ଲକ୍ଷାଧିକ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ ଶ୍ରୀଜିଉ, ଶ୍ରୀକ୍ଷେତ୍ରରେ ଲୋକାରଣ୍ୟ

Advertisment
ଲକ୍ଷାଧିକ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ ଶ୍ରୀଜିଉ, ଶ୍ରୀକ୍ଷେତ୍ରରେ ଲୋକାରଣ୍ୟ

ପୁରୀ: ଶ୍ରୀକ୍ଷେତ୍ରରେ ଆଜି ଶ୍ରୀଜିଉମାନଙ୍କର ସୁନାବେଶ ହେଉଛି। ଭଗବାନଙ୍କର ଏହି ଦିବ୍ୟ ବେଶ ପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସେବାୟତମାନେ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି। ରତ୍ନଭଣ୍ଡାରରୁ ସେବାୟତମାନେ ମହାପ୍ରଭୁଙ୍କର ସୁନା ଅଳଙ୍କାରଗୁଡ଼ିକ ରଥ ଉପରକୁ ନେଇଯାଇଛନ୍ତି। ଏବେ ରଥ ଉପରେ ମହାପ୍ରଙ୍କୁ ବେଶ କରାଯାଉଛି। ଆଶା କରାଯାଉଛି ଯେ, ସନ୍ଧ୍ୟା ସାଢ଼େ ୬ଟା ପୂର୍ବରୁ ଶ୍ରୀଜିଉମାନେ ସୁନା ଅଳଙ୍କାରେ ସୁସଜ୍ଜିତ ହୋଇସାରିଥିବେ।

ଅନ୍ୟପଟରେ ମହାପ୍ରଭୁଙ୍କର ମନଲୋଭା ସୁନାବେଶ ‌ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇ ଉଠିଛି। ଲକ୍ଷାଧିକ ଭକ୍ତଙ୍କ ଗହଳିରେ ବଡ଼ଦାଣ୍ଡ ଲୋକାରଣ୍ୟ ସୃଷ୍ଟି ହୋଇଛି। ସୁନାବେଶ ଦର୍ଶନ ପାଇଁ ଭକ୍ତମାନେ ଯେପରିକି ଆଦୌ ଅସୁବିଧାର ସାମ୍ନା ନ କରିବେ, ସେଥିପାଇଁ ପ୍ରଶାସନ ପକ୍ଷରୁ ଆବଶ୍ୟକ ବନ୍ଦୋବସ୍ତ କରାଯାଇଛି।

ସୂଚନାଯୋଗ୍ୟ, ଶ୍ରୀଜିଉମାନଙ୍କର ବର୍ଷକୁ ୬ ଥର ସୁନାବେଶ ନୀତି ଅନୁଷ୍ଠିତ ହୋଇଥାଏ। ଏଥିରୁ ଗୋଟିଏ ରଥ ଉପରେ ଥରେ ସୁନାବେଶ ହେବାର ପଂରାପରା ରହିଛି। ଏହା ବାହୁଡ଼ା ଯାତ୍ରାର ପରଦିନ ଅର୍ଥାତ ଆଶାଢ଼ ଶୁକ୍ଲ ପକ୍ଷ ଏକାଦଶୀ ତିଥିରେ ଶ୍ରୀଜିଉମାନଙ୍କୁ ରଥ ଉପରେ ସୁନା ବେଶ କରାଯାଇଥାଏ। ଏତଦ୍‌ ବ୍ୟତୀତ ଶ୍ରୀଜିଉମାନଙ୍କୁ ମନ୍ଦିର ଭିତରେ ୫ ଥର ସୁନାବେଶ କରାଯାଇଥାଏ। ଦଶହରା, କୁମାରପୂର୍ଣ୍ଣିମା, କାର୍ତ୍ତିକ ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା ଓ ଦୋଳ ପୂର୍ଣ୍ଣିମାରେ ମଧ୍ୟ ମହାପ୍ରଭୁଙ୍କୁ ସୁନାବେଶ କରାଯାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe