ନିୟମଗିରିରେ ହସୁଛି ସୂର୍ଯ୍ୟମୁଖୀ: ୫୦ ହେକ୍ଟର ଜମିରେ ଚାଷ କରି ସ୍ବାବଲମ୍ବୀ ହୋଇଛନ୍ତି ୫୦୦ ଚାଷୀ

Advertisment

ବଦଳିଗଲା ଆଦିବାସୀ ଚାଷୀ ଲକ୍ଷ୍ମୀ ଓ ଜିତେନ୍ଦ୍ରଙ୍କ ଜୀବନଶୈଳୀ

ବଦଳିଗଲା ଆଦିବାସୀ ଚାଷୀ ଲକ୍ଷ୍ମୀ ଓ ଜିତେନ୍ଦ୍ରଙ୍କ ଜୀବନଶୈଳୀ

ନିୟମଗିରିରେ ହସୁଛି ସୂର୍ଯ୍ୟମୁଖୀ: ୫୦ ହେକ୍ଟର ଜମିରେ ଚାଷ କରି ସ୍ବାବଲମ୍ବୀ ହୋଇଛନ୍ତି ୫୦୦ ଚାଷୀ

ରାୟଗଡ଼ା (ନବୀନ କୁମାର ସାହୁ): ବିଷମକଟକ ବ୍ଲକ୍ ଭାତଗୁଡ଼ାର ଚାଷୀ ଜିତେନ୍ଦ୍ର ନିଶିକା। ୫ ବର୍ଷ ତଳେ ଧାର କରଜରେ ବୁଡ଼ି ରହିଥିଲେ। ରୋଜଗାରର କୌଣସି ପନ୍ଥା ନଥିବାରୁ କରଜ ଶୁଝିବା ପାଇଁ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ବାହାରିଥିଲେ। କିନ୍ତୁ ପଡୋଶୀ ଗାଁର ଚାଷୀଙ୍କ ସୂର୍ଯ୍ୟମୁଖୀ କ୍ଷେତକୁ ଦେଖି ଜିତେନ୍ଦ୍ର ଚାଷ ପାଇଁ ମନ ବଳାଇଥିଲେ। ସହଯୋଗର ହାତ ବଢ଼ାଇଥିଲେ ପତ୍ନୀ ଲକ୍ଷ୍ମୀ ନିଶିକା। ୨/୩ ବର୍ଷର ଅକ୍ଲାନ୍ତ ପରିଶ୍ରମ ପରେ ୨୫ ଡିସିମିଲି ଜମିରେ ସୂର୍ଯ୍ୟମୁଖୀ ଚାଷ କରି ଆସୁଥିବା ଜିତେନ୍ଦ୍ର ବାର୍ଷିକ ୩ କୁଇଣ୍ଟାଲ୍ ସୂର୍ଯ୍ୟମୁଖୀ ବିହନ ଉତ୍ପାଦନ କରି ଲାଭବାନ୍ ହେବା ସହ କରଜ ଶୁଝିବାରେ ସକ୍ଷମ ହୋଇଛନ୍ତି।

ଜିତେନ୍ଦ୍ର ଓ ଲକ୍ଷ୍ମୀଙ୍କ ଭଳି ନିୟମଗିରି ପାଦଦେଶରେ ୫ ଶହରୁ ଉର୍ଧ୍ବ ଚାଷୀ ସୂର୍ଯ୍ୟମୁଖୀ ଚାଷକୁ ଆପଣାଇ ସ୍ବାବଲମ୍ବୀ ହେବାରେ ଲାଗିଛନ୍ତି। ବିଷମକଟକ ବ୍ଲକ୍ ଡାଲିଆକୁଜି, ଚାଞ୍ଚରାଗୁଡ଼ା ଏବଂ ମୁନିଗୁଡ଼ା ବ୍ଲକ୍ ମୁନିଖୋଲ ଓ ଶିବପଦର ପଞ୍ଚାୟତର ୨୩ଟି ଗ୍ରାମର ୫୦ ହେକ୍ଟର ଜମିରେ ସୂର୍ଯ୍ୟମୁଖୀ ଚାଷ କରୁଛନ୍ତି ଆଦିବାସୀ ଓ ଡଙ୍ଗରିଆ ସଂପ୍ରଦାୟର ଚାଷୀ। ପୋଡୁ ଚାଷ ବଦଳରେ ସୂର୍ଯ୍ୟମୁଖୀ ଅର୍ଥକାରୀ ଫସଲ ହୋଇଥିବାରୁ ସମୟକ୍ରମେ ଅଧିକାରୁ ଅଧିକ ଚାଷୀ ସାମିଲ୍ ହୋଇ ନିଜ ଆର୍ଥିକ ସ୍ଥିତିକୁ ସ୍ବଚ୍ଛଳ କରିବାରେ ଲାଗିଛନ୍ତି।

publive-image

ହେକ୍ଟର ପିଛା ୨୦ କୁଇଣ୍ଟାଲ୍ ସୂର୍ଯ୍ୟମୁଖୀ ବିହନ ଉତ୍ପାଦନ ହେଉଥିବା ବେଳେ ବିହନର ବଜାର ଦର କୁଇଣ୍ଟାଲ୍ ପିଛା ୪ ହଜାର ଟଙ୍କା ରହିଛି। ୨୦ କୁଇଣ୍ଟାଲ ବିହନ ବିକ୍ରି ବାବଦକୁ ଚାଷୀ ୮୦ ହଜାର ଟଙ୍କା ପାଉଛନ୍ତି। ସାର, କୀଟନାଷକ ଓ ଶ୍ରମ ବାବଦରେ ୧୫ରୁ ୨୦ ହଜାର ଟଙ୍କା ଖର୍ଚ୍ଚ ହେଉଛି। ଫଳରେ ପ୍ରତି ହେକ୍ଟର ପିଛା ପାଖାପାଖି ୫୦ରୁ ୬୦ ହଜାର ଟଙ୍କା ଚାଷୀ ଲାଭ ଉଠାଉଛନ୍ତି। କିଛି ଚାଷୀ ବିହନରୁ ତେଲ ପ୍ରସ୍ତୁତ କରି ମଧ୍ୟ ବିକ୍ରି କରୁଛନ୍ତି।

ସୂର୍ଯ୍ୟମୁଖୀ ବିହନରୁ ପ୍ରସ୍ତୁତ ସନଫ୍ଲାୱାର୍ ତେଲ ଖାଇବା ଉପଯୋଗୀ ସହ ତେଲରେ ଅଧିକ ପ୍ରୋଟିନ୍ ଥିବାରୁ ସାରା ଭାରତରେ ଏହି ତେଲର ଚାହିଦା ରହିଛି। ଯେଉଁଥି ପାଇଁ ଫସଲ ଅମଳ ପୂର୍ବରୁ ଆନ୍ଧ୍ର ସମେତ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ବ୍ୟବସାୟୀ ଆସି ବିହନକୁ କିଣି ନେଉଛନ୍ତି। ରବି ଓ ଖରିଫ୍ ଋତୁରେ ଏହି ଚାଷ ହେଉଥିବାରୁ ଦୁଇ ଋତୁରେ ଏହି ଚାଷ ଉପରେ ନିର୍ଭରଶୀଳ ଚାଷୀ ବେଶ୍ ଲାଭବାନ୍ ହେଉଛନ୍ତି। ବିହନ ବୁଣିବାର ୧୦୫ ଦିନ ମଧ୍ୟରେ ଫସଲ ଅମଳ ହେଉଥିବାରୁ ଏହି ଚାଷରେ ନିୟୋଜିତ ଚାଷୀଙ୍କ ଦୈନିକ ଆୟ ୫୦୦ରୁ ୬୦୦ ଟଙ୍କା ବୋଲି ଅନୁମାନ କରିଛି ଚାଟିକଣାସ୍ଥିତ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ଅଧୀନରେ ପରିଚାଳିତ ଓଡ଼ିଶା ଆଦିମ ଜନଜାତି ସଶକ୍ତିକରଣ ଓ ଜୀବିକା ଉନ୍ନତିକରଣ କାର୍ଯ୍ୟକ୍ରମ (ଓପିଲିପି) ବିଭାଗ।

publive-image

ଚାଷୀଙ୍କୁ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ ଡଙ୍ଗରିଆ ଗାଁ ସକଟା, ଗୁଞ୍ଜାପାଇ, ଆଦିବାସୀ ଗାଁ ପୁସୁଗୁଡା, ପରିଚ୍ଛାଗୁଡା, ସନ୍ୟାସୀଗୁଡା, ସାର୍ଥିଲି, କାଳିପଙ୍ଗା, ଭାଲିଆପଦର, ଝିଲିଗୁଡା, ପାଜିବାଲି, ବଡ଼ ଦହିଖାଲ, ଭାତଗୁଡ଼ାରେ ସୂର୍ଯ୍ୟମୁଖୀ ଚାଷକୁ ପ୍ରୋତ୍ସାହନ ଦେଇ ଆସୁଛି (ଓପିଲିପି)। ଚାଷୀଙ୍କୁ ହେକ୍ଟର ପିଛା ୪ ହଜାର ଟଙ୍କାର ବିହନ ମାଗଣାରେ ପ୍ରଦାନ କରିବା ସହିତ ଚାଷ ପ୍ରଣାଳୀ ଓ ଉତ୍ପାଦନ ବଢ଼ାଇବାକୁ ବାର୍ଷିକ ୨ରୁ ୩ ଥର ତାଲିମ୍ ପ୍ରଦାନ କରୁଛି ବିଭାଗ। ଯାହା ଡଙ୍ଗରିଆ ଓ ଆଦିବାସୀ ଚାଷୀଙ୍କ ଜୀବନଶୈଳୀକୁ ବଦଳାଇ ଦେବା ସହିତ ଆର୍ଥିକ ସ୍ଥିତିକୁ ମଜଭୁତ୍ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe