ସୁନାବେଶରେ ଦାରୁଦିଅଁ: ୧୨ ଲକ୍ଷ ଭକ୍ତଙ୍କ ସମାଗମ, ଅଧରପଣା ନୀତି ଆଜି

ମହଣ ମହଣ ସୁନା ଆଭୂଷଣରେ ସଜେଇ ହେଲେ ବ୍ରହ୍ମାଣ୍ଡ ସାଆନ୍ତ। ହାତରେ ଶ୍ରୀଭୂଜ, ପାଦରେ ଶ୍ରୀପୟର ଓ ମସ୍ତକରେ ସୁବର୍ଣ୍ଣ କିରୀଟ ପରିଧାନ କରି ମହାପ୍ରଭୁ ରାଜା ବେଶରେ ଦର୍ଶନ ଦେଇଛନ୍ତ। ସୁନାରେ ଦାରୁଦିଅଁଙ୍କ ପୂର୍ଣ୍ଣ ଅବୟବ ରୂପ ଦର୍ଶନ କରିବାକୁ ଛୁଟି ଆସିଛନ୍ତି ୧୨ ଲକ୍ଷରୁ ଊର୍ଧ୍ବ ଭକ୍ତ।

suna besa

ପୁରୀ: ମହଣ ମହଣ ସୁନା ଆଭୂଷଣରେ ସଜେଇ ହେଲେ ବ୍ରହ୍ମାଣ୍ଡ ସାଆନ୍ତ। ହାତରେ ଶ୍ରୀଭୂଜ, ପାଦରେ ଶ୍ରୀପୟର ଓ ମସ୍ତକରେ ସୁବର୍ଣ୍ଣ କିରୀଟ ପରିଧାନ କରି ମହାପ୍ରଭୁ ରାଜା ବେଶରେ ଦର୍ଶନ ଦେଇଛନ୍ତ। ସୁନାରେ ଦାରୁଦିଅଁଙ୍କ ପୂର୍ଣ୍ଣ ଅବୟବ ରୂପ ଦର୍ଶନ କରିବାକୁ ଛୁଟି ଆସିଛନ୍ତି ୧୨ ଲକ୍ଷରୁ ଊର୍ଧ୍ବ ଭକ୍ତ। ମହାପ୍ରଭୁଙ୍କୁ ସୁନାବେଶରେ ଦେଖିବାକୁ ଆଜି ବଡ଼ଦାଣ୍ଡ ଜନସମୁଦ୍ର ପାଲଟିଥିଲା। ମହାପ୍ରଭୁ ମଧ୍ୟ ସୁନାରେ ଛାଉଣି ପୂର୍ବକ ଭାବ ରଜ୍ଜୁରେ ଭକ୍ତଙ୍କୁ ବାନ୍ଧି ରଖିଥିଲେ। 

ବେଶ ଦର୍ଶନରେ ସାତ ଜନ୍ମର ପାପରୁ ମୁକ୍ତି ମିଳିବା ବିଶ୍ବାସ ରହିଥିବାରୁ ବିଳମ୍ବିତ ରାତି ଯାଏ ଭକ୍ତଙ୍କ ସୁଅ ଚାଲିଥିଲା। ବର୍ଷକୁ କେବଳ ଦୁଇଥର ମହାପ୍ରଭୁଙ୍କୁ ସ୍ବତନ୍ତ୍ର ବେଶରେ ବଡ଼ଦାଣ୍ଡ ଉପରେ ଛିଡ଼ା ହୋଇ ସଂଦର୍ଶନ କରିବାର ସୁଯୋଗ ମିଳିଥାଏ। ସ୍ନାନବେଦିରେ ହାତୀ ବେଶ ଓ ରଥ ଉପରେ ଏକାଦଶୀରେ ସୁନାବେଶ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଶ୍ରୀମନ୍ଦିରକୁ ଯିବାକୁ ଅନୁମତି ନଥିବା ଭକ୍ତମାନେ ମଧ୍ୟ ଏହି ବେଶ ଦର୍ଶନର ସୁଯୋଗ ପାଉଥିବାରୁ ଦୂରଦୂରାନ୍ତରରୁ ଛୁଟି ଆସିଥିଲେ। ରଥାରୂଢ଼ ମହାପ୍ରଭୁଙ୍କୁ ଆପାଦ ମସ୍ତକ ସୁନାର କିରୀଟ, କୁଣ୍ଡଳ, ରତ୍ନଖଚିତ ଘାଗଡ଼ା ମାଳି, ବାହାଡ଼ା ମାଳି, ତାବିଜ ମାଳି, ହରିଡ଼ା ମାଳି, କଦମ୍ୱ ମାଳି, ବାଘନଖୀ ମାଳି, ସେବତୀ ମାଳି, ହଳମୂଷଳ, ଚକ୍ର, ତିଳକ, ଆଡ଼କାନି, ଚନ୍ଦ୍ର-ସୂର୍ଯ୍ୟ, ଅଳକା, ଓଡ଼ିଆଣୀ, ଚନ୍ଦ୍ରିକା ଓ ତଡ଼ଗି ଆଦି ସ୍ବର୍ଣ୍ଣ ଖଚିତ ଅଳଙ୍କାର ଲାଗି କରାଯାଇଥିଲା। 
ରତ୍ନ ଭଣ୍ଡାର ମରାମତି ଯୋଗୁଁ ଚାଙ୍ଗଡ଼ା ମେକାପ ଘରେ ସାଇତା ରହିଥିବା ରତ୍ନ ଅଳଙ୍କାର ଅଣାଯାଇଥିଲା।

ପାଳିଆ ମେକାପ ଓ ଖୁଣ୍ଟିଆ ସେବକମାନେ ରଥ ଉପରକୁ ରତ୍ନ ଅଳଙ୍କାର ଆଣିଥିଲେ। ନୀତି ନିର୍ଘଣ୍ଟ ମୁତାବକ, ଆଜି ୭ଟା ୧୫ରୁ ୭ଟା ୩୫ ମଧ୍ୟରେ ତିନି ରଥରେ ମଙ୍ଗଳ ଆଳତି ନୀତି ସମ୍ପନ୍ନ ହୋଇଥିଲା। ପରେ ମଇଲମ, ତଡ଼ପଲାଗି, ଅବକାଶ, ବେଶ ହୋଇ ପୂର୍ବାହ୍‌ଣ ୧୦ଟା ୫୫ରୁ ୧୨ଟା ମଧ୍ୟରେ ସକାଳ ଧୂପ ଶେଷ ହୋଇଥିଲା। ପରେ ମଇଲମ, ମହାସ୍ନାନ, ସର୍ବାଙ୍ଗ, ମଧ୍ୟାହ୍ନ ଧୂପ ହୋଇ ୪ଟା ୧୦ରେ ତିନି ରଥରେ ଶ୍ରୀବିଗ୍ରହଙ୍କ ଶାଢ଼ି ଖଣ୍ଡୁଆ ଲାଗି ଓ ସନ୍ଧ୍ୟା ଆଳତି ହୋଇଥିଲା। ଏକାଦଶୀ ସର୍ବାଙ୍ଗ ପରେ ୪ଟା ୪୫ରେ ତିନି ରଥକୁ ସ୍ବର୍ଣ୍ଣ ଆଭୂଷଣ ଅଣାଯାଇ ସୁନାବେଶ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ନୀତିକାନ୍ତି ସମୟାନୁବର୍ତ୍ତୀ ହୋଇଥିବାରୁ ଅପରାହ୍ଣରୁ ସୁନାବେଶ ଆରମ୍ଭ ହୋଇ ବିଳମ୍ବିତ ରାତି ଯାଏଁ ଚାଲିଥିଲା। 

ଶୃଙ୍ଖଳିତ ଦର୍ଶନ ତଥା ଭିଡ଼ ନିୟନ୍ତ୍ରଣ ପାଇଁ ମାର୍କେଟ୍‌ ଛକରୁ ସିଂହଦ୍ବାର ପର୍ଯ୍ୟନ୍ତ ବ୍ୟାରିକେଡ୍‌ ବ୍ୟବସ୍ଥା କରାଯାଇଥିଲା। ୨୦୫ ପ୍ଲାଟୁନ୍‌ ପୁଲିସ୍‌ ବଳ ନିୟୋଜିତ ହୋଇଥିଲେ। ଭକ୍ତ ବଡ଼ଦାଣ୍ଡରେ ବାମପାର୍ଶ୍ବରୁ ଦର୍ଶନ ପାଇଁ ପ୍ରବେଶ କରିଥିଲେ। ରଥ ଆଗ ଦେଇ ଦର୍ଶନ ସାରିବା ପରେ ଡାହାଣ ପାର୍ଶ୍ବରେ ପ୍ରସ୍ଥାନ କରିଥିଲେ। ବାହୁଡ଼ା ରାତିରୁ ସବୁ ପାର୍କିଂସ୍ଥଳ ପୂର୍ଣ୍ଣ ହୋଇଯାଇଥିଲା। ତେଣୁ ସମସ୍ତ ଗାଡ଼ିକୁ ତାଳବଣିଆ ଆଡ଼କୁ ମୁହାଁଇ ଦିଆଯାଇଥିଲା। ଭିଡ଼ ଓ ଅନୁପ୍ରବେଶ ରୋକିବାକୁ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ସଂଯୋଗ ଗଳି ରାସ୍ତାକୁ ବନ୍ଦ କରିଦିଆଯାଇଥିଲା। ସୁନାବେଶ ଓଲାଗି ପରେ ବିଳମ୍ବିତ ରାତିରେ ହରିଶୟନ ନୀତି ଅନୁଷ୍ଠିତ ହୋଇଥିଲା। ସୋମବାର ମହାପ୍ରଭୁଙ୍କ ଅଧରପଣା ନୀତି ଅନୁଷ୍ଠିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe