DNA India
ବାଙ୍ଗିରିପୋଷି/ କଳାବାଡ଼ିଆ: ସରକାରଙ୍କ ‘କାଳିଆ’ ଟଙ୍କାକୁ କେନ୍ଦ୍ରକରି ଦୁଇଭାଇଙ୍କ ବିବାଦ ଜଣେ ମହିଳାଙ୍କ ପ୍ରାଣ ନେଇଛି। ଏହି ମହିଳା ହେଉଛନ୍ତି ୨ ଭାଇଙ୍କ ଜନ୍ମଦାତ୍ରୀ। ଦୁଇଭାଇ ତାଙ୍କୁ ପିଟିପିଟି ହତ୍ୟା କରିଛନ୍ତି। ତାହା ପୁଣି ସାବିତ୍ରୀ ବ୍ରତର ଗୋଟିଏ ଦିନ ପୂର୍ବରୁ। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ବଣକାଟି ପଞ୍ଚାୟତ ସାତଭାୟା ତଳସାହି ଗ୍ରାମରେ ଘଟିଥିବା ଏହି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି।
ଅଭିଯୋଗ ଅନୁସାରେ, ଗତକାଲି ରାତିରେ ବିଶୁ ସିଂଙ୍କ ପତ୍ନୀ ତୁଳସୀ (୫୧), ଦୁଇ ପୁଅ ରବି (୨୫) ଓ ରାଜକିଶୋର (୨୨)ଙ୍କ ମଧ୍ୟରେ କାଳିଆ ଯୋଜନାରେ ମିଳିଥିବା ଟଙ୍କା ଭାଗବଣ୍ଟାକୁ ନେଇ ଝଗଡ଼ା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ରବି ଓ ରାଜକିଶୋର ମା ତୁଳସୀଙ୍କୁ ବାଡ଼ିରେ ନିର୍ଧୁମ୍ ପିଟିଥିଲେ। ଫଳରେ ଛଟପଟ ହୋଇ ତୁଳସୀଙ୍କର ସେହିଠାରେ ମୃତ୍ୟୁ ହୋଇଯାଇଥିଲା। ଆଜି ସକାଳେ ବିଶୁ ଘଟଣା ସଂପର୍କରେ ଜଣାଇବା ପରେ ପୁଲିସ ଓ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ପୁଲିସ ମାତୃହନ୍ତାଦ୍ବୟଙ୍କୁ ଗିରଫ କରିବା ସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଥାନା ଅଧିକାରୀ ଦୟାନିଧି ଦାସ ସୂଚନା ଦେଇଛନ୍ତି। ରାତି ପାହିଥିଲେ ପାଳିଥାନ୍ତେ ସାବିତ୍ରୀ ବ୍ରତ। ହେଲେ ସକାଳ ହେବା ଆଗରୁ ଚାଲିଗଲା ଜୀବନ। ଯେଉଁ ହାତରେ ଖୁଆଇପିଆଇ ପୁଅମାନଙ୍କୁ ଭେଣ୍ଡିଆ କରିଥିଲେ, ସେହି ପୁଅମାନେ ସାମାନ୍ୟ କିଛି ଟଙ୍କା ପାଇଁ ଜନ୍ମଦାତ୍ରୀ ମା’କୁ ପିଟି ପିଟି ମାରିଦେଲେ। ଦୁଇ ପୁଅଙ୍କ ନାଁରେ ଏମିତି ଅଭିଯୋଗ ନେଇ ଆଜି ବିଶୁ ସିଂ ଥାନାର ଦ୍ବାରସ୍ଥ କରିବା ପରେ ଘଟଣାଟି ଜଣାପଡ଼ିଛି।
Follow Us