ପ୍ୟାରିସ୍‌ ସାଲ୍‌ସା ପ୍ରତିଯୋଗିତାରେ ସୁମିତ ସୌରଭ ରନର୍ସଅପ୍‌

ପ୍ୟାରିସ୍‌ ସାଲ୍‌ସା ପ୍ରତିଯୋଗିତାରେ ସୁମିତ ସୌରଭ ରନର୍ସଅପ୍‌

ଭୁବନେଶ୍ୱର : ପ୍ୟାରିସଠାରେ ଅନୁଷ୍ଠିତ ଆନ୍ତର୍ଜାତିକ ସାଲସା ନୃତ୍ୟ ପ୍ରତିଯୋଗିତାରେ ରନର୍ସ ଅପ୍‌ ହୋଇ ଓଡ଼ିଶାର ଗୌରବ ବଢ଼ାଇଛନ୍ତି ଓଡ଼ିଆ ଯୁବକ ସୁମିତ ସୌରଭ। ଭାରତ ତଥା ଏସିଆର ଏକମାତ୍ର ପ୍ରତିଯୋଗୀ ଭାବେ ଯୋଗ୍ୟ ବିବେଚିତ ହୋଇ ସେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ୧୭ଟି ଦେଶର ୧୭ ପ୍ରତିଯୋଗୀଙ୍କ ମଧ୍ୟରେ ହୋଇଥିବା ଏହି ପ୍ରତିଯୋଗିତାର ସୋଲୋ ଗ୍ରୁପ୍‌ରେ ଇଟାଲୀର ମିଚେଲେ ୟେ ମାମ୍ବୋ ଜେଣ୍ଟେଲ ପ୍ରଥମ ହୋଇଥିବା ବେଳେ ସୁମିତ ଦ୍ୱିତୀୟ ଓ ଜେରୋନ-କାଟୋଲେନିୟାର ଷ୍ଟିଫେନ୍‌ ପାସ୍‌କୋଲ୍‌ ତୃତୀୟ ହୋଇଛନ୍ତି। ସାଧାରଣତଃ ଏକ ବିଦେଶୀ ନୃତ୍ୟ ଭାବେ ପରିଚିତ ସାଲ୍‌ସାରେ ୟୁରୋପୀୟ ଦେଶର ପ୍ରତିଯୋଗୀମାନଙ୍କ ଦବ୍‌ଦବା ରହିଛି। ତା’ ସତ୍ତ୍ୱେ ପ୍ୟାରିସରେ ସୁମିତ ସୌରଭଙ୍କ ସଫଳତା ଏକ ନୂଆ କାହାଣୀ ସୃଷ୍ଟି କରିଛି।

ସୁମିତ୍‌ଙ୍କ ଘର କୋରାପୁଟ ଜିଲ୍ଲା ଜୟପୁର ସହରର ଅରବିନ୍ଦ ନଗର। ସେ ପ୍ରସିଦ୍ଧ ଓଡିଶୀ ନୃତ୍ୟାଙ୍ଗନା ଡ. ଚନ୍ଦନା ରାଉଳଙ୍କ ପୁତ୍ର। ୧୫ ବର୍ଷ ବୟସରୁ ନିଜକୁ ପାଶ୍ଚାତ୍ୟ ନୃତ୍ୟ ସହ ସଂଶ୍ଲିଷ୍ଟ ରଖିଥିବା ସୁମିତ୍‌ ଆଶେଲ୍‌ ଲାବୋଙ୍କ ଠାରୁ ଜୁମ୍ବୋ ଓ ଜାଜ୍‌ରେ ନୃତ୍ୟ ଶିକ୍ଷା କରିଥିଲେ। ଲାଟିନ୍‌ ନୃତ୍ୟରେ ଆଗ୍ରହ ରଖିଥିବା ସୁମିତ୍‌ ପରବର୍ତ୍ତୀ ସମୟରେ ଅଧିକ ଅଭ୍ୟାସ ପାଇଁ ୟୁରୋପ, ଇଟାଲୀ, ସ୍ପେନ ଓ ପର୍ତ୍ତୁଗାଲ ଯାତ୍ରା କରି ବିଭିନ୍ନ ନୃତ୍ୟ କର୍ମଶାଳାରେ ଅଂଶ ଗ୍ରହଣ କରିଥିଲେ। ସୁମିତ୍‌ କିଛି ବର୍ଷ ହେବ ନୂଆଦିଲ୍ଲୀରେ ଏକ ଡ୍ୟାନ୍ସ ଏକାଡେମୀ ଖୋଲି ନୃତ୍ୟ ଶିକ୍ଷା ଦେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe