ପୌଷରେ ବୈଶାଖର ଉଷ୍ମତା: ପ୍ରଭାବିତ ହେଲା ଫୁଲ ଚାଷ

Advertisment

କଳା ଦାଗ ସହିତ ପତ୍ର ହେଉଛି କଣା, ୨୦ରୁ ୩୦ ପ୍ରତିଶତ ଉତ୍ପାଦନ ହ୍ରାସ ଆଶଙ୍କା

କଳା ଦାଗ ସହିତ ପତ୍ର ହେଉଛି କଣା, ୨୦ରୁ ୩୦ ପ୍ରତିଶତ ଉତ୍ପାଦନ ହ୍ରାସ ଆଶଙ୍କା

ସ୍ବାବଲମ୍ବନର ନୂଆ ରାହା: ଗେଣ୍ଡୁଫୁଲ ଚାଷ

ଭୁବନେଶ୍ବର : ପୌଷ ମାସରେ ତାପମାତ୍ରା ବୃଦ୍ଧିର ପ୍ରଭାବ ଫୁଲ ଚାଷ ଉପରେ ପଡ଼ିବା ଆରମ୍ଭ ହୋଇଛି। ତାପମାତ୍ର ବଢ଼ିବା ଫଳରେ ବିଭିନ୍ନ ସ୍ଥାନରେ ଫୁଲ ଠିକ୍ ଭାବରେ ଫୁଟି ପାରୁ ନାହିଁ ଓ ଶୀଘ୍ର ଖୋଲି ଯାଇ ମଉଳି ଯାଉଛି। ଏହାଛଡ଼ା ଗେଣ୍ଡୁ, ଗୋଲାପ ଆଦି ବିଭିନ୍ନ ପ୍ରକାର ଫୁଲ ରୋଗ-ପୋକର ଶିକାର ହେଉଥିବା ନେଇ ଚାଷୀମାନେ ଅଭିଯୋଗ କଲେଣି। ସ୍ଥିତି ଏଭଳି ହୋଇଛି ଯେ ଫୁଲ ଉତ୍ପାଦନ ପ୍ରାୟ ୨୦ରୁ ୩୦ ପ୍ରତିଶତ ହ୍ରାସ ପାଇବା ନେଇ ଆଶଙ୍କା କରିଛନ୍ତି ଓୟୁଏଟି ଗବେଷକ ଡ. ସିଦ୍ଧାର୍ଥ ପଲେଇ।

ଗଞ୍ଜାମ ଚାଷୀ ଶ୍ରୀଧର ବର୍ମା କହିଛନ୍ତି, ବିବାହ ଋତୁ ପରେ ନୂଆବର୍ଷରେ ବ୍ୟବସାୟ ଭଲ ହୁଏ। ଏହି ସମୟରେ ତାଙ୍କର ଏକର ପିଛା ୫୦ରୁ ୬୦ ହଜାର ଫୁଲ ହୋଇଥାଏ। ବର୍ତ୍ତମାନ ଏହି ସଂଖ୍ୟା ଅଧାକୁ କମି ଆସିଛି। କିନ୍ତୁ ଯେଉଁ ଫୁଲ ହେଉଛି ତାହା ମଧ୍ୟ ଦେଖିବା ଭଳି ନୁହେଁ। ତେଣୁ ଗ୍ରାହକମାନେ କିଣିବା ପାଇଁ ଆଗ୍ରହ କରୁ ନାହାନ୍ତି ବୋଲି ଶ୍ରୀ ବର୍ମା କହିଛନ୍ତି। ସମ୍ବଲପୁର ଚାଷୀ ମନବୋଧ ବାରିକଙ୍କ କହିବା ଅନୁସାରେ, ତାଙ୍କ ଗେଣ୍ଡୁ ଫୁଲ ଏବଂ ପତ୍ରରେ କଳାଦାଗ ହେବା ସହିତ କଣା ହୋଇଯାଉଛି। ପ୍ରାୟ ୧୫ରୁ ୨୦ ଦିନ ହେଲା ଏଭଳି ସ୍ଥିତି ହୋଇଛି। ଏନେଇ ଉଦ୍ୟାନ ବିଭାଗକୁ ଜଣାଇଥିଲେ ମଧ୍ୟ କୌଣସି ଲାଭ ହେଉ ନାହିଁ। ଏଥିଯୋଗୁଁ କେଜି ହିସାବରେ ୮୦ ଟଙ୍କାରେ ବିକ୍ରି ଫୁଲ ଗୁଡ଼ିକ ୪୦ରୁ ୫୦ ଟଙ୍କାରେ କିଣିବା ପାଇଁ ମଧ୍ୟ ଗ୍ରାହକ ଆଗ୍ରହ କରୁ ନାହାନ୍ତି। କେବଳ ତାଙ୍କ ବଗିଚା ନୁହେଁ ସେ ରହୁଥିବା ସନାତନପାଲି ଗାଁରେ ଫୁଲ ଚାଷର ଏହି ସ୍ଥିତି ରହିଛି।

publive-image Sambad

ସରକାରୀ ସୂତ୍ର ଅନୁସାରେ, ରାଜ୍ୟରେ ୫୬୦୦ ହେକ୍ଟରରେ ଚାଷ ହୋଇ ୩୧୫୬ ହଜାର ମେଟ୍ରିକ ଟନର ଫୁଲ ଉତ୍ପାଦିତ ହୋଇଥାଏ। ଏଥିରେ ୩୦୫୦ ହେକ୍ଟର ଜମିରେ ଗେଣ୍ଡୁ, ୧୫୦୦ ହେକ୍ଟର ଜମିରେ ଗୋଲାପ ଚାଷ ହୋଇଥାଏ। ବଳକା ଜମିରେ ଚମ୍ପା, ସେବତୀ, ରଜନୀଗନ୍ଧା, ଇଟିମଳା, ଅରକିଡ୍‌ ଆଦି ଉତ୍ପାଦିତ ହୁଏ। ଡ. ପଲେଇ କହିଛନ୍ତି, ତାପମାତ୍ରା ବଢ଼ିବାରେ ଅସୁବିଧା ନାହିଁ କିନ୍ତୁ ହଠାତ୍ ବଢ଼ିଲେ ସମସ୍ୟା ହୁଏ। ବର୍ତ୍ତମାନ ସ୍ଥିତିରେ ଯେଉଁ ଚାଷୀଙ୍କ ଫୁଲ ରୋଗ-ପୋକ ଦ୍ବାରା ଆକ୍ରାନ୍ତ ହେଉଛି ସେମାନେ ବିଶେଷଜ୍ଞଙ୍କ ପରାମର୍ଶରେ ହିଁ କୀଟନାଶକ ବ୍ୟବହାର କରିବା ଉଚିତ। ଶୀତ ଋତୁରେ କମ ପାଣି ବ୍ୟବହାର ହୁଏ। ବର୍ତ୍ତମାନ ତାପମାତ୍ରା ବଢ଼ିଥିବାରୁ ପାଣି ଅଧିକ ଦେବାକୁ ସେ କହିଛନ୍ତି। ଯେଉଁ ଫୁଲ ଅଧା ଫୁଟି ରହିଯାଇଛି, ସେହି ସମସ୍ୟାର ସମାଧାନ ନାହିଁ। ତେଣୁ ତାକୁ ନେଇ ଚିନ୍ତା ନକରିବାକୁ ପରାମର୍ଶ ଦେଇଛନ୍ତି। ଗାଁ ଅପେକ୍ଷା ରାଜପଥ ପାର୍ଶ୍ବରେ ଚାଷ କରିଥିବା ଚାଷୀ ବେଶି ପ୍ରଭାବିତ ହେବେ। ଓୟୁଏଟି ପାଣିପାଗ ବିଶେଷଜ୍ଞ ତୁଷାର ମହାନ୍ତିଙ୍କ ମତ ହେଉଛି, ଡିସେମ୍ବରର ତାପମାତ୍ରା ବୃଦ୍ଧି ଯୋଗୁଁ ଫୁଲ ବ୍ୟତୀତ ଅନ୍ୟ କୌଣସି ଚାଷ ପ୍ରଭାବିତ ହେବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe