ଛୁଟିରେ ଗଲେ ସୁଜାତା କାର୍ତ୍ତିକେୟନ୍

ଛୁଟିରେ ଗଲେ ସୁଜାତା କାର୍ତ୍ତିକେୟନ୍

ଭୁବନେଶ୍ବର: ବିଜେଡି ସରକାର ସମୟର ସର୍ବେସର୍ବା ଭି କେ ପାଣ୍ଡିଆନଙ୍କ ସାମ୍ରାଜ୍ୟ ପତନ ହେବାରେ ଲାଗିଛି। ସରକାର ବଦଳିଲା ପରେ ନିୟମତଃ ତାଙ୍କର ଘନିଷ୍ଠ ଅଧିକାରୀ ମନୋଜ ମିଶ୍ର ସରକାରୀ ଚାକିରି ଛାଡ଼ି ଦେଇଛନ୍ତି। ଏହା ପରେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ ପାଣ୍ଡିଆନଙ୍କ ପତ୍ନୀ ତଥା ୨୦୦୦ ବ୍ୟାଚ୍ ଆଇଏଏସ୍ ଅଧିକାରୀ ସୁଜାତା କାର୍ତ୍ତିକେୟନ୍ ୬ ମାସ ଛୁଟିରେ ଯାଇଛନ୍ତି। ତାଙ୍କ ଝିଅ ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷା ଦେବାକୁ ଥିବାରୁ ତାଙ୍କର ଯତ୍ନ ନେବାକୁ ସୁଜାତା ଛୁଟିରେ ରହିଛନ୍ତି। ନଭେମ୍ବର ମାସ ପର୍ଯ୍ୟନ୍ତ ତାଙ୍କର ଛୁଟି ମଞ୍ଜୁର ହୋଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି ହୋଇଛି।

ବିଜେଡି ସରକାରରେ ପାଣ୍ଡିଆନଙ୍କ ଦବ୍‌ଦବା ବଢ଼ିବା ସହ ତାଙ୍କ ପତ୍ନୀ ସୁଜାତାଙ୍କ ଗୁରୁତ୍ବ ମଧ୍ୟ ବଢ଼ିଥିଲା। ୨୦୨୧ ମେ’ ମାସରେ ମିସନ୍ ଶକ୍ତି ବିଭାଗ ନୂଆ କରି ସୃଷ୍ଟି ହେଲା ପରେ ସେ ତା’ର ପ୍ରଥମ ସଚିବ ଭାବେ ନିଯୁକ୍ତି ପାଇଥିଲେ। ତାହା ପୂର୍ବରୁ ସେ ମହିଳା ଓ ଶିଶୁ ବିକାଶ ବିଭାଗରେ ମିସନ ଶକ୍ତି ନିର୍ଦ୍ଦେଶିକା ଭାବେ କାର୍ଯ୍ୟ କରୁଥିଲେ। ଯେହେତୁ ବିଜେଡି ମହିଳାଙ୍କ ଭୋଟ୍ ଉପରେ ନିର୍ଭରଶୀଳ ଥିଲା, ତେଣୁ ମିସନ ଶକ୍ତି ସଚିବ ଭାବେ ସୁଜାତା ମଧ୍ୟ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିର୍ବାହ କରୁଥିଲେ। ଗତ ବର୍ଷ ନଭେମ୍ବର ମାସରେ ତାଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଥିଲା। ନିର୍ବାଚନ ଆଚରଣ ବିଧି ଲାଗୁ ହେଲା ପରେ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ମିସନ ଶକ୍ତି ବିଭାଗରୁ ହଟାଇ ଦିଆଯାଇଥିଲା। ସେ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀକୁ ଫୋନ୍ କରି ବିଜେଡି ସପକ୍ଷରେ ଭୋଟ୍ ଦେବାକୁ ପ୍ରବର୍ତ୍ତାଉଛନ୍ତି ବୋଲି ବିଜେପି ଅଭିଯୋଗ କରିଥିଲା। ମିସନ୍ ଶକ୍ତି ବିଭାଗରୁ ଗଲା ପରେ ତାଙ୍କୁ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ଅବସ୍ଥାପିତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe