ପୁଣି ଫେରିବ ଗ୍ରୀଷ୍ମ ଲହରି; ୨୨ରେ ୪୪ଡିଗ୍ରି ଛୁଇଁବ ତା‌ତି, ୮ ଜିଲ୍ଲା ପାଇଁ ହିଟ୍‌ ୱେଭ୍‌ ୱାର୍ଣ୍ଣିଂ

Advertisment
ସ୍ବାଭାବିକଠାରୁ ୩ଂ ଉପରେ ପାରଦ, ୫ ସହରରେ ତାପମାତ୍ରା ୩୮ ଡିଗ୍ରି ଉପରେ

ଭୁବନେଶ୍ୱର : ପୁଣି ରାଜ୍ୟକୁ ଫେରିବ ଗ୍ରୀଷ୍ମ ପ୍ରବାହ। ଏବେ ପଶ୍ଚିମ ଓ ଆଭ୍ୟନ୍ତର ଓଡ଼ିଶାର ପାରଦ ଉପରମୁହାଁ ହୋଇଥିବା ବେଳେ ଆସନ୍ତା ୩ ଦିନରେ ରାଜ୍ୟର ତାପମାତ୍ରା ଆହୁରି ୩ରୁ ୪ ଡିଗ୍ରି ଯାଏ ବୃଦ୍ଧି ପାଇବ। ଆଜି ରାଜ୍ୟର ୭ ସହର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିବା ବେଳେ ଆସନ୍ତା ୩ ଦିନରେ ରାଜ୍ୟର ତାତି ୪୪ ଡିଗ୍ରି ପାର୍‌ କରିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏଥିସହ ୨୨ ତାରିଖ ପାଇଁ ରାଜ୍ୟର ୮ ଜିଲ୍ଲାରେ ହିଟ୍‌ ୱେଭ୍‌ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର।

ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସୋନପୁର, ବୌଦ୍ଧ ଓ ବଲାଙ୍ଗୀର ଆଦି ଜିଲ୍ଲାରେ ତାତି ୨୨ ତାରିଖ ଦିନ ୪୨ ଡିଗ୍ରିରୁ ୪୪ ଡିଗ୍ରି ମଧ୍ୟରେ ରହିବ। ଫଳରେ ଖରାରେ ବାହାରକୁ ନ ବାହାରିବା ଓ ବାହାରିଲେ ଆବଶ୍ୟକ ସଚେତନତା ଅବଲମ୍ବନ କରିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

publive-image Photo: SkyMate Weather

ଲଗାତାର ଏକ ମାସ ହେଲା ପଶ୍ଚିମ ଓଡ଼ିଶା ଜଳୁଥିବା ବେଳେ ବୁଧବାର ଦିନ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ବୌଦ୍ଧଠାରେ ୪୨.୫ ଡିଗ୍ରି ରେକର୍ଡ ହୋଇଛି। ବୁଧବାର ଦିନ ରାଜ୍ୟର କିଛି ଅଞ୍ଚଳରେ କାଳବୈଶାଖୀଜନିତ ବର୍ଷା ହୋଇଥିବା ବେଳେ ଆଜି କାଳବୈଶାଖୀର ପ୍ରକୋପ ଅପେକ୍ଷାକୃତ ବଢ଼ିବ। ଆଗକୁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ ଓ ନୂଆପଡ଼ା ଆଦି ଜିଲ୍ଲାରେ ଆସନ୍ତାକାଲି ଅପରାହ୍ନ ଆଡ଼କୁ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ପବନର ବେଗ ୩୦ରୁ ୪୦ କିମି ରହିବ। ଏଣୁ ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର।

ଅନ୍ୟପଟେ ଉପକୂଳର ପାଗ ଏବେ ମେଘୁଆ ଓ ଶୀତଳ ରହୁଛି। ବୁଧବାର ଦିନ ଦ୍ବୈତନଗରୀର ପାଗ ମେଘୁଆ ରହିଥିଲା। ଭୁବନେଶ୍ବରର ସର୍ବୋଚ୍ଚ ତାପମାତ୍ରା ୩୬ ଡିଗ୍ରି ଓ କଟକର ଦିନ ତାପମାତ୍ରା ୩୬.୨ ଡିଗ୍ରି ରେକର୍ଡ ହୋଇଛି। ଆଜି ମଧ୍ୟ ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିବ। ତାପମାତ୍ରା ୩୬ ଡିଗ୍ରି ମଧ୍ୟରେ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe