ମାର୍ଶାଘାଇ : ମାର୍ଶାଘାଇ ବ୍ଲକ୍ ଦୁମୁକା ପଂଚାୟତ ସମିତି ସଭ୍ୟା ଗୀତା ପ୍ରଧାନ (୩୫) ଗତକାଲି ରାତିରେ ଅଙ୍ଗୁଳାଇ ମାଟିଆସାହିସ୍ଥିତ ଘରେ ଫ୍ୟାନ୍ରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଏ ସମ୍ପର୍କରେ ଗୀତାଙ୍କ ଭାଇ ମାର୍ଶାଘାଇ ଥାନାରେ ଏତଲା ଦେଇଛନ୍ତି।
ସୂଚନା ଅନୁସାରେ, ଭଦ୍ରକ ତିହିଡ଼ି ଅଞ୍ଚଳର ଗୀତା ଗଲା ୭ ବର୍ଷ ତଳେ ବାବୁଲି ପ୍ରଧାନଙ୍କୁ ବିବାହ କରିଥିଲେ। ଗତ ପଞ୍ଚାୟତ ନିର୍ବାଚନରେ ବିଜେପି ସମର୍ଥନରେ ସେ ସମିତି ସଭ୍ୟା ଭାବେ ବିଜୟୀ ହୋଇଥିଲେ। ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ୫୦ ବର୍ଷ ବୟସରେ ବାବୁଲି ଗୀତାଙ୍କୁ ଦ୍ବିତୀୟ ବିବାହ କରିଥିଲେ। ସେତେବେଳେ ଗୀତାଙ୍କ ବୟସ ଥିଲା ୨୮ ବର୍ଷ। ପ୍ରଥମ ବିବାହରୁ ବାବୁଲିଙ୍କ ୨ ପୁଅ ଓ ୨ ଝିଅ ଥିବା ବେଳେ ସମସ୍ତେ ବିବାହିତ। ବାବୁଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାର୍ଯ୍ୟରତ। ବିବାହ ପୂର୍ବରୁ ଗୀତା କେତେକ ଯାତ୍ରା ପାର୍ଟିରେ କଳାକାର ଭାବେ କାର୍ଯ୍ୟ କରିଥିଲେ। ବିବାହ ପରେ ଯାତ୍ରାରେ ଅଭିନୟ ଛାଡ଼ି ଦେଇଥିଲେ। ଗୀତାଙ୍କ ୪ ବର୍ଷର କନ୍ୟା ସନ୍ତାନ ଥିବା ବେଳେ ବିଭିନ୍ନ ସମୟରେ ପତି-ପତ୍ନୀଙ୍କ ଭିତରେ ପାରିବାରିକକ କଳହ ଲାଗି ରହୁଥିଲା। ସମ୍ଭବତଃ ଏହି କାରଣରୁ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି କୁହାଯାଉଛି। ଅନ୍ୟପଟେ ଆତ୍ମହତ୍ୟା ସମ୍ପର୍କରେ ଗୀତାଙ୍କ ଭାଇ ଜଗା ପ୍ରଧାନ ମାର୍ଶାଘାଇ ଥାନାରେ ଲିଖିତ ସୂଚନା ଦେବା ପରେ ପୁଲିସ ଅପମୃତ୍ୟୁ ମାମଲା (୩୦/୨୨) ରୁଜୁ କରି ତଦନ୍ତ ଜାରି ରଖିଥିବା ତଦନ୍ତକାରୀ ଅଫିସର ଏଏସ୍ଆଇ ଲୋଭାବତୀ ସାହୁ ସୂଚନା ଦେଇଛନ୍ତି।
Follow Us