ ନିଆଯାଇଥିଲା।

ଉଲ୍ଲେଖଯୋଗ୍ୟ, ସୁବାସ କୁମାର ବିହାରୀ ୨୦୨୧, ଏପ୍ରିଲ ୬ ତାରିଖରୁ ପୋକ୍ସୋ କୋର୍ଟର ବିଚାରପତି ଭାବେ କାର୍ଯ୍ୟ କରୁଥିଲେ। ବିଭିନ୍ନ ପୋକ୍ସୋ ମାମଲାର ବିଚାର କରି ଦୋଷୀଙ୍କୁ ଦଣ୍ଡିତ କରିବା ଏବଂ ପୀଡ଼ିତାଙ୍କୁ କ୍ଷତିପୂରଣ ପ୍ରଦାନ ନିର୍ଦ୍ଦେଶ ଦେଇ ସେ ଚର୍ଚ୍ଚାରେ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe